କମ୍ଫ୍ୟୁଟର ଇଞ୍ଜିନିଅର୍ ଜିତ୍ ମିଲନ ରୋଶ୍ ଗୋଟାଏ ଆଇଟି କମ୍ପାନିରେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ୨୦୦୪ ମସିହାରେ ଏକ ଅପ୍ରତ୍ୟାଶିତ ଘଟଣା ତାଙ୍କର ଆର୍ଥିକ ସ୍ଥିତିକୁ ଦୋହଲାଇଦେଲା। ଚାପରେ ଆସି ଚାକିରିବାକିରି ଛାଡ଼ି ଘରେ ବସିଲେ। ଏହି ଘଟଣା ତାଙ୍କୁ ବିଷାଦଗ୍ରସ୍ତ କରିଦେଲା। ଏପରି ମାନସିକ ଅବସ୍ଥାରୁ ମୁକ୍ତି ପାଇବା ଲାଗି ଦିନେ ସେ ଘରୁ ବାହାରି ପାଖରେ ଥିବା ପାର୍କକୁ ଗଲେ। ବୃକ୍ଷଲତାଙ୍କ ମେଳରେ ତାଙ୍କୁ ଭଲ ଲାଗିଲା। ସେ ଦେଖିଲେ ତାଙ୍କ ଘର ଆଖପାଖରେ ଆଦୌ ଗଛବୃଚ୍ଛ ନାହିଁ। ତେଣୁ ଗଛ ନଥିବା ଅଞ୍ଚଳରେ ବୃକ୍ଷ ରୋପଣ କରିବାକୁ ମନସ୍ଥ କଲେ ଓ କାମ ଆରମ୍ଭ କରିଦେଲେ।
ସେବେଠାରୁ ନିରବଚ୍ଛିନ୍ନ ଭାବେ ବୃକ୍ଷ ରୋପଣ କରିଚାଲିଛନ୍ତି ଜିତ୍। ଏବେ ସେ ଓ ତାଙ୍କ ସହଯୋଗୀ ପ୍ରତି ବର୍ଷ ମାଙ୍ଗାଲୁରୁରେ ପ୍ରାୟ ୧୨,୦୦୦ ବୃକ୍ଷ ରୋପଣ କରୁଛନ୍ତି। ଇତିମଧ୍ୟରେ ଜିତ୍ ୨ ଲକ୍ଷରୁ ଅଧିକ ଗଛ ଲଗାଇ ସାରିଲେଣି। ଗଛ ଲଗାଇବା ସହ ଗଛ ବଞ୍ଚାଇବାକୁ ଗୁରୁତ୍ବ ଦେଉଥିବା ଜିତ୍ ମିଲନ୍ କହନ୍ତି, ‘‘ମୁଁ ଦେଖିଲି ଶ୍ମଶାନ ଓ କବରସ୍ଥଳୀ ହେଉଛି ଗଛ ଲଗାଇବା ପାଇଁ ପ୍ରକୃଷ୍ଟ ସ୍ଥାନ। ସେସବୁ ସ୍ଥାନରେ ଗଛର କ୍ଷତି କରିବାକୁ ମଣିଷମାନେ ନଥାନ୍ତି। ମୁଁ ୨୦ରୁ ଅଧିକ ଶ୍ମଶାନ ଓ କବରସ୍ଥଳୀରେ ୮୦୦୦ରୁ ଅଧିକ ଗଛ ଲଗାଇଛି ଏବଂ ମନୁଷ୍ୟକୃତ ସମସ୍ୟା ନଥିବାରୁ ଅଧିକାଂଶ ଗଛ ବଞ୍ଚିଛି।’’ ୨୦୨୦ରୁ ୨୦୨୨ ସାରା ଦେଶରେ କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ସେ ମାଙ୍ଗାଲୁରୁର ଅନ୍ୟତମ କଦର୍ଯ୍ୟ ସ୍ଥାନ ଭାବେ ପରିଚିତ ପଞ୍ଚନାଦୀ ଡମ୍ପିଂୟାର୍ଡରେ ୩୦୦୦ ବୃକ୍ଷ ରୋପଣ କରିଥିଲେ। ତାଙ୍କର ଏହି ଉଦ୍ୟମ ଫଳରେ ଆବର୍ଜନା ସ୍ଥଳୀଟିରେ ସବୁଜ ବଳୟ ସୃଷ୍ଟି ହୋଇଥିଲା।
ପରିବେଶ ସୁରକ୍ଷା କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ଜିତ ମିଲନ୍ଙ୍କ ଉଦ୍ୟମରେ ବନ ଚାରିଟେବୁଲ୍ ଟ୍ରଷ୍ଟ ଗଠନ କରାଯାଇଛି। ଏହି ଟ୍ରଷ୍ଟ ଉଡୁପି ଜିଲ୍ଲାର କନ୍ଥବରା ଜଙ୍ଗଲରେ ଥିବା ସଂରକ୍ଷିତ ଜଙ୍ଗଲର ଅଧିବାସୀଙ୍କ ଭିତରେ କାଠ ତସ୍କରୀ ଓ ବନ୍ୟପ୍ରାଣୀ ଶିକାର ବିରୋଧରେ ସଚେତନତା ସୃଷ୍ଟି କରୁଛି। ଏ ସଂପର୍କରେ ଜିତ୍ କହନ୍ତି, ‘‘ଜଙ୍ଗଲରେ କୌଣସି ବେଆଇନ କାରବାର ଦେଖିଲେ ସେମାନେ ଆମକୁ ଲୋକେସନ୍ ପଠାଉଛନ୍ତି। ଆମେ ସଙ୍ଗେସଙ୍ଗେ ବନ ବିଭାଗକୁ ଖବର ଦେବା ସହ ଘଟଣାସ୍ଥଳରେ ପହଞ୍ଚୁଛୁ। ଏହା ପରିବେଶ ସୁରକ୍ଷା ଦିଗରେ ଆମକୁ ସାହାଯ୍ୟ କରୁଛି।’’