ପ୍ରକୃତିର କନ୍ୟା ଅର୍ଚ୍ଚନା। ଜଙ୍ଗଲ, ଜମି ଓ ଜଳର ମହତ୍ତ୍ବକୁ ସେ ବୁଝିବେ ନାହିଁ ତ କିଏ ବୁଝିବ? ପରିବେଶର ସୁରକ୍ଷା ପାଇଁ ସେ ଆନ୍ତରିକତା ଭରା କାର୍ଯ୍ୟ କରୁଛନ୍ତି। ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ରୋକିବା ଦିଗରେ ପ୍ରୟାସୀ ଆଦିବାସୀ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। ୨୬ ବର୍ଷୀୟ ଆଦିବାସୀ ଝିଅ ଅର୍ଚ୍ଚନା ସୋରେଙ୍ଗ ଗତବର୍ଷ ଇଜିପ୍ଟରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍-୨୭)ରେ ଯୋଗ ଦେବା ସହ ଅନ୍ତର୍ଜାତୀୟ ସ୍ତରରେ ସ୍ବଦେଶୀ ଦୃଷ୍ଟିକୋଣର ପ୍ରତିନିଧିତ୍ବ କରିଥିଲେ। ଜଳବାୟୁ ଉପରେ କାର୍ଯ୍ୟରତ ଅର୍ଚ୍ଚନା ଏବେ ମୁମ୍ବାଇସ୍ଥିତ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (ଟିସ୍)ର ଛାତ୍ର ସଂସଦର ସଭାନେତ୍ରୀ ଏବଂ ‘ଟିସ୍’ ଅଧୀନରେ ଜଙ୍ଗଲ ଅଧିକାର ସଂକ୍ରାନ୍ତ ରିସର୍ଚ୍ଚ ଅଫିସର ଭାବେ କାର୍ଯ୍ୟରତ। ଏଥିସହ ପରିବେଶ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ, କୃଷି ଓ ଜୀବନଶୈଳୀ ଆଦି କ୍ଷେତ୍ରରେ ସ୍ବଦେଶୀ ଜ୍ଞାନ ଓ ପ୍ରକ୍ରିୟାକୁ ନେଇ ସେ ଗବେଷଣା କରୁଛନ୍ତି।
ଅର୍ଚ୍ଚନାଙ୍କ ଜେଜେବାପା ସୁନ୍ଦରଗଡ଼ ଜିଲ୍ଲାର ବାଲିପୋଷ ଗ୍ରାମରେ ଗୋଷ୍ଠୀ ପରିଚାଳିତ ଜଙ୍ଗଲ ସୁରକ୍ଷା କାର୍ଯ୍ୟକଳାପରେ ସାମିଲ ଥିଲେ। ସେହିଭଳି ତାଙ୍କ ବାପା ଜଣେ ବଇଦ ଭାବେ ସାପ କାମୁଡ଼ାରେ ପୀଡ଼ିତ ଲୋକଙ୍କ ପାଇଁ ପାରମ୍ପରିକ ଔଷଧ ପ୍ରସ୍ତୁତ କରୁଥିଲେ। ପରିବେଶ ସୁରକ୍ଷା ଦିଗରେ ତାଙ୍କ ପରିବାରରେ ସମସ୍ତେ ସଚେତନ ଥିବାରୁ ଅର୍ଚ୍ଚନାଙ୍କ ମନରେ ଛାତ୍ରାବସ୍ଥାରୁ ପରିବେଶ ଓ ସମାଜ ପାଇଁ କିଛି କରିବାର ଝୁଙ୍କ ତୀବ୍ର ହୋଇଥିଲା। ସାମାଜିକ ସଂସ୍କାର ଓ ପରିବର୍ତ୍ତନ ଲାଗି ନୀତି ନିର୍ଦ୍ଧାରଣରେ ନିଜକୁ ସାମିଲ କରିବାକୁ ପଡ଼ିବ ବୋଲି ସେ ଉପଲବ୍ଧି କରିଥିଲେ। ଏଣୁ ପାଟଣା ମହିଳା ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହେବା ପରେ ମୁମ୍ବାଇସ୍ଥିତ ‘ଟିସ୍’ରେ ଶିକ୍ଷା ଗ୍ରହଣ କରିଥିଲେ। ‘ଟିସ୍’ ଛାତ୍ର ସଂସଦର ସଭାପତି ଭାବରେ ସେ ବିଭିନ୍ନ ଗୋଷ୍ଠୀ ସହ ଭାବବିନିମୟର ସୁଯୋଗ ପାଇଥିଲେ। ନିଜ ବାପାଙ୍କ ଦେହାନ୍ତ ପରେ ଅର୍ଚ୍ଚନା ସ୍ବଦେଶୀ ଜ୍ଞାନକୌଶଳ ସଂକ୍ରାନ୍ତ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସେ କହନ୍ତି, ‘‘ଆମେ ଯଦି ଏହି ପ୍ରକ୍ରିୟାରେ ସାମିଲ ହେବା ନାହିଁ, ତେବେ ଆମ ପର ପିଢ଼ିକୁ ଦେବା ପାଇଁ ଆମ ପାଖରେ କିଛି ରହିବ ନାହିଁ।’’
ଆଦିବାସୀଙ୍କ ସୁରକ୍ଷା ଲାଗି କାର୍ଯ୍ୟରତ ସଂଗଠନଗୁଡ଼ିକ ସହ ଯୋଡ଼ିହେବା ଫଳରେ ଅର୍ଚ୍ଚନା ଆଦିବାସୀ ସମ୍ପ୍ରଦାୟ ଉପରେ ହେଉଥିବା ଅନ୍ୟାୟ ସମ୍ପର୍କରେ ଜାଣିବାକୁ ପାଇଥିଲେ। ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନାମରେ ଆଦିବାସୀଙ୍କ ଜମି ଅଧିକାର କ୍ଷୁଣ୍ଣ ହେବା, ସେମାନଙ୍କୁ ବିତାଡ଼ିତ କରିବା, ବିସ୍ଥାପନ ଓ ସେମାନଙ୍କ ସଂସ୍କୃତି ଉପରେ ପ୍ରହାର ଆଦି ସମ୍ପର୍କରେ ସେ ଅବଗତ ହୋଇଥିଲେ। ଅର୍ଚ୍ଚନା କହନ୍ତି, ‘‘ମୁଁ ହୃଦୟଙ୍ଗମ କଲି ଯେ ଆଦିବାସୀମାନେ ଜଳବାୟୁ ପରିବର୍ତ୍ତନର ପୀଡ଼ିତ ଭାବେ ନୁହେଁ, ଜଳବାୟୁ ସଂକ୍ରାନ୍ତ କାର୍ଯ୍ୟର ନେତୃତ୍ବ ନେବା ଉଚିତ।’’ ଏଣୁ ସେ ଜଳବାୟୁ ସୁରକ୍ଷା ସମ୍ପର୍କିତ କାର୍ଯ୍ୟରେ ଅଧିକରୁ ଅଧିକ ସ୍ବଦେଶୀ ପ୍ରତିନିଧିତ୍ବ ଓ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରନ୍ତି। ଏଥିସହ ଜଳବାୟୁ ପରିବର୍ତ୍ତନକୁ ଆଞ୍ଚଳିକ ଦୃଷ୍ଟିକୋଣରୁ ଭଲ ଭାବେ ବୁଝି ଏହାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ହେଲେ ଅଧିକରୁ ଅଧିକ କ୍ଷେତ୍ର ପରିଦର୍ଶନର ଆବଶ୍ୟକତା ରହିଛି ବୋଲି କହନ୍ତି। ଏ ଦିଗରେ ପରିବେଶ ସ୍ବେଚ୍ଛାସେବୀମାନଙ୍କୁ ପ୍ରେରିତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି ଅର୍ଚ୍ଚନା।