ରେଡିଓ ଜକି ବର୍ଷା ରାଇକ୍ୱାର ପରିବେଶ ସୁରକ୍ଷା କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରି ଜାତୀୟ ସ୍ତରରେ ପରିଚିତି ହାସଲ କରିଛନ୍ତି। ମଧ୍ୟପ୍ରଦେଶର ଏକ ଛୋଟ ଗାଁ ନିୱାରିର ଝିଅ ବର୍ଷା ଆଜି ଦେଶରେ ଜଣେ ଯୁବ ପରିବେଶ ସୁରକ୍ଷା କର୍ମୀ ଭାବେ ଅଗ୍ରଗଣ୍ୟା। ରେଡିଓ ବୁନ୍ଦେଲଖଣ୍ଡ ୯୦.୪ ଏଫଏମ୍ର ରେଡିଓ ରିପୋର୍ଟର ବର୍ଷା ନିଜ କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କୁ ସଶକ୍ତ କରିବା, ଜଳବାୟୁ ପରିବର୍ତ୍ତନ ସଚେତନତା ବାଣ୍ଟିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ବିଷୟରେ ଦିଗ୍ଦର୍ଶନ କରିବା ଭଳି କାର୍ଯ୍ୟ କରୁଛନ୍ତି।
ସେ କହନ୍ତି, “ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଥିରେ ଜଳ ଓ ଜୀବନ ଅଛି ଏବଂ ଆମକୁ ବଞ୍ଚିବା ପାଇଁ ଜଳ ଆବଶ୍ୟକ। କିନ୍ତୁ ଅଧିକାଂଶ ଗ୍ରାମରେ ଜଳ ଉତ୍ସଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଶୁଖିଯାଇଛି, ଅଥବା ଶୁଖିଯିବା ଅବସ୍ଥା ପ୍ରାପ୍ତ ହୋଇଛି। ଆମ ଅଞ୍ଚଳରେ ଲୋକମାନେ ଘରଠାରୁ ଦୂରରେ ଚାଷଜମିରେ ଥିବା କୂଅରୁ ପିଇବା ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି। ପରିବେଶର ପ୍ରଦୂଷଣ ସହିତ ଅନୁପଯୁକ୍ତ ବର୍ଜ୍ୟ ପରିଚାଳନା ହେତୁ ବାୟୁ ଏବଂ ଜଳ ପ୍ରଦୂଷଣ ବଢ଼ିଚାଲିଛି। ଏହା ଆମ ଜୀବନଜୀବିକାକୁ ସଂକଟରେ ପକାଇବାକୁ ଯାଉଛି। ସମସ୍ତେ ଏହା ବୁଝି କାର୍ଯ୍ୟ କରିବା ଉଚିତ।’’
ବର୍ଷା ଝାନ୍ସୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ନିୱାରି କଲେଜରୁ ସ୍ନାତକ ହାସଲ କରିବା ପରେ ରେଡିଓ ଜକି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ବାପା ଜଣେ କୃଷକ ଓ ମା’ ଗୃହିଣୀ। ପୁଣି ତାଙ୍କର ଆଠ ଭଉଣୀ ଓ ଜଣେ ଭାଇ। ଏଣୁ ବର୍ଷାଙ୍କୁ ପରିବାର ଚଳାଇବାରେ ବାପାଙ୍କୁ ସାହାଯ୍ୟ କରିବାକୁ ପଡ଼େ। ୨୦୦୮ ମସିହାରେ ଆରମ୍ଭ ହୋଇଥିବା ବୁନ୍ଦେଲଖଣ୍ଡ କମ୍ୟୁନିଟି ରେଡିଓରେ କାମ କରିବା ପରେ ପରିବେଶ ସଚେତନତା ନେଇ ବର୍ଷାଙ୍କ କାର୍ଯ୍ୟକ୍ରମ ଖୁବ୍ ଲୋକପ୍ରିୟ ହୋଇଥିଲା। ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।
୨୦୨୧ ମସିହାରେ ସେ ଜାତିସଂଘ ଦ୍ବାରା ‘ୟଙ୍ଗ୍ କ୍ଲାଇମେଟ୍ ଲିଡର୍’ ଘୋଷିତ ହୋଇଥିଲେ।
ପରିବେଶ ପରିଚାଳନାରେ ଉନ୍ନତି ଆଣିବା ଏବଂ ପ୍ରଦୂଷଣ ହ୍ରାସ କରିବା ସ୍ଥାୟୀ ଆର୍ଥିକ ବିକାଶ ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବର୍ଷା ବିଶ୍ୱାସ କରନ୍ତି। ପରିବେଶ ସମ୍ବନ୍ଧୀୟ ଜ୍ଞାନ ପ୍ରସାର କରିବାର ଆବଶ୍ୟକତା ରହିଛି, ଯାହା ଦ୍ୱାରା ଜନସାଧାରଣ ସେଗୁଡ଼ିକୁ ବୁଝିପାରିବେ। ଆଜିର ସ୍ଥିତିରେ ଯୁବପିଢ଼ି ନିଜର ଦାୟିତ୍ୱକୁ ବୁଝି ପରିବେଶ ସୁରକ୍ଷା ଲାଗି କାର୍ଯ୍ୟ କରିବା ଖୁବ୍ ଜରୁରି।