ଯଦି ଆପଣଙ୍କୁ କେହି ପଚାରେ, ସୁଭଦ୍ରା ଟଙ୍କା ତ ପାଇଲେ କ’ଣ କଲେ? ଆପଣ କହିପାରନ୍ତି ଆମେ ସେ ଟଙ୍କା ବ୍ୟାଙ୍କରେ ଜମା କଲୁ, ନୂଆ ଶାଢ଼ି କିଣିଲୁ ବା ଛୁଆଙ୍କ ପାଇଁ ଜିନିଷ କିଣିଦେଲୁ। କିନ୍ତୁ ଆପଣ ଯଦି ପୁରୀଜିଲ୍ଲା କୃଷ୍ଣପ୍ରସାଦର ଅମିତାଙ୍କୁ ଏହି କଥା ପଚାରିବେ ତେବେ ସେ କହିବେ ମୁଁ ପୁଳାଏ ତାଳଗୋଟମା କିଣିଲି ଆଉ ତାହାକୁ ଭଲ ଜାଗା ଦେଖି ଲଗାଇଲି। କୃଷ୍ଣପ୍ରସାଦର ୩୫ ବର୍ଷୀୟା ଅମିତା ତରାଇ ସକାଳୁ ଘରର ପାଇଟି ସାରି ନିଜ ସ୍କୁଟିରେ ଗୋଟିଏ ଫାଉଡ଼ା ଓ ଅନେକ ଚାରା ନେଇ ବାହାରିଯାଆନ୍ତି। ଖାଲି ଥିବା ଜମି, ରାସ୍ତା କଡ଼ରେ ପୋତି ଚାଲନ୍ତି ଏହି ସବୁ ଚାରା। ତାଙ୍କ ଗାଁ ଚାରିପାଖରେ ଚିଲିକା ହ୍ରଦ ରହିଛି। ଆଉ ଗାଁକୁ ସୁରକ୍ଷା ଦେବାକୁ ତିଆରି ହୋଇଛି ଲୁଣାବନ୍ଧ। ହେଲେ ୫ ବର୍ଷ ତଳେ ଯେତେବେଳେ ଅମିତା ଅନୁଭବ କଲେ ଯେ ଦିନକୁ ଦିନ ଚିଲିକା ଲୁଣାବନ୍ଧକୁ ଗିଳିଦେବାକୁ ବସିଛି, ସେବେଠାରୁ ସେ ଏକ ଅଭିନବ ଅଭିଯାନ ଆରମ୍ଭ କରିଥିଲେ। ‘ଗ୍ରିନ୍ ପାରିକୁଦ’ ନାମରେ ସଂଗଠନ କରି ସ୍ଥାନୀୟ ଲୋକଙ୍କୁ ନେଇ ଲୁଣାବନ୍ଧରେ ଲଗାଇଚାଲିଛନ୍ତି ତାଳଗଛ। ଅମିତା ଏହାରି ଭିତରେ ଲଗାଇସାରିଲେଣି ୧ ଲକ୍ଷ ୯ ହଜାର ତାଳଗଛ।
ଅମିତାଙ୍କ କହିବା କଥା ଯେ ତାଳ ଗଛ ଲୁଣାବନ୍ଧକୁ ନଷ୍ଟ ହେବାରୁ ରକ୍ଷା କରିବା ସହ ମୃତ୍ତିକା ସଂରକ୍ଷଣ କରିଥାଏ। ଆକାଶରୁ ଖସୁଥିବା ବଜ୍ରପାତର ବିପଦକୁ ମୁକାବିଲା କରିବାକୁ ତାଳ ଗଛର ସାମର୍ଥ୍ୟ ରହିଛି। ରାଜ୍ୟ ସରକାର ୨୦୨୪ ମସିହାରେ ବ୍ୟାପକ ତାଳଗଛ ଲଗାଇବା ସହ ଏହାକୁ କାଟିବାକୁ ଅନୁମତି ନେବାକୁ ପଡ଼ିବ ବୋଲି ନିୟମ କରିଥିଲେ। କିନ୍ତୁ ଏହାର ୩ ବର୍ଷ ଆଗରୁ ଅମିତା ଓ ତାଙ୍କ ସହଯୋଗୀ ମୀନାରାଣୀ ସାହୁ, ଉର୍ମିଳା ସାହୁ, ନକୁଳ ସୁନ୍ଦରା ଓ ପ୍ରଭାତୀ ପାହାଣ ପ୍ରମୁଖ ତାଳଗଛ ଲଗାଇ ଆସୁଛନ୍ତି। ମୋଟ ହିସାବ ଦେଖିଲେ ବଜ୍ରପାତ ଜନିତ ମୃତ୍ୟୁର ୯୦% ଗ୍ରାମାଞ୍ଚଳରେ ହେଉଥିବା ବେଳେ ସହରାଞ୍ଚଳରେ ୧୦% ଘଟୁଛି। ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳରେ ବହୁ ସଂଖ୍ୟକ ତାଳଗଛ ଥିଲା। ତେବେ ୧୯୯୯ ମହାବାତ୍ୟା ଓ ପରବର୍ତ୍ତୀ ସମୟରେ ଲାଗିରହିଥିବା ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, କଟକ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ ଜିଲ୍ଲାରେ ବ୍ୟାପକ ତାଳଗଛ ନଷ୍ଟ ହୋଇଯାଇଛି।
ଅମିତା ତରାଇ ତାଳଗଛର ଗୋଟମା ସଂଗ୍ରହ କରି ଏଇ ଅଗଷ୍ଟ ମାସରୁ ସେଗୁଡ଼ିକୁ ଖାଲିଥିବା ସ୍ଥାନରେ ପୁଣି ଲଗାଇବେ। ସେ କହିଛନ୍ତି, ‘‘ଆମେ ପ୍ରସ୍ତୁତ। ସୁଭଦ୍ରା ଟଙ୍କାରୁ କିଛି ତାଳ ଚାରା ବି କିଣିଛି। ସେସବୁକୁ ଖାଲିଥିବା ସ୍ଥାନରେ ଲଗାଇବୁ। ଲୁଣାବନ୍ଧ ସହ ମଣିଷଙ୍କ ଜୀବନ ବଞ୍ଚାଇବୁ।’’ ତାଳ ଗଛ ଲଗାଇ ଲାଭ କ’ଣ ପାଉଛ ପଚାରିବାରୁ ଅମିତା ଅଳ୍ପ ହସି କହନ୍ତି, ‘‘ଖୁସି। ନିଜ ହାତରେ ଲଗାଇଥିବା ତାଳ ଗୋଟମା ଯେବେ ବଡ଼ ହୋଇଯାଏ, ଆଉ ଆମ ଅଞ୍ଚଳର ଆଖପାଖରେ ତାଳବଣର ଭ୍ରମ ସୃଷ୍ଟି କରେ ସେବେ ମନ କୁଣ୍ଢେମୋଟ ହୋଇଯାଏ। ଶ୍ରମ ସାର୍ଥକ ହୋଇଯାଏ।’’
-ବୌଦ୍ଧାୟନ ଆଚାର୍ଯ୍ୟ