ମାମୁ-ଭଣଜା ମୁଣ୍ଡିଆ ଓ ରଣନଦୀ ମଝିରେ ରହିଛି କଟକ ଜିଲ୍ଲା ବାଙ୍କୀ ସବ୍‌ଡିଭିଜନ୍‌ର ବ୍ଲକ୍‌-୧ ଓ ୨କୁ ସଂଯୋଗ କରୁଥିବା ଢଁସର ଗ୍ରାମ। ପ୍ରକୃତିର ସୌନ୍ଦର୍ଯ୍ୟବେଷ୍ଟିନୀରେ ଥିବା ଏହି ଗାଁର ଲୋକେ ସ୍ବଭାବତଃ ପରିବେଶପ୍ରେମୀ। ବୃକ୍ଷରୋପଣ, ବନ୍ୟପ୍ରାଣୀ ସୁରକ୍ଷା, ମୃତ୍ତିକା ସଂରକ୍ଷଣ ଓ ବୃକ୍ଷପୂଜା ଆଦି ଗାଁର ତରୁଣ ଓ ଯୁବପିଢ଼ିଙ୍କ ଜୀବନଧାରାର ଅଂଶ କହିଲେ ଅତ୍ୟୁକ୍ତି ହେବନାହିଁ। ଗାଁ ମାଟିର ପୁଅ ସୁରେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ସେମାନେ ଗଢ଼ିଛନ୍ତି ‘ଢଁସର ସବୁଜବାହିନୀ’।

Advertisment

୯୦ ଦଶକରୁ ଅଣସଂଗଠିତ ଭାବେ ସକ୍ରିୟ ଥିବା ସବୁଜ ବାହିନୀ ମାମୁ-ଭଣଜା ମୁଣ୍ଡିଆର ୪୦୦ ହେକ୍ଟର ଅଞ୍ଚଳ ସହ ରଣନଦୀର ବନ୍ଧ ଓ ଗାଁର ସୀମାନ୍ତ ଅଞ୍ଚଳରେ ବୃକ୍ଷରୋପଣ କରୁଛନ୍ତି। ପ୍ରାଥମିକ ଅବସ୍ଥାରେ ଗାଁର ବୟୋଜ୍ୟେଷ୍ଠ ବ୍ରଜେନ୍ଦ୍ର ପ୍ରଧାନ ପ୍ରେରଣା ସାଜିଥିଲେ। ସେ ଗାଁର ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ସର୍ବଦା ସଚେତନ କରାଉଥିଲେ। ବ୍ରଜେନ୍ଦ୍ରବାବୁଙ୍କ ଦେହାନ୍ତ ପରେ ଗାଁର ସମମନସ୍କ ଏକାଠି ହୋଇ ଗଢ଼ିଥିଲେ ‘ସବୁଜ ବାହିନୀ’ ଏବଂ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ସାଜିଲେ ସବୁଜସୈନିକ। ବର-ଓସ୍ତ ବାଟିକା ସୃଷ୍ଟି ଲକ୍ଷ୍ୟରେ ଏହି ବାହିନୀ ପ୍ରଥମେ ବର ଓ ଓସ୍ତ ଗଛ ଲଗାଇବା ଆରମ୍ଭ କରିଥିଲେ। ଏହି ଗଛ ସବୁ ଏବେ ବଡ଼ ହୋଇଯାଇଥିବାରୁ ଏଥିରେ ଦୋଳି ବାନ୍ଧି ଗାଁରେ ବର୍ତ୍ତମାନ ର‌ଜ ମହୋତ୍ସବ ପାଳନ କରାଯାଉଛି। ଏଥିସହ ମାଙ୍କଡ଼ମାନଙ୍କୁ ଜଙ୍ଗଲ ଅଭିମୁଖୀ କରିବାକୁ ଜଙ୍ଗଲରେ ଏବେ ଫଳ ଗଛ ଲଗାଯାଉଛି। ଗ୍ରାମ୍ୟ ସୀମାରେ ମୃତ୍ତିକା ସଂରକ୍ଷଣ ପାଇଁ ତାଳ ଗଛ ଲଗାଯାଉଛି। ପୁଣି ସବୁଜ ବାହିନୀ ପକ୍ଷରୁ ଗାଁ ଗାଁରେ ଫଳ ଚାରା ବଣ୍ଟନ କରାଯାଉଛି। ସବୁଜ ବାହିନୀର ସମ୍ପାଦକ ସନ୍ତୋଷ ଜେନା ଅନ୍ୟ କିଛି ଶିକ୍ଷକଙ୍କ ସହ ମିଶି ନିଜର ଛାତ୍ରଙ୍କୁ ମାଟିରେ ଫଳମଞ୍ଜି ପୋତି ଗଜା କରାଇବା କାର୍ଯ୍ୟରେ ଲଗାଉଛନ୍ତି। ମଞ୍ଜିରୁ ଗଜା ଫିଟିବା ପରେ ତାହାକୁ ବିତରଣ କରାଯାଉଛି। ପୁଣି ଗାଁରେ ଫୋପାଡ଼ି ଦିଆଯାଉଥିବା ଖପର, ଆଟିକା, ଟାଇଲ, ପ୍ୟାନ୍ ଓ ପାଇପ୍‌ ଆଦିକୁ ନେଇ ଜଙ୍ଗଲରେ ଏକ ଗୁମ୍ଫା ନିର୍ମାଣ କରିଛି ସବୁଜ ବାହିନୀ। ଫଳରେ ଜଙ୍ଗଲରେ ନିଆଁ ଲାଗିଲେ, କିଛି ଜୀବଜନ୍ତୁ ଏହା ଭିତରେ ପଶି ଆତ୍ମରକ୍ଷା କରିପାରୁଛନ୍ତି। ସବୁଜ ବାହିନୀ ସଭାପତି ସୁରେନ୍ଦ୍ର କହନ୍ତି, ‘‘ପିଲାଦିନୁ ଆମେ ପ୍ରକୃତି କୋଳରେ ବଢ଼ିଛୁ। ଢଁସର ଏକ କୃଷିପ୍ରଧାନ ଗାଁ ହୋଇଥିବାରୁ ଗଛର ମୂଲ୍ୟ ବୁଝିଛୁ। ଏଣୁ ପରିବେଶ ଓ ବୃକ୍ଷଲତାର ସୁରକ୍ଷା ପାଇଁ ଯାହା ଆବଶ୍ୟକ ଆମେ ତାହା କରୁଛୁ।’’