କୁଷ୍ଠରୋଗ ହେଉ ବା ଯକ୍ଷ୍ମା, ସରକାରୀ ଯୋଜନା ହେଉ ବା ଟିକାକରଣ; ଏସବୁ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ ନାଟକ ହେଉଛି ଏକ ଉତ୍କୃଷ୍ଟ ମାଧ୍ୟମ। ଏଣୁ ପରିବେଶ ସୁରକ୍ଷା ଭଳି ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଭୁବନେଶ୍ବରର ଶ୍ରୀକାନ୍ତ ଶେଖର ସାହୁ ପଥପ୍ରାନ୍ତ ନାଟକକୁ ସାଧନ ଭାବେ ବାଛି ନେଇଛନ୍ତି। ଆଜିକୁ ୯ ବର୍ଷ ହେଲା ସେ କୁନି କୁନି ପିଲାମାନଙ୍କୁ ନେଇ ପଥପ୍ରାନ୍ତ ନାଟକ କରି ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଉଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପମାତ୍ରା ବୃଦ୍ଧି ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷା ଆମ ପାଇଁ କିଭଳି ଏକ ଆହ୍ବାନ ପାଲଟିଛି ସେଥିପାଇଁ ସ୍କୁଲ ଓ କଲେଜରେ ପଥପ୍ରାନ୍ତ ନାଟକ କରିବା ସହ କଟକ, କୋରାପୁଟ, କଳାହାଣ୍ଡି, ପାରାଦୀପ ଓ ପାରଳାଖେମୁଣ୍ଡିର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଓ ଜୁନିଅର୍ କଲେଜମାନଙ୍କରେ ପରିବେଶ ଉପଯୋଗୀ କର୍ମଶାଳା ପରିଚାଳନା କରିଆସୁଛନ୍ତି।
ପୂର୍ବଘାଟ ପର୍ବତମାଳାର ସୁରକ୍ଷା ଦିଗରେ ଶ୍ରୀକାନ୍ତ ଏକ ସଚେତନତା ଜନଆନ୍ଦୋଳନ ଗଢ଼ି ତୋଳିଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ପୂର୍ବଘାଟ ପର୍ବତମାଳା, ଗୁପ୍ତେଶ୍ବରର ସୁରକ୍ଷା ନିମନ୍ତେ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଆସୁଛନ୍ତି। ଏହାର ଫଳସ୍ବରୂପ ନିକଟରେ ଗୁପ୍ତେଶ୍ବର ‘ଓଡ଼ିଶାର ଚତୁର୍ଥ ଜୈବବିବିଧତା ଐତିହ୍ୟସ୍ଥଳୀ’ର ମାନ୍ୟତା ପାଇଛି। ଶ୍ରୀକାନ୍ତ ଗୁପ୍ତେଶ୍ବରରେ ସ୍ଥାନୀୟ ଯୁବକମାନଙ୍କୁ ନେଇ ମାସକୁ ଦୁଇ ଥର ପଲିଥିନ୍ ସଫେଇ କାର୍ଯ୍ୟ କରିବା ସହ ପଲିଥିନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କୁ ସଚେତନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ ୨୦୦ରୁ ଅଧିକ ବିଦ୍ୟାଳୟ ଓ ପାଖାପାଖି ୫୦ ମହାବିଦ୍ୟାଳୟରେ ପରିବେଶ ସଚେତନତା କର୍ମଶାଳା ପରିଚାଳନା କରିସାରିଛନ୍ତି।
‘ପ୍ରକୃତିର ଯତ୍ନ ହିଁ ମନୁଷ୍ୟ ଯତ୍ନ’- ଏ ମନ୍ତ୍ରକୁ ଛୋଟ ଛୋଟ ପିଲାମାନଙ୍କ ଜରିଆରେ ପଥପ୍ରାନ୍ତ ନାଟକରେ ସେ ପ୍ରଚାର ଓ ପ୍ରସାର କରିଆସୁଛନ୍ତି। ସେ କୁହନ୍ତି, ‘ଖାଲି ଗଛ ଲଗାଇଦେଲେ କିମ୍ବା ଭାଷଣରେ ପରିବେଶ ସୁରକ୍ଷା କଥା କହିଲେ, ଏହା ସମ୍ଭବ ହୋଇପାରିବ ନାହିଁ। ଭବିଷ୍ୟତର ପରିବେଶକୁ ସୁରକ୍ଷିତ କରିବାକୁ ହେଲେ ଏବଂ ଜଳବାୟୁ ତଥା ବିଶ୍ବ ତାପମାତ୍ରା ବୃଦ୍ଧି ବିପଦର ମୁକାବିଲା କରିବା ପାଇଁ ଆମକୁ ଆଜିର ଜଙ୍ଗଲ ବଞ୍ଚାଇବା ସହ ଆଗାମୀ ପିଢ଼ିକୁ ସଚେତନ କରିବା ନିତାନ୍ତ ଆବଶ୍ୟକ। ଯଦି ଆମେ ଗ୍ରାମ୍ୟ ଜଙ୍ଗଲ, ପୋଖରୀ ଓ ଜଳାଶୟଗୁଡ଼ିକୁ ସୁରକ୍ଷା ନ ଦେଇପାରିବା ତେବେ ତୃଣମୂଳସ୍ତରରେ ଜଳବାୟୁ ପରିବର୍ତ୍ତନକୁ ଆମେ ନିୟନ୍ତ୍ରଣ କରିପାରିବା ନାହିଁ। ଓଡ଼ିଶାର ପରିବେଶ ଓ ଜୈବ ବିବିଧତାକୁ ସୁରକ୍ଷିତ ରଖିବାକୁ ହେଲେ ପୂର୍ବଘାଟ ପର୍ବତମାଳାର ସୁରକ୍ଷା ନିତାନ୍ତ ଆବଶ୍ୟକ।’