ରିଦ୍ଧିମା ମିଶ୍ର ଏକାଦଶ ଶ୍ରେଣୀର ଛାତ୍ରୀ। ବୟସ ଓ ଅଭିଜ୍ଞତା ତୁଳନାରେ ଆଜି ତାଙ୍କର ପରିବେଶପ୍ରେମ ସମସ୍ତଙ୍କ ପାଇଁ ‌େପ୍ରରଣା ସାଜିଛି। କଟକ ମହାନଦୀ ପଠାରେ ଥିବା ଭୁଆସୁଣୀ ମନ୍ଦିର ଆଖପାଖ ଗଛଲତ‌ା, ମାଟି ଓ ପାଣିକୁ ସୁରକ୍ଷା ଦେବାକୁ ସେ ନବମ ଶ୍ରେଣୀରୁ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ନଈପଠାର ସୁରକ୍ଷା ପାଇଁ ସେ କାହିଁକି ଓ କିପରି ଆକର୍ଷିତ ହେଲେ ବୋଲି ପଚାରିବାରୁ ରିଦ୍ଧିମା କହନ୍ତି ‘‘ଭୁଆସୁଣୀ ନଈପଠା ସ୍ଥାନୀୟ ଅଞ୍ଚଳର ଫୁସ୍‌ଫୁସ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୋ ବାପା ଜଣେ ପ୍ରକୃତିପ୍ରେମୀ ମଣିଷ। ତାଙ୍କୁ ସମୟ ମି‌ଳିଲେ ସେ ମୋତେ ଭୁଆସୁଣୀ ନଈପଠା ବୁଲାଇ ନିଅନ୍ତି। ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ଭୁଆସୁଣୀ ନଈପଠା ସବୁଜିମାର ସୌନ୍ଦର୍ଯ୍ୟ ଭିନ୍ନ ଭିନ୍ନ।

Advertisment

ସନ୍ଧ୍ୟା ଓ ସକାଳରେ ତା’ର ଚଳଚଞ୍ଚଳ ଦୃଶ୍ୟ ମନକୁ ପୁଲକିତ କରିଥାଏ। କିନ୍ତୁ ଯେତେବେଳେ ଡିସେମ୍ବର ଓ ଜାନୁଆରି ମାସ ବଣଭୋଜିର ଋତୁ ଆସେ, ସେତେବେଳେ ଏହି ପଠାଟିକୁ ମଇଳା ଆବର୍ଜନାରେ ପରିପୂର୍ଣ୍ଣ କରିଦିଏ ଏବଂ ଏହାର ସବୁଜିମାର ସୌନ୍ଦର୍ଯ୍ୟ ପ୍ରାୟତଃ ହଜିଯାଏ। ଚାରିଆଡ଼େ କୁଢ଼ କୁଢ଼ ପ୍ଲାଷ୍ଟିକ୍ ଆବର୍ଜନା ଦେଖିବାକୁ ମି‌େଳ। ଏପରିକି ବଣଭୋଜିର ନିଅଁାରେ ଅନେକ ଜଙ୍ଗଲୀବୁଦା ଜଳିପୋଡ଼ି ଯିବା ଦେଖିବାକୁ ମିଳେ। ଏହା ମୋତେ ବ୍ୟଥିତ କରିଥିଲା। ତେଣୁ ମୁଁ ମୋର ସାଧ୍ୟମତେ ଏହାକୁ ପରିଷ୍କାର କରିବାକୁ ମନ ବଳାଇଥିଲି ଏବଂ ଏହାକୁ ପରିଷ୍କାର ରଖିବା କାର୍ଯ୍ୟ ମୁଁ ଯେତିକି ପାରୁଛି କରିଆସୁଛି। ବଣଭୋଜି ଋତୁରେ ମୁଁ ଏହି ପଠାକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେଥିପାଇଁ ସମସ୍ତଙ୍କୁ ସଚେତନ କରୁଛି।’’

ତେବେ ‘ପୁନଶ୍ଚ ପୃଥିବୀ’ ପୃଷ୍ଠା ମାଧ୍ୟମରେ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ପ୍ରଶ୍ନର ଉତ୍ତରରେ ରିଦ୍ଧିମା କୁହନ୍ତି, ‘‘ଯଦିଓ ଭୁଆସୁଣୀ ପଠାର ପରିବେଶ ସୁରକ୍ଷା ସଚେତନତା ଧୀରେ ଧୀରେ ବଢୁଛି, ତଥାପି ଆଜି ବି ଏହାର ମାଟି ପାଣି ପ୍ରଦୂଷଣରୁ ମୁକ୍ତ ହୋଇପାରି ନାହିଁ। ମୁଁ କଟକ ନଗର ନିଗମକୁ ଏତିକି ଅନୁରୋଧ କରିବି ସେମାନେ ଏହି ପଠାର ପରିବେଶ ସୁରକ୍ଷା ପାଇଁ ଏହାକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ। ଏହା ନ ହେଲେ ସ୍ଥାନୀୟ ଅଞ୍ଚଳର ଫୁସ୍‌ଫୁସ୍ ଭୁଆସୁଣୀ ପଠା ବିପଦପ୍ରବଣ ହୋଇଯିବ।’’