୧୯୯୯ ମହାବାତ୍ୟା ଅନେକଙ୍କୁ ପରିବେଶ ସୁରକ୍ଷା ଦିଗରେ ସଜାଗ କରିଥିଲା। ଉଦ୍ଭିଦଠାରୁ ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ; ସମସ୍ତେ ପରିବେଶ ପାଇଁ କେତେ ଜରୁରି ତାହା ଅନେକାଂଶରେ ଅନୁଭୂତ ହୋଇଥିଲା। କେନ୍ଦ୍ରପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ ରାୟସର ଗ୍ରାମର ୧୮ ବର୍ଷୀୟ ଯୁବକ ପ୍ରକାଶ ଜେନାଙ୍କ ମନରେ ଏଭଳି ଏକ ଭାବନା ସୃଷ୍ଟି ହୋଇଥିଲା। ଆଦ୍ୟ ଯୌବନରେ ପାଦ ଦେଉ ଦେଉ ସେ ପ୍ରକୃତି ମା’ ପ୍ରେମରେ ପଡ଼ିଯାଇଥିଲେ। 

Advertisment

ମାତ୍ର ୧୯ ବର୍ଷ ବୟସରେ ‘ଏଭରଗ୍ରିନ୍‌ ଫୋରମ୍‌’ ଭଳି ଏକ ସାମାଜିକ ଅନୁଷ୍ଠାନ ପ୍ରତିଷ୍ଠା କରି ଶ୍ରୀ ଜେନା ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ। ଚାକୁଣ୍ଡା, ଆକାଶିଆଠାରୁ ଆରମ୍ଭ କରି ଆମ୍ବ, ପଣସ, ପିଜୁଳି ଭଳି ଫଳନ୍ତି ଗଛ ସହ ବର ଓ ଓସ୍ତ ଭଳି ବିଶାଳ ବୃକ୍ଷ ଏବଂ ଅର୍ଜୁନ, ହରିଡ଼ା, ବାହାଡ଼ା, ଅଁଳା ପରି ଔଷଧୀୟ ବୃକ୍ଷ ଲଗାଇବା ଆରମ୍ଭ କରିଥିଲେ। ଗତ ୨୪ ବର୍ଷ ମଧ୍ୟରେ ସେ ଓ ତାଙ୍କ ଫୋରମ୍‌ର ସଦସ୍ୟମାନେ ମିଶି ଶହ ଶହ ଗଛ ଲଗାଇବା ସହ ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇଟି ଗ୍ରାମ୍ୟ ଜଙ୍ଗଲ ମଧ୍ୟ ସୃଷ୍ଟି କରିଛନ୍ତି। ଖାଲି ସେତିକି ନୁହେଁ, ସେମାନେ ବନ୍ୟଜନ୍ତୁ ସୁରକ୍ଷା ବିଶେଷ କରି ହାତୀ, ଭାଲୁ ଓ ବାଘଙ୍କ ସୁରକ୍ଷା, ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସୁରକ୍ଷା, ବନ୍ୟପ୍ରାଣୀ-ମନୁଷ୍ୟ ସଂଘର୍ଷ ହ୍ରାସ ପାଇଁ ଓଡ଼ିଶା, ଆସାମ ଓ ଛତିଶଗଡ଼ ଆଦି ରାଜ୍ୟରେ କାର୍ଯ୍ୟ କରୁଛନ୍ତି।

ବନ୍ୟଜନ୍ତୁ ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ପ୍ରତି ବର୍ଷ ଏଭରଗ୍ରିନ୍‌ ଫୋରମ୍‌ ପକ୍ଷରୁ ଏକ ଜାତୀୟସ୍ତରୀୟ କ‌ାର୍ଯ୍ୟକ୍ରମର ଆୟୋଜନ କରି ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ‘ଓଡ଼ିଶା ବନ୍ୟଜନ୍ତୁ ସଂରକ୍ଷଣ ସମ୍ମାନ’ ପ୍ରଦାନ କରାଯାଉଛି। ୨ ବର୍ଷ ହେଲା ଏହି ପୁରସ୍କାର ଦିଆଯାଉଥିବା ବେଳେ ଅାସନ୍ତା ମାର୍ଚ୍ଚ ୩ ଓ ୪ ତାରିଖରେ ଏହାର ତୃତୀୟ ସଂସ୍କରଣ ଆୟୋଜିତ ହେବ। ଜଙ୍ଗଲ ନିଆଁ ନେଇ ଲୋକଙ୍କ ମଧ୍ୟରେ ସଚେତନତା, ଜଙ୍ଗଲ ଭିତ‌େର ରହୁଥିବା ଅଧିବାସୀଙ୍କୁ ବାହାରକୁ ଆଣି ସେମାନଙ୍କର ଉପଯୁକ୍ତ ଥଇଥାନ ଏବଂ ବାଦୁଡ଼ି, ସାମୁଦ୍ରିକ କଇଁଛଙ୍କ ସଂରକ୍ଷଣ ଓ ବଂଶବୃଦ୍ଧି ଦିଗରେ ମଧ୍ୟ ସେ ଓ ତାଙ୍କ ଟିମ୍‌ କାର୍ଯ୍ୟ କରିଥା’ନ୍ତି। ହାତୀ ଠିକ୍‌ ଭାବେ ଯା’ଆସ କରିପାରୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ୭ଟି ହାତୀ କରିଡର୍‌ରେ ପାଦରେ ଚାଲିଚାଲି ପ୍ରକାଶ ଓ ତାଙ୍କ ଟିମ୍‌ ଅନୁଧ୍ୟାନ କରିଥିବା ସେ କହିଛନ୍ତି। ସେହିଭଳି ଝାଡ଼ଖଣ୍ଡ-ଓଡ଼ିଶାର ଅନ୍ତଃରାଜ୍ୟ ହାତୀ କରିଡର୍‌ ବିକଶିତ କରିବା ଦିଗରେ ବି କାମ ଜାରି ରହିଛି। ପ୍ରକାଶ କହିଛନ୍ତି, ‘‘ଆମେ ବୃକ୍ଷରୋପଣ, ବନ୍ୟଜନ୍ତୁ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ବହୁ କାର୍ଯ୍ୟ କରିଛୁ। ଓଡ଼ିଶାରେ ଔଷଧୀୟ ବୃକ୍ଷଠାରୁ ଆରମ୍ଭ ବହୁ ବିରଳ ଉଦ୍ଭିଦର ସମ୍ଭାର ରହିଛି। ଏଥିସହ ଆମ ଜଙ୍ଗଲ ଓ ଉପକୂଳ ପ୍ରାକୃତିକ ସଂପଦ ଓ ଜୈବବିବିଧତାରେ ପରିପୂର୍ଣ୍ଣ। ସେ ସବୁର ସୁରକ୍ଷା କରିପାରିଲେ, ଆମ ଓଡ଼ିଶା ଆପେ ସୁନ୍ଦର ଓ ସବୁଜ ହୋଇପାରିବ।’’