ପିଲାମାନଙ୍କୁ ସଞ୍ଚୟ କରିବାକୁ ଶିଖାଯାଏ। ବିଭିନ୍ନ କଥା ସଂଗ୍ରହ କରିବା ବି ଏକ ଭଲ ଅଭ୍ୟାସ ବୋଲି କୁହାଯାଏ।  ଗୁରୁଜନଙ୍କ ଏହି ପରାମର୍ଶକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି କୋରାପୁଟଜିଲ୍ଲା ଜୟପୁରର ଅଷ୍ଟମ ଶ୍ରେଣୀର ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି। ପାରମ୍ପରିକ ଧାନ ଓ ମିଲେଟ୍‌ଜାତୀୟ ଶସ୍ୟକୁ ସଂଗ୍ରହ କରି ଆଗାମୀ ସମୟ ପାଇଁ ସଂରକ୍ଷିତ କରି ରଖିବାର ଗୁରୁଦାୟିତ୍ବ ତୁଲାଉଛନ୍ତି। 

Advertisment

ପିଲାବେଳୁ ବିଭିନ୍ନ ଦେଶରେ ପ୍ରଚଳିତ ମୁଦ୍ରା ସଂଗ୍ରହ କରିବାର ପ୍ରକ୍ରିୟା ଜାରିରଖି ଏପର୍ଯ୍ୟନ୍ତ ହର୍ଷିତା ଦୁଇ ହଜାରରୁ ଅଧିକ ମୁଦ୍ରା ସଂଗ୍ରହ କରିସାରିଛନ୍ତି। ସେହିପରି ଧାନର ଉତ୍ପତ୍ତିସ୍ଥଳୀ ଓ ମାଣ୍ଡିଆ ଭଳି ବିଭିନ୍ନ ମିଲେଟ୍‌ ଜାତୀୟ ଶସ୍ୟର ଗନ୍ତାଘର ଭାବେ ପରିଚିତ କୋରାପୁଟ ଜିଲ୍ଲାରେ ପାରମ୍ପରିକ ବିହନ ସଂରକ୍ଷଣ କ୍ଷେତ୍ରରେ ସେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ପାଠପଢ଼ାରୁ ସମୟ ବାହାର କରି ଛୁଟି ଦିନରେ ବାପାଙ୍କ ସହ ହର୍ଷିତା ଗାଁଗଣ୍ଡାରେ ଚାଷୀଙ୍କ ନିକଟକୁ ଯାଉଥିଲେ। ସେମାନେ କରୁଥିବା ବିବିଧ ଚାଷ ପ୍ରଣାଳୀ ଏବଂ ସେମାନେ ବ୍ୟବହାର କରୁଥିବା ପାରମ୍ପରିକ ଧାନ, ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍‌ ଜାତୀୟ ଫସଲର ବିହନ ସମ୍ପର୍କରେ ପଚାରି ବୁଝିବା ଆରମ୍ଭ କରିଥିଲେ। ସେହି ଚାଷୀଙ୍କଠାରୁ ପାରମ୍ପରିକ ବିହନ ସଂଗ୍ରହ କରି ସେ ନିଜ ଘରେ ଛୋଟ ଛୋଟ ଡବା ଓ ପ୍ୟାକେଟ୍‌ରେ ଭର୍ତ୍ତି କରି ସାଇତି ରଖିଛନ୍ତି।

ନିଜ ସଂରକ୍ଷଣ ପ୍ରଣାଳୀ ପାଇଁ ଗବେଷଣାଗାର ଆବଶ୍ୟକତାକୁ ପୂରଣ କରିବା ପରେ ସେଥିମଧ୍ୟରୁ ବଳକା ରହିଯାଇଥିବା ବିହନକୁ ଅନ୍ୟ ଚାଷୀଙ୍କୁ ହର୍ଷିତା ବାଣ୍ଟି ଦିଅନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ହର୍ଷିତା ପ୍ରାୟ ୧୮୦ ପ୍ରକାରର ପାରମ୍ପରିକ ଧାନ, ୮୦ କିସମର ମାଣ୍ଡିଆ, ୭ କିସମର ସୁଆଁ ଓ ଅନ୍ୟାନ୍ୟ ମିଲେଟ୍‌ ଜାତୀୟ ଶସ୍ୟର ପାରମ୍ପରିକ ବିହନ ସଂରକ୍ଷଣ କରିପାରିଛନ୍ତି। ‘ପ୍ରୋଜେକ୍ଟ ହର୍ଷିତା’ ଜରିଆରେ ସେ ଏହି ବ୍ୟାଙ୍କ୍‌ରୁ ୨୦୨୩ ମସିହାରେ ୨୦ ଓ ୨୦୨୪ ମସିହାରେ ୬୦ ଜଣ ଚାଷୀଙ୍କୁ ମାଗଣାରେ ବିହନ ଯୋଗାଇ ଦେଇଛନ୍ତି। ସେ ପ୍ରତ୍ୟେକଙ୍କୁ ୨ କେଜି ଲେଖାଏଁ ଦେଶୀ ବିହନ ଦେଉଥିବା ବେଳେ ଅମଳ ପରେ ଚାଷୀ ବିହନ ବ୍ୟାଙ୍କ୍‌କୁ ୪ କେଜି ଲେଖାଏଁ ବିହନ ଫେରାଇଥା’ନ୍ତି, ଯାହାକୁ ଆଗାମୀ ବର୍ଷରେ ଅନ୍ୟ ଅଞ୍ଚଳର ଚାଷୀଙ୍କୁ ପ୍ରଦାନ କରାଯାଉଛି। ସେମାନେ ବିନା ଦେୟରେ ତାହା ନେଇ ଅମଳ ପରେ ୨ ଗୁଣ ବିହନ ବ୍ୟାଙ୍କ୍‌କୁ ଫେରାଉଛନ୍ତି। ଆଗାମୀ ୫ ବର୍ଷରେ ‘ପ୍ରୋଜେକ୍ଟ ହର୍ଷିତା’ ଜରିଆରେ ୧୦୦୦ ଜଣ ଚାଷୀଙ୍କୁ ସ୍ବଦେଶୀ ବିହନ ପ୍ରଦାନ କରି ଜୈବିକ ପ୍ରଣାଳୀରେ ଚାଷ କରିବାକୁ ସେମାନଙ୍କୁ ‌ପ୍ରୋତ୍ସାହିତ କରିବାକୁ ସେ ଯୋଜନା ରଖିଛନ୍ତି। ଏହି କାର୍ଯ୍ୟକ୍ରମରେ ବିହନ ସଂରକ୍ଷଣ, ଜୈବିକ କୃଷି, ବିହନ ଉତ୍ପାଦନ, ବ୍ୟାପକ ଚାଷ, ସୁସ୍ଥ ଖାଦ୍ୟ ଓ ସୁସ୍ଥ ଜୀବନରେ ଅଭିବୃଦ୍ଧି ହେବ। ଭବିଷ୍ୟତରେ ଜଣେ ସାମାଜିକ ବିଜ୍ଞାନୀ ହୋଇ କୋରାପୁଟ ଅଞ୍ଚଳର କୃଷି ଉପରେ ଅଧିକ ଗବେଷଣା କରିବା ତାଙ୍କର ଲକ୍ଷ୍ୟ ବୋଲି ହର୍ଷିତା କହିଛନ୍ତି।