ଓଡ଼ିଶାରେ ଜମି, ଜଳ ଓ ଜଙ୍ଗଲର ସୁରକ୍ଷା ନିମନ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ପରିବେଶ କର୍ମୀଙ୍କ ମଧ୍ୟରୁ ଶଙ୍କର ପ୍ରସାଦ ପାଣି ଅନ୍ୟତମ। ଜନସଚେତନତା ସୃଷ୍ଟିଠାରୁ ଜନଆନ୍ଦୋଳନ, ଆଇନ ଯୁଦ୍ଧରୁ ନେଇ ପରିବେଶ ସଂରକ୍ଷଣ ପର୍ଯ୍ୟନ୍ତ ବିଭିନ୍ନ ମାର୍ଗ ଅବଲମ୍ବନ କରି ପ୍ରକୃତିର ବରଦାନକୁ ସୁରକ୍ଷିତ ରଖିବାକୁ ସେ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛନ୍ତି। ୧୯୯୯ ମସିହାରେ ଜୀବ ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଜୀବଜଗତ ଉପରେ ପରିବେଶର ପ୍ରଭାବ ଓ ଏହାର ସୁରକ୍ଷା ବିଷୟରେ ସେ ଗଭୀର ଅଧ୍ୟୟନ କରିଥିଲେ। ଯଦି ଜମି, ଜଳ ଓ ଜଙ୍ଗଲ ଆଦି ପ୍ରାକୃତିକ ସଂପଦର ସୁରକ୍ଷା ନ ହୁଏ, ତେବେ ମାନବ ସମାଜ ଅଦିନରେ ଧ୍ବଂସ ପାଇଯିବାର ଆଶଙ୍କା ତାଙ୍କୁ ବିଚଳିତ କରିଥିଲା। ସେ କାଳବିଳମ୍ବ ନକରି ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ।
ଜଣେ ପରିବେଶ ଯୋଦ୍ଧା ଭାବେ ଜୀବନର ଆଦ୍ୟ ସଂଗ୍ରାମର କାହାଣୀ ବର୍ଣ୍ଣନା କରି ସେ କହନ୍ତି, ‘‘ଏକଦା ସୁନ୍ଦରଗଡ଼ର ଲହୁଣିପଡ଼ା ତହସିଲ ଅନ୍ତର୍ଗତ ପାହାଡ଼ିଆ କିସମର କପଣ୍ଡ ଜଙ୍ଗଲ ଗଛରେ ଆଚ୍ଛାଦିତ ଥିଲା, କିନ୍ତୁ ଏହା ଜଙ୍ଗଲ କିସମରେ ରେକର୍ଡଭୁକ୍ତ ହୋଇନଥିଲା। ଏହାର ୧୦୦ ମିଟର ଦୂରରେ କୁକିଆ ସଂରକ୍ଷିତ ଜଙ୍ଗଲ ରହିଛି। ସେଠାରେ ଏକ ସ୍ପଞ୍ଜ କାରଖାନା ସ୍ଥାପନ ପାଇଁ କପଣ୍ଡ ଜଙ୍ଗଲ ଜମିକୁ ଦଖଲ କରାଗଲା। ସେତେବେଳେ ମୋର ମନ ବହୁତ ଆନ୍ଦୋଳିତ ହୋଇଥିଲା।
‘‘ଆର୍ଦ୍ରଭୂମି ହେଉଛି ପୃଥିବୀର ଫୁସ୍ଫୁସ୍। ଯଦି ଏହାର ସୁରକ୍ଷା ନ କରାଯାଏ, ତେବେ ଜୈବବିବିଧତା ଓ ପରିସଂସ୍ଥାନ ସୁରକ୍ଷା ଅସମ୍ଭବ।’’
ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କର ଦୁଃଖ ଦେଖିବା ପରେ, ଏହାର ସୁରକ୍ଷା ପାଇଁ ମୁଁ ଅଣ୍ଟା ଭିଡ଼ିଥିଲି। କିନ୍ତୁ ଏହା ଥିଲା ଏକ ଆଇନଗତ ଲଢ଼େଇ। ମୁଁ ଅନୁଭବ କରିଥିଲି ଆଇନରେ କୌଣସି ଡିଗ୍ରି ହାସଲ ନ କରିପାରିଲେ, ଜନସାଧାରଣଙ୍କୁ ଜମି, ଜଳ ଓ ଜଙ୍ଗଲ ଅଧିକାରର ସୁରକ୍ଷା ଯୋଗାଇବା ସମ୍ଭବ ହୋଇପାରିବ ନାହିଁ। ଏଥିପାଇଁ ମୁଁ ଆଇନରେ ସ୍ନାତକ ଡିଗ୍ରି ହାସଲ କରି, ପରିବେଶ ଆଇନ ଉପରେ ଅଧିକ ଗବେଷଣା କରିଥିଲି।’’
ପରିବେଶର ସୁରକ୍ଷା ପାଇଁ ଆଇନଗତ ଭାବେ ଲଢ଼ିବାକୁ ଶଙ୍କର ପାଣି କୋର୍ଟକଚେରିରୁ ନେଇ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ରେ ଅନେକ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ହାତୀ କରିଡର ସୁରକ୍ଷା ଆନ୍ଦୋଳନ ଆରମ୍ଭ କରିବାରେ ସେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ଏହାସହ ଓଡ଼ିଶାର ଆର୍ଦ୍ରଭୂମିର ସୁରକ୍ଷା ପାଇଁ ଆଇନଗତ ଲଢ଼େଇ ଜାରି ରଖିଛନ୍ତି। ଓଡ଼ିଶା ଆର୍ଦ୍ରଭୂମିର ସୁରକ୍ଷା ଓ ସଚେତନତା ପାଇଁ ଏକ ଗଣଆନ୍ଦୋଳନ ଆରମ୍ଭ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତିତ୍ବ। ସୁକିନ୍ଦାପାଟ ଭଳି ଦୃଷ୍ଟିର ଆଢ଼ୁଆଳରେ ରହିଯାଇଥିବା ଓଡ଼ିଶାର ଏକାଧିକ ଆର୍ଦ୍ରଭୂମିକୁ ଚିହ୍ନଟ କରି ସେ ତାହାର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛନ୍ତି।
ଏ ପ୍ରସଙ୍ଗରେ ଶ୍ରୀ ପାଣି କହନ୍ତି, ‘‘ଆର୍ଦ୍ରଭୂମି ହେଉଛି ପୃଥିବୀର ଫୁସ୍ଫୁସ୍। ଯଦି ଏହାର ସୁରକ୍ଷା ନ କରାଯାଏ, ତେବେ ଜୈବବିବିଧତା ଓ ପରିସଂସ୍ଥାନ ସୁରକ୍ଷା ଅସମ୍ଭବ। ଓଡ଼ିଶାରେ ଏମିତି ଅନେକ ଆର୍ଦ୍ରଭୂମି ରହିଛି, ଯାହାକି ଜନସାଧାରଣ ଚିହ୍ନଟ କରିପାରିନାହାନ୍ତି ଏବଂ ଏହାର ସୁରକ୍ଷା ପ୍ରତି ଆମେ ଯତ୍ନଶୀଳ ନୋହୁଁ। ଏହା ଜାଣିବା ପରେ ମୁଁ ଆର୍ଦ୍ରଭୂମି ସଂରକ୍ଷଣକୁ ପ୍ରାଧାନ୍ୟ ଦେଇଥିଲି। ଚିଲିକା ଓ ଅଂଶୁପା ଭଳି ତାମ୍ପରା ଓ ସୁକିନ୍ଦାପାଟ ଆର୍ଦ୍ରଭୂମିର ବି ସୁରକ୍ଷା ଜରୁରି।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/fhfhssfhfhfh.jpg)