ଜନ୍ମ ତାଙ୍କର ନୀଳଗିରିରେ, ମାମୁ ଘର ବାରିପଦା। ଏଥିପାଇଁ ତ’ ପ୍ରାକୃତିକ ବନାନୀ ଓ ପାହାଡ଼ ଘେରା ଅଞ୍ଚଳରେ ପିଲାଦିନୁ ବଢ଼ିଥିବା ବିଶ୍ବଜିତ ପଣ୍ଡାଙ୍କ ମନରେ ପ୍ରକୃତି ଓ ଜୀବଜନ୍ତୁଙ୍କ ପ୍ରତି ଅହେତୁକ ଦୁର୍ବଳତା। ଏଣୁ ଜୀବଜନ୍ତୁଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ବିଶ୍ବଜିତ ପ୍ରାଣୀବିଜ୍ଞାନରେ ସ୍ନାତକୋତ୍ତର ପରେ ଜୈବବିବିଧତା ସଂରକ୍ଷଣ ପରିସଂସ୍ଥାନରେ ପିଏଚ୍ଡି କରିଛନ୍ତି। ଏବେ ସେ ଉତ୍ତର ଓଡ଼ିଶାର ହାତୀ, ଭାଲୁ, ବିଭିନ୍ନ ପ୍ରକାର ପକ୍ଷୀ ଓ କୀଟପତଙ୍ଗଙ୍କ ଖାଦ୍ୟ, ବାସସ୍ଥାନ, ସ୍ଥାନାନ୍ତରଣ ଆଦି ସମ୍ପର୍କରେ ଅଧ୍ୟୟନ କରୁଛନ୍ତି। ସେ ‘ବିକାଶ ସାଥୀ’ ଅନୁଷ୍ଠାନ ଗଢ଼ି ଲୋକମାନଙ୍କୁ, ବିଶେଷ କରି ସ୍କୁଲ କଲେଜର ଛୋଟ ଛୋଟ ପିଲାମାନଙ୍କୁ, ପ୍ରକୃତି କୋଳରେ ଖେଳୁଥିବା ପଶୁପକ୍ଷୀଙ୍କ ସମ୍ପର୍କରେ ସଚେତନ କରାଉଛନ୍ତି।
ସମସ୍ତ ଜୀବଜନ୍ତୁ ଆମର ବହୁ କାମରେ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ଓ ବଂଶବୃଦ୍ଧିରେ ଆମ ସହଭାଗିତା ରହିବା ଅତ୍ୟନ୍ତ ଆବଶ୍ୟକ। ଏଣୁ ମୁଁ ଛୋଟ ପିଲାଙ୍କୁ ଜୀବଜନ୍ତୁଙ୍କ ସମ୍ପର୍କରେ ଅଧିକ ସଚେତନ କରିବାକୁ ନିଷ୍ପତ୍ତି ନେଇଛି।
ବିଶ୍ବଜିତ ତାଙ୍କ ଅନୁଷ୍ଠାନ ମାଧ୍ୟମରେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ନେଚର କ୍ୟାମ୍ପ ଆୟୋଜନ କରିଥା’ନ୍ତି। ସେ ଏହି କ୍ୟାମ୍ପରେ ପିଲାମାନଙ୍କୁ ପ୍ରାକୃତିକ ବିଭବ ଯଥା ବିଭିନ୍ନ ଗଛଲତା, ଫଳଫୁଲ, ଜୀବଜନ୍ତୁଙ୍କୁ ଚିହ୍ନାଇଥା’ନ୍ତି। ଏଥିସହ ପ୍ରକୃତି ପ୍ରତି କାହାର କ’ଣ ଗୁରୁତ୍ବ, ଅବଦାନ ଓ ଜୈବବିବିଧତାରେ ସହଭାଗିତା କାହାର କିଭଳି ରହିଛି, ସେ ସମ୍ପର୍କରେ ଜଣାଇଥା’ନ୍ତି। ବର୍ତ୍ତମାନ ସୁଦ୍ଧା ସେ ପଞ୍ଚଲିଙ୍ଗେଶ୍ବର, ଚାନ୍ଦବାଲି, ଶିମିଳିପାଳ ଓ କୁଲ୍ଡ଼ିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଆଦି ସ୍ଥାନରେ ୬ଟି ନେଚର କ୍ୟାମ୍ପ ଆୟୋଜନ କରିସାରିଲେଣି। ଏଥିସହ ଓଡ଼ିଶାକୁ ଆସୁଥିବା ନୂଆ ନୂଆ ବିଦେଶୀ ପକ୍ଷୀମାନଙ୍କ ସମ୍ପର୍କରେ ମଧ୍ୟ ସେ ଅନୁଧ୍ୟାନ କରିବା ସହ ରେକର୍ଡ ରଖୁଛନ୍ତି। ଏଥିସହ ହାତୀ ସୁରକ୍ଷା ମଞ୍ଚ, ଭାଲୁ ଓ ପେଙ୍ଗୁଇନଙ୍କ ସୁରକ୍ଷା ପାଇଁ ସେ ବିଭିନ୍ନ ସଚେତନତା ଶିବିର ବି ଆୟୋଜନ କରୁଛନ୍ତି।
ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଓ ସାମୁଦ୍ରିକ ଜୀବମାନଙ୍କ ରକ୍ଷା ଦିଗରେ ସେ କାମ କରୁଛନ୍ତି। ସମୁଦ୍ର କୂଳରେ ପଡୁଥିବା ପରିତ୍ୟକ୍ତ ଜାଲ, ଅଳିଆ ଯୋଗୁଁ ସାମୁଦ୍ରିକ ଜୀବ ସେଥିରେ ଫସି ମୃତ୍ୟୁବରଣ କରନ୍ତି। ପ୍ଲାଷ୍ଟିକ ଆଦି ଅଳିଆ ଖାଇ ପ୍ରାଣ ହରାନ୍ତି। ଏହାର ନିରାକରଣ ଲାଗି ସେ ଏକ ଅଭିଯାନ ଚଳାଇବା ସହ ସମୁଦ୍ର କୂଳ ସଫେଇ କରିଥାଆନ୍ତି। ସରକାରଙ୍କ ତରଫରୁ ‘ବିକାଶ ସାଥୀ’ ଅନୁଷ୍ଠାନକୁୁ ‘ପ୍ରକୃତି ମିତ୍ର’ ଓ ‘ପ୍ରକୃତିବନ୍ଧୁ’ ପୁରସ୍କାର ମିଳିଛି। ବିଶ୍ବଜିତ କହନ୍ତି, ‘‘ପ୍ରକୃତି ଓ ଏ ପୃଥିବୀ ଉପରେ ମଣିଷ ସହ ସମସ୍ତ ଜୀବଜନ୍ତୁଙ୍କର ସମାନ ଅଧିକାର ରହିଛି। ସମସ୍ତ ଜୀବଜନ୍ତୁ ଆମର ବହୁ କାମରେ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ଓ ବଂଶବୃଦ୍ଧିରେ ଆମ ସହଭାଗିତା ରହିବା ଅତ୍ୟନ୍ତ ଆବଶ୍ୟକ। ଏଣୁ ମୁଁ ଛୋଟ ପିଲାଙ୍କୁ ଜୀବଜନ୍ତୁଙ୍କ ସମ୍ପର୍କରେ ଅଧିକ ସଚେତନ କରିବାକୁ ନିଷ୍ପତ୍ତି ନେଇଛି।’’