ବୃତ୍ତିରେ ସେ ଶିକ୍ଷକ, କିନ୍ତୁ ନିଶା ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା। ଦୀର୍ଘ ପାଞ୍ଚ ଦଶକରୁ ଅଧିକ କାଳ ଧରି ନିରବଚ୍ଛିନ୍ନ ଭାବେ ପରିବେଶ ଅନୁକୂଳ ଓ ବନ୍ୟପ୍ରାଣୀକୁ ଖାଦ୍ୟ ଯୋଗାଉଥିବା ବୃକ୍ଷ ରୋପଣ କରି ସେ ସମସ୍ତଙ୍କ ପ୍ରେରଣା ସାଜିଛନ୍ତି, ଯାହା ତାଙ୍କୁ ଲୋକମୁଖରେ ‘ଗଛ ସାର୍‌’ ଭାବେ ପରିଚିତ କରାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ନୀଳମାଧବ ପୀଠ କଣ୍ଟିଲୋ ନିବାସୀ ଅନ୍ତର୍ଯ୍ୟାମୀ ସାହୁଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ପରିବେଶ ସୁରକ୍ଷା ଓ ସମୃଦ୍ଧି ପାଇଁ ସମର୍ପିତ କହିଲେ ଅତ୍ୟୁକ୍ତି ହେବନାହିଁ। ପାଠପଢ଼ି ଶିକ୍ଷକ ବୃତ୍ତି ଆପଣାଇବା ପରେ ବୌଦ୍ଧ, ଯାଜପୁର ଆଦି ଜିଲ୍ଲା ତାଙ୍କର କର୍ମକ୍ଷେତ୍ର ପାଲଟିଥିଲା। ଶିକ୍ଷକତା କରୁଥିବା ବେଳେ ସେ ଗାଁଗାଁ ବୁଲି ବନ୍ୟପ୍ରାଣୀଙ୍କ ପାଇଁ ଉପାଦେୟ ବୃକ୍ଷ ଲଗାଇବାକୁ ‌ଲୋକଙ୍କୁ ସଚେତନ କରୁଥିଲେ ଓ ନିଜେ ସବୁଜ ବଳୟ ସୃଷ୍ଟି କରୁଥିଲେ। ଅବସର ପରେ ଏ ନିଶା ଆହୁରି ବଢ଼ିଯାଇଛି।

Advertisment

ତାଙ୍କ ଘରକୁ ଦେଖିଲେ ଯେ କେହି ବି କହିଦେବେ ଯେ ଏହା ‘ଗଛ ସାର୍‌’ଙ୍କ ଘର। ସେ ଘରେ ବିଭିନ୍ନ ପଶୁପକ୍ଷୀଙ୍କ ପାଇଁ ବସା କରିଛନ୍ତି। ନିଜ ବାଡ଼ିରେ ପଶୁପକ୍ଷୀଙ୍କୁ ଖାଇବାକୁ ଦେବା ସହ ସଚେତନଧର୍ମୀ ପୋଷ୍ଟର୍‌ ଓ ବ୍ୟାନର୍‌ ଲଗାଇଛନ୍ତି। ବିଲୁପ୍ତ ହୋଇଯାଉଥିବା ଅନେକ ଗଛର ମଞ୍ଜି ସଂଗ୍ରହ ଓ ବଣ୍ଟନ ସହ ସେ ଚାରା ବି ପ୍ରସ୍ତୁତ କରୁଛନ୍ତି। କଣ୍ଟିଲୋ ଅଞ୍ଚଳରେ ବହୁ ସଂଖ୍ୟାରେ ତାଳ, ଆମ୍ବ, ଖଜୁରୀ ଓ ବର ଆଦି ଗଛ ଲଗାଇଛନ୍ତି। ଭାପୁର ବ୍ଲକ୍‌ ଧାନଚାଙ୍ଗଡ଼ା ପଞ୍ଚାୟତ କାଳିଆପଲ୍ଲୀରେ ‘ବିଶ୍ୱାବସୁ ଉଦ୍ୟାନ’ ଓ ‘ଲଳିତା ଦେବୀ ଉଦ୍ୟାନ’ ନାମରେ ଦୁଇଟି ବଡ଼ ବଗିଚା ସେ ପ୍ରତିଷ୍ଠା କରିଛନ୍ତି।

ଏଥିସହ ଦଶପଲ୍ଲା ବନାଞ୍ଚଳରେ ଦେଖାଯାଉଥିବା ଔଷଧୀୟ ଗୁଣ ଥିବା ଅରଗୁଣା ବୃକ୍ଷକୁ ମାଫିଆମାନେ ଶାଗମାଛ ଦରରେ ପଶ୍ଚିମବଙ୍ଗରେ ବିକ୍ରି କରୁଛନ୍ତି। ଏହାର ସୁରକ୍ଷା ଓ ନୂତନ ବୃକ୍ଷରୋପଣ ପାଇଁ ସେ ୨୦ ବର୍ଷ ହେଲା ଅଭିଯାନ ଚଳାଇଛନ୍ତି। ଗଛ ସାର୍‌ଙ୍କ ବୃକ୍ଷପ୍ରୀତି ପାଇଁ ତାଙ୍କୁ ୧୯୯୦ ମସିହାରେ ‘ବନବନ୍ଧୁ ପୁରସ୍କାର’, ୧୯୯୫ରେ ‘ପ୍ରକୃତି ବନ୍ଧୁ ସମ୍ମାନ’, ୨୦୧୬ରେ ‘ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ସଂରକ୍ଷଣ ପୁରସ୍କାର’ ପ୍ରଦାନ କରାଯାଇଛି। ଏନେଇ ଗଛ ସାର୍‌ କହନ୍ତି, ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କରାଯାଉଛି, କିନ୍ତୁ ଯେଉଁ ଗଛର ଫଳ ଖାଇ ପଶୁପକ୍ଷୀମାନେ ବଞ୍ଚିବେ ସେଭଳି ବୃକ୍ଷରୋପଣ କରାଯାଉ ନାହିଁ। ଆଙ୍କୁଲ, ଡିମିରି, କଣ୍ଟାଶିମିଳି ଭଳି ୪୦ ପ୍ରକାରରୁ ଅଧିକ ଗଛ ଲଗାଇବାର ଆବଶ୍ୟକତା ରହିଛି।’’