ବିଗତ କେତେ ଦଶନ୍ଧି ହେବ ମନୁଷ୍ୟ ନିଜର ସ୍ୱାର୍ଥସାଧନ ଓ ଅନାବଶ୍ୟକ ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ପ୍ରକୃତିକୁ ଅପବ୍ୟବହାର କରି ଚାଲିଛି। ଏହାଦ୍ବାରା ପରିବେଶ ଅଧିକ ମାତ୍ରାରେ ଅସନ୍ତୁଳିତ ହୋଇପଡ଼ିଛି। ଫଳତଃ, ବିଶ୍ୱ ତାପମାନ ମାତ୍ରାଧିକ ବୃଦ୍ଧି ହୋଇ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ହୋଇଛି। ପରିବେଶ ସଜାଡ଼ିବାର ଦାୟିତ୍ୱ ଆମ ସମସ୍ତଙ୍କର। ଅସଜଡ଼ା ପରିବେଶକୁ ସନ୍ତୁଳିତ କରିବାର ଦାୟିତ୍ବରେ ଆମର କ୍ଷୁଦ୍ରାତିକ୍ଷୁଦ୍ର ଯୋଗଦାନର ଆବଶ୍ୟକତାକୁ ହୃଦୟଙ୍ଗମ କରି ସେବାନିବୃତ୍ତ ବରିଷ୍ଠ ନାଗରିକ ୨୦୨୧ ଜୁଲାଇ ମାସରେ ‘ପରିବେଶ ସୁରକ୍ଷା ଅଭିଯାନ’ ନାମରେ ଏକ ପରିବେଶ ସମିତି ଗଠନ କଲେ। ପ୍ରକୃତିବନ୍ଧୁ ପ୍ରଦୀପ କୁମାର ରଥ, ରଘୁନାଥ ପୃଷ୍ଟି, ନମିତା ମହାପାତ୍ର, ପ୍ରଫେସର କଲ୍ୟାଣୀ ମହାନ୍ତି, ଦିଲ୍ଲୀପ ମିଶ୍ର ଓ ନାରାୟଣ ତ୍ରିପାଠୀ ପ୍ରମୁଖ ଏହି ସମିତିର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। କାଳକ୍ରମେ ଗୋପୀକଲ୍ୟାଣ ମହାପାତ୍ର, ରାଜେନ୍ଦ୍ର କୁମାର ଦାସ ଓ ଦେବୀପ୍ରସନ୍ନ ମହାନ୍ତି ପ୍ରମୁଖ ସେବା ନିବୃତ୍ତ ବରିଷ୍ଠ ନାଗରିକ ଏଥିରେ ଯୋଗ ଦେଲେ। ନିଜର ସ୍ୱଳ୍ପ ପେନ୍‌ସନ୍‌ରୁ କିଛି କିଛି ଦାନ କରି ଓ ଅବସର ସମୟର ଅଧିକାଂଶ ସମୟକୁ ବିନିଯୋଗ କରି ପରିବେଶ ପାଇଁ କିଛି କରିବାର ସ୍ବପ୍ନ ନେଇ ବାହାରି ଆସିଲେ।

Advertisment

ଅସଜଡ଼ା ପରିବେଶକୁ ସନ୍ତୁଳିତ କରିବାରେ ନିଜସ୍ବ ଯୋଗଦାନର ଆବଶ୍ୟକତାକୁ ହୃଦୟଙ୍ଗମ କରି ସମମନସ୍କ ସେବାନିବୃତ୍ତ ବରିଷ୍ଠ ନାଗରିକମାନେ ୨୦୨୧ରେ ‘ପରିବେଶ ସୁରକ୍ଷା ଅଭିଯାନ’ ଗଠନ କରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି।

ଯଦିଓ ଏହା ଏକ ରାଜ୍ୟ ସଂଗଠନ ଭାବରେ ୨୦୨୨ ଜୁଲାଇ ୨ ତାରିଖରୁ ପଞ୍ଜୀକୃତ ହେଲା, ଦୁଇ ବର୍ଷ ଦଶ ମାସର ଅବଧିରେ ପରିବେଶ ସୁରକ୍ଷା ଅଭିଯାନ ବୃକ୍ଷରୋପଣ, ଫଳଚାରା ବଣ୍ଟନ, ଜଳ ସଂରକ୍ଷଣ ଓ ଜଳର ସଦୁପଯୋଗ, ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ଓ ପ୍ଲାଷ୍ଟିକ ପ୍ରଦୂଷଣ ଦୂର କରିବା ଇତ୍ୟାଦିକୁ ନେଇ କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୧ରୁ ଅଧିକ କାର୍ଯ୍ୟକ୍ରମ କରିସାରିଛି। ପ୍ରାୟ ୩ ବର୍ଷର କାର୍ଯ୍ୟକଳାପ ମଧ୍ୟରେ ‘ପରିବେଶ ସୁରକ୍ଷା ଅଭିଯାନ’ର ସଦସ୍ୟ/ସଦସ୍ୟାମାନେ ଅନୁଭବ କରିଛନ୍ତି, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ପରିବେଶ ସୁରକ୍ଷା ଓ ସଂରକ୍ଷଣ ପାଇଁ ବେଶ ଆଗ୍ରହୀ ଓ ସ୍ପର୍ଶକାତର। ଏଣୁ ଉପରୋକ୍ତ ଅଧିକାଂଶ କାର୍ଯ୍ୟକ୍ରମ ସେମାନଙ୍କ ପାଇଁ କରାଯାଇଛି।
‘ପରିବେଶ ସୁରକ୍ଷା ଅଭିଯାନ’ ବିଶ୍ୱାସ କରେ ‘ନାରୀ ଓ ପିଲାମାନେ ହେଲେ ସଚେତନ- ପରିବେଶ ହେବ ପରିବର୍ତ୍ତନ’। ନିକଟ ଅତୀତରେ ଗ୍ରୀଷ୍ମର ଅସହ୍ୟ ଉତ୍ତାପକୁ ଭ୍ରୂକ୍ଷେପ ନ କରି ପରିବେଶ ସୁରକ୍ଷା ଅଭିଯାନର ସଦସ୍ୟମାନେ ପୁରୀର ବିଭିନ୍ନ ହୋଟେଲରେ ବୁଲି କ୍ରମାଗତ ଭାବରେ ହ୍ରାସ ହେଉଥିବା ଭୂତଳ ଜଳସ୍ତର ବୃଦ୍ଧି କରିବା ଲକ୍ଷ୍ୟରେ ‘ବର୍ଷା ଜଳ ଅମଳ’ ଆବଶ୍ୟକତା ସମ୍ପର୍କରେ ସଚେତନ କରାଇଥିଲେ। ଗତ ମାର୍ଚ୍ଚ ୨୨ ତାରିଖରେ ‘ବିଶ୍ୱ ଜଳ ଦିବସ’ ପାଳନ ଅବସରରେ ଜଳ ସଂରକ୍ଷଣର ବିଭିନ୍ନ ଦିଗ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ପ୍ରଦୀପ ରଥ କହିଛନ୍ତି, ମାତ୍ର ତିନି ବର୍ଷର ଏକ କ୍ଷୁଦ୍ର ଅନୁଷ୍ଠାନ ହେଲେ ବି ପରିବେଶ ରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଏହା ସର୍ବଦା ପ୍ରୟାସ କରିଚାଲିଛି ଓ ଚାଲିଥିବ ମଧ୍ୟ। ରାମାୟଣର ଛୋଟ ଗୁଣ୍ଡୁଚି ମୂଷାଟିଏ ପରି ପରିବେଶ ସୁରକ୍ଷା ଅଭିଯାନ ବିଶ୍ୱାସ କରେ ‘ଯେପରି ପ୍ରତିଟି ବିନ୍ଦୁ ମିଶି ସିନ୍ଧୁ ତିଆରି କରିପାରେ, ସେଇଭଳି ପରିବେଶ ସୁରକ୍ଷା କ୍ଷେତ୍ରରେ ଏହାର ପ୍ରତିଟି ପ୍ରୟାସ ଜନ ସମୁଦାୟକୁ ଏହି ମହାଯଜ୍ଞରେ ସମ୍ମିଳିତ ହେବା ପାଇଁ ଉତ୍ସାହିତ କରିବ।’