ଢେଙ୍କାନାଳ ଜିଲ୍ଲାର ଅନୁପମା ରାଉତ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ହେବ ପରିବେଶ ସୁରକ୍ଷା କ୍ଷେତ୍ରରେ ସକ୍ରିୟ ରହିଛନ୍ତି। ତାଙ୍କ ପରିଚାଳିତ ସଂସ୍ଥା ‘ଜଏଣ୍ଟ୍ ଏଣ୍ଡେଭର୍ ଫର୍ ଇମେନ୍ସିପେସନ୍ ଟ୍ରେନିଙ୍ଗ୍ ଆଣ୍ଡ୍ ଆକ୍ସନ୍ ଅଫ୍ ୱିମେନ୍’ (ଜିତା)୧୯୯୪ ମସିହାରୁ ଓଡ଼ିଶାର ଅନଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ଗ୍ରାମଗୁଡ଼ିକରେ ଜନସଚେତନତାମୂଳକ କାର୍ଯ୍ୟ ଚଳାଇ ଆସିଛି। ନାରୀ ସଶକ୍ତୀକରଣ, ଜୀବିକା ଓ ଖାଦ୍ୟ ନିରାପତ୍ତା, ଜଳ, ସ୍ଥାନୀୟ ପ୍ରଶାସନ ଓ ଶିକ୍ଷା ଏବଂ ଶିଶୁ ଅଧିକାର ଭଳି କ୍ଷେତ୍ରରେ ‘ଜିତା’ ମୁଖ୍ୟତଃ ଧ୍ୟାନ ଦେଇଥାଏ। ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ହେଉଛି ‘ଜିତା’ର ଅନ୍ୟତମ ପ୍ରମୁଖ ଉପକ୍ରମ।
‘ଜିତା’ ଇଂଲଣ୍ଡ୍ର ‘ଗ୍ଲୋବାଲ୍ ଗ୍ରିନ୍ ଗ୍ରାଣ୍ଟ୍ସ୍ ଫଣ୍ଡ୍’ (ଜିଜିଏଫ୍) ସହାୟତାରେ ‘ଜଙ୍ଗଲ ସାଥୀ’ ଓ ‘ୱାଇଲ୍ଡ୍ଲାଇଫ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ’ ସହାୟତାରେ ‘ଜଙ୍ଗଲ ମିତ୍ର’ କାର୍ଯ୍ୟକ୍ରମ ଚଳାଇଛି। ଏହି ସଂଗଠନ ସହ ଜଡ଼ିତ ଯୁବକର୍ମୀ ଜଙ୍ଗଲ, ଜୈବ-ପରିବେଶ ସୁରକ୍ଷା ସାଙ୍ଗକୁ ହାତୀ, ହରିଣ ଓ ପକ୍ଷୀ ସୁରକ୍ଷା କ୍ଷେତ୍ରରେ ଅଂଶଗ୍ରହଣ କରନ୍ତି। ସେମାନେ ଜଳ ଅମଳ ସଂରଚନା ପୁନରୁଦ୍ଧାରରେ ବି ସକ୍ରିୟ। ଏହା ବ୍ୟତିରେକେ, ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଜନସଚେତନା ପ୍ରସାର କରୁଥିବା ‘ଜିତା’ ୨୦୦୪ ମସିହାରୁ ମହିଳା ଚାଷୀଙ୍କ ସହ ଜୈବିକ କୃଷି କାର୍ଯ୍ୟକ୍ରମ ବି କରିଆସୁଛି। ଦେଶୀ ବିହନ ଚାଷ ଓ ତାହାର ସଂରକ୍ଷଣ ଏହାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଉଦ୍ୟମ।
‘ଜିତା’ର ସଂପାଦିକା ଅନୁପମା କଲମ୍ବୋରେ ଅନୁଷ୍ଠିତ ‘ଅନ୍ତର୍ଜାତୀୟ ୱାଟର କଂଗ୍ରେସ’ରେ ଯୋଗ ଦେଇ ଦେବଗଡ଼ ଜିଲ୍ଲାରେ ଜଳ ସଂରକ୍ଷଣ ତଥା ସ୍ୱଚ୍ଛତା ପ୍ରସାରର ଅନୁଭୂତି ଉପସ୍ଥାପନା କରିଥିଲେ। ‘ଇଣ୍ଟରନେସ୍ନାଲ୍ ଵାଟର୍ ଆସୋସିଏସନ୍’ର ସଭ୍ୟା ଭାବେ ସେ ବିଭିନ୍ନ ସମୟରେ ଜଳ ସମସ୍ୟା ଓ ତା’ର ସଂରକ୍ଷଣ ଉପରେ ମତାମତ ରଖୁଛନ୍ତି। ସଂଗଠନର ଜଙ୍ଗଲ ସାଥୀ ସ୍ବେଚ୍ଛାସେବୀମାନେ ବନ ବିଭାଗ ସହଯୋଗରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରକାର ଚାରା ବଣ୍ଟନ କରନ୍ତି। ପାଳଲହଡ଼ାର ଆଠଟି ଗ୍ରାମରେ ଜଳ ସଂରକ୍ଷଣ, ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା, ଘରଚଟିଆ ସଂରକ୍ଷଣ, ଜୈବିକ କୃଷି ପ୍ରଭୃତି କାର୍ଯ୍ୟକ୍ରମ ଚାଲୁ ରହିଛି ବୋଲି ଅନୁପମା ରାଉତ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fhfshfshfst.jpg)