ପରିବେଶ ଯୋଦ୍ଧା: ରୁତିକାଙ୍କ ବନ୍ୟପ୍ରାଣୀ ରୁଚି

ରୁତିକା ନାଥ। ବୟସ ୨୩ ବର୍ଷ। ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ରେ। ପରିବେଶ ଓ ଜଳବାୟୁ ସୁରକ୍ଷା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତି ତାଙ୍କର ଆଗ୍ରହ ଓ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ପ୍ରାଣୀ ବିଜ୍ଞାନରେ ସ୍ନାତକୋତ୍ତର କରିବା ସମୟରୁ ହିଁ ତାଙ୍କର ଏ ଦିଗରେ ଉତ୍ସାହ ଓ ଏକାଗ୍ରତା ବଢ଼ିଥିଲା। ୨୦୨୦ ମସିହାରୁ ନିଜକୁ ପ୍ରକୃତି ପାଇଁ ସମର୍ପିତ କରିଥିଲେ ରୁତିକା। ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ କ୍ରମରେ ସେ ଲୁଣିପାଣି କୁମ୍ଭୀର ଓ ଅଲିଭ୍‌ ରିଡ୍‌ଲେ କଇଁଚ ଆଦି ପ୍ରାଣୀଙ୍କ ଅସ୍ତିତ୍ବ ରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି। ଏଥିସହ ହେନ୍ତାଳ ବଣ ସୃଷ୍ଟି ସହ ସ୍ଥାନୀୟ ଅଧିବାସୀଙ୍କୁ ବୃକ୍ଷରୋପଣ ଲାଗି ପ୍ରୋତ୍ସାହିତ କରିଥା’ନ୍ତି।

ନିଜ କାର୍ଯ୍ୟଧାରା ସଂପର୍କରେ ରୁତିକା କହନ୍ତି, ‘‘ଛାତ୍ରାବସ୍ଥାରୁ ହିଁ ମୁଁ ପ୍ରକୃତି ପ୍ରେମରେ ପଡ଼ିଥିଲି। ଧୀରେଧୀରେ ପ୍ରାଣୀଜଗତକୁ ଭଲପାଇବା ଆରମ୍ଭ କଲି। ସେମାନଙ୍କ ପାଇଁ ଜଙ୍ଗଲ, ଜଳ ଓ ପ୍ରକୃତି ସୁରକ୍ଷାର ଗୁରୁତ୍ବକୁ ଅନୁଭବ କଲି। ସେହି ସମୟରୁ ହିଁ ବୃକ୍ଷରୋପଣ ପ୍ରତି ଧ୍ୟାନ ଦେଇଥିଲି। ଏହାପରେ ବନ୍ୟପ୍ରାଣୀ-ମଣିଷ ସଂଘର୍ଷ ସମ୍ପର୍କରେ ଜାଣିଲି। ବିକାଶ ନାମରେ ମଣିଷ ବିନାଶ କରିଚାଲିଛି। ଏହି ପ୍ରକ୍ରିୟ‌ାରେ ବନ୍ୟପ୍ରାଣୀ ଓ ଜଳଚର ଜୀବ ବଳି ପଡ଼ିଯାଉଛନ୍ତି। ବାସସ୍ଥାନ ଓ ଖାଦ୍ୟାଭାବ ହେତୁ ଗାଁ ଓ ସହର ମଧ୍ୟକୁ ପଶି ମଣିଷମାନଙ୍କ ପାଇଁ ବିପଦ ସାଜୁଛନ୍ତି। ଏଣୁ ପରିବେଶ ପାଇଁ ଗଛ ଯେମିତି ଜରୁରି, ଜୈବବିବିଧତା ପାଇଁ ପ୍ରାଣୀଜଗତ ମଧ୍ୟ ସେହିଭଳି ଅତ୍ୟାବଶ୍ୟକ।’’

ଏହି ଲକ୍ଷ୍ୟ ସାଧନ ଲାଗି ରୁତିକା ସ୍ଥାନୀୟ ବାସିନ୍ଦା ଓ ଯୁବପିଢ଼ିଙ୍କୁ ସଚେତନ କରୁଛନ୍ତି। ଏଥିସହ ‘ୱାଇଲ୍‌ଡ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ’ ସହ ଯୋଡ଼ି ହୋଇ କୁମ୍ଭୀର ଓ ମଣିଷ ସଂଘର୍ଷକୁ କିଭଳି ସହାବସ୍ଥାନରେ ପରିଣତ କରିହେବ ସେ ନେଇ କାମ କରୁଛନ୍ତି। ‘ବିକାଶ ସାଥୀ’ ଅନୁଷ୍ଠାନ ସହ ଯୋଡ଼ି ହୋଇ ବହୁ ‘ନେଚର୍‌ କ୍ୟାମ୍ପ’ ଆୟୋଜନ କରୁଛନ୍ତି ରୁତିକା। ରୁତିକାଙ୍କ ମତରେ, କିଛି ବି ପରିବର୍ତ୍ତନ ପାଇଁ ପ୍ରଥମେ ଆମ ଯୁବପିଢ଼ି ସଚେତନ ହେବା ଉଚିତ। ଏଣୁ ଯଦି ସ୍କୁଲ୍‌ରୁ ହିଁ ପିଲାମାନଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ କାହିଁକି ଜରୁରି ବୁଝାଇ ପାରିବା ତେବେ ବଡ଼ ହୋଇ ସେମାନେ ଆପେ ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ଦିଗରେ ଆଗ୍ରହ ନେଇ ଏ ଦିଗରେ କାମ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର