ତାଳ ଖାଇବାକୁ ଯେତିକି ମଧୁର, ପରିବେଶ ପାଇଁ ତାଳଗଛ ସେତିକି ଉପକାରୀ। ଏହା ବଜ୍ରପାତକୁ ପ୍ରତିହତ କରିବା ସହ ଭୂତଳ ଜଳ ସଂରକ୍ଷଣରେ ଗୁରୁଦାୟିତ୍ବ ନିର୍ବାହ କରେ। ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ ହୋଇଥିବା ବେଳେ ପ୍ରକୃତି ମା’ ଏଥିରୁ ରକ୍ଷା ପାଇଁ ଓଡ଼ିଶାର ପୁରପଲ୍ଲୀରେ ବହୁ ସଂଖ୍ୟାରେ ତାଳଗଛ ଲଗାଯାଇଥିଲା। େହଲେ ଅତ୍ୟାଧୁନିକ ଜୀବନଶୈଳୀ ହେତୁ କୋଠାବାଡ଼ି, ହୋଟେଲ, କଳକାରଖାନା ଗଢ଼ିତୋଳିବା ଉଦ୍ଦେଶ୍ୟରେ ଆମେ ତାଳବଣ ସବୁ କାଟି ଚାଲିଲୁ। ଫଳସ୍ବରୂପ ଆଜି ସାମୁଦ୍ରିକ ଅଞ୍ଚଳରେ ମଧୁର ଜଳ ମିଳିବା କଷ୍ଟକର ହୋଇପଡ଼ିଥିବା ବେଳେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ପରିବେଶର ଏସବୁ ବିପର୍ଯ୍ୟୟକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଅବସରପ୍ରାପ୍ତ ସ୍ୱତନ୍ତ୍ର ସଚିବ ନିଧି କୁମାର ରାଉତରାୟ ତାଳ ମଞ୍ଜି ରୋପଣରେ ନିଜକୁ ନିୟୋଜିତ କରିଛନ୍ତି।
୨୦୨୨ ଜୁଲାଇରେ ଚାକିରିରୁ ଅବସର ନେବା ପରେ ପ୍ରକୃତି ସୁରକ୍ଷା ପାଇଁ କିଛି କରିବାକୁ ନିଧି ନିଷ୍ପତ୍ତି ନେଇଥିଲେ। ସେ ନିଜ ଗାଁ ସମେତ ଉପକୂଳ ଓଡ଼ିଶାରେ ତାଳଗଛ ଲଗାଇବା ପ୍ରତି ମନୋନିବେଶ କରିଥିଲେ। ନିଜ ଉଦ୍ୟମରେ ବର୍ତ୍ତମାନ ସୁଦ୍ଧା ପୁରୀ ଓ ପାରାଦୀପ ଉପକୂଳ ଅଞ୍ଚଳରେ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୩୧ ହଜାର ତାଳଗଛ ଲଗାଇ ସାରିଛନ୍ତି।
ପ୍ରଥମେ ସେ ନିରାକାରପୁର ଅଞ୍ଚଳରେ ଥିବା ନିଜ ଗାଁ ବେଣାଗାଁ ସମେତ ବକୁ ଓ ଲେଣ୍ଡୁ ଗାଁର କେତେକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଓ ଗ୍ରାମବାସୀଙ୍କ ସହଯୋଗରେ ସର୍ବପ୍ରଥମେ ୨୨ ହଜାର ତାଳ ମଞ୍ଜି ସଂଗ୍ରହ କରିଥିଲେ। ସାଧାରଣତଃ ଜୁଲାଇ ଓ ଅଗଷ୍ଟ ମାସରେ ତାଳମଞ୍ଜି ସଂଗ୍ରହ ହୋଇଥାଏ ଏବଂ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହି ମଞ୍ଜି ଲଗାଯାଇଥାଏ। ସମୟ ମୁତାବକ ସଂଗୃହୀତ ହୋଇଥିବା ୨୨ ହଜାର ତାଳମଞ୍ଜିକୁ ପ୍ରଥମେ ନିଧି ଓ ତାଙ୍କ ସହଯୋଗୀ କୋଣାର୍କ, ବ୍ରହ୍ମଗିରି ଓ ଅସ୍ତରଙ୍ଗ ଉପକୂଳ ଅଂଚଳରେ ରୋପଣ କରିଥିଲେ। ଚଳିତ ବର୍ଷ ଅକ୍ଟୋବର ଶେଷ ବେଳକୁ ପ୍ରାୟ ୧୧ ହଜାର ତାଳମଞ୍ଜି ପାରାଦୀପ, କୁଜଙ୍ଗ ଓ ଅସ୍ତରଙ୍ଗ ଅଂଚଳରେ ସଫଳତାର ସହ ଲଗାଯାଇଛି।
ଶ୍ରୀ ରାଉତରାୟ କହିଛନ୍ତି, ‘‘ତାଳଗଛ ସଙ୍ଗେସଙ୍ଗେ ଉପକାର ପ୍ରଦାନ କରି ନଥାଏ। ଦୀର୍ଘକାଳୀନ ଭିତ୍ତିରେ ଏହା ମଣିଷ ସମାଜ ପାଇଁ ଅତ୍ୟନ୍ତ ମୂଲ୍ୟବାନ୍ ପାଲଟିଯାଏ। ୨୦ ବର୍ଷ ପରେ ତାଳଗଛ ବଜ୍ରପାତ, ବାତ୍ୟା, ବନ୍ୟା ଓ ସାମୁଦ୍ରିକ ଜୁଆରରୁ ଧନଜୀବନକୁ ସୁରକ୍ଷା ଯୋଗାଇବାରେ ସକ୍ଷମ ହୋଇଥାଏ।’’
ଅନ୍ୟପକ୍ଷରେ ତାଳଗଛ ଗ୍ରାମ୍ୟ ଅର୍ଥନୀତି ଓ ଖାଦ୍ୟ ଶୃଙ୍ଖଳାକୁ ସୁରକ୍ଷିତ ଓ ସମୃଦ୍ଧ କରିଥାଏ। ତାଳପତ୍ର, ତାଳଗଛ ଗଣ୍ଡି, ତାଳରୁ ପ୍ରସ୍ତୁତ ତାଳଗୁଡ଼ ଓ ମିଶ୍ରି ପ୍ରଭୃତିର ଚାହିଦା ଆଜି ବି ବିଶ୍ୱ ବଜାରରେ ବେଶ୍ ଅଧିକ। ମାଟିର ସୁରକ୍ଷା ପାଇଁ ତାଳପତ୍ର ପ୍ୟାକିଂ ହେଉଛି ସବୁଠାରୁ ଉନ୍ନତ ପ୍ୟାକିଂ ବ୍ୟବସ୍ଥା। ଗ୍ରାମ୍ୟ କୁଟୀର ଶିଳ୍ପକୁ ତାଳଗଛ ଅତ୍ୟନ୍ତ ସମୃଦ୍ଧ କରିବାରେ ସହାୟକ ହୋଇପାରିବ।