କିଛି ଦଶନ୍ଧି ପୂର୍ବରୁ ଯେତେବେଳେ କୁହାଯାଉଥିଲା ଯେ ପାଣି ପ୍ୟାକେଟ୍ ହୋଇ ବିକ୍ରି ହେବ; ସେତେବେଳର ଲୋକ ଆଶ୍ଚର୍ଯ୍ୟ ହେଉଥିଲେ। ସବୁଆଡ଼େ ତ ପାଣି। ପ୍ରକୃତି ମାଗଣାରେ ଦେଇଥିବା ପାଣିକୁ ବିକ୍ରି ପୁଣି କିଏ କରିବ ଓ କାହିଁକି କିଏ କିଣିବ! କିନ୍ତୁ ପାଣି କିଣି ପିଇବା ଆଜିକା ସମୟରେ ଏକ ସାଧାରଣ କଥା ହୋଇଯାଇଛି। ସେହିଭଳି ଦିନ ଆସିବ ଆମେ ଶ୍ବାସକ୍ରିୟା ପାଇଁ ଅମ୍ଳଜାନ ବି କିଣିବା। ଏବେ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଆଗକୁ ଏହା ହିଁ ଘଟିବାକୁ ଯାଉଛି। କାରଣ ଯେଉଁଭଳି ଭାବେ ଗଛ କଟାହେଉଛି ଓ ଜଙ୍ଗଲ ସଫା କରାଯାଉଛି, ଦିନ ଆସିବ ପୃଥିବୀରେ ଅମ୍ଳଜାନର ଅଭାବ ଦେଖାଯିବ। ଏଭଳି ଚିନ୍ତା କରି ୨୦୧୫ ମସିହାରୁ ଗଛ ଲଗାଇବା, ସେ ନେଇ ସମସ୍ତଙ୍କୁ ସଚେତନ କରିବା କାମରେ ନିଜକୁ ନିୟୋଜିତ କରିଛନ୍ତି ପୁରୀ କଣାସ ଫାୟାର ଷ୍ଟେସନର ଡ୍ରାଇଭର୍ ହାବିଲଦାର ମହେଶ୍ବର ପରିଡ଼ା।
ଯେଉଁଭଳି ଗଛ କଟାହେଉଛି, ଦିନ ଆସିବ ପୃଥିବୀରେ ଅମ୍ଳଜାନର ଅଭାବ ଦେଖାଯିବ। ଏଭଳି ଚିନ୍ତା କରି ୨୦୧୫ରୁ ଗଛ ଲଗାଇବା, ସେ ନେଇ ସମସ୍ତଙ୍କୁ ସଚେତନ କରିବାରେ ନିଜକୁ ନିୟୋଜିତ କରିଛନ୍ତି କଣାସ ଫାୟାର ଷ୍ଟେସନର ଡ୍ରାଇଭର୍ ହାବିଲଦାର ମହେଶ୍ବର ପରିଡ଼ା
ସେ ନିଜ ଆଖପାଖ, ଜାତୀୟ ରାଜପଥ କଡ଼ରେ ଗଛ ଲଗାଇବା ସହ ସମସ୍ତଙ୍କ ଜନ୍ମଦିନ, ବିବାହ ଓ ବିବାହ ବାର୍ଷିକୀରେ ଚାରାଟିଏ ଉପହାର ସ୍ବରୂପ ଦେଇଥା’ନ୍ତି। ଏଥିସହ ସେହି ବ୍ୟକ୍ତି ଜଣଙ୍କ ଉକ୍ତ ଚାରାକୁ ରୋପଣ କରି କିଭଳି ନିୟମିତ ପାଣି ଦେବା ସହ ତା’ ଚାରିପଟେ ତାରଜାଲି ଦେଇ ଗାଈଗୋରୁଙ୍କ କବଳରୁ ରକ୍ଷା କରିବେ ସେ ଦିଗରେ ପ୍ରୋତ୍ସାହିତ ମଧ୍ୟ କରିଥା’ନ୍ତି। ସେ କହନ୍ତି, ସମସ୍ତେ ନିଜର କିମ୍ବା ନିଜ ପ୍ରିୟଜନଙ୍କ ଜନ୍ମଦିନରେ ୪୦୦ରୁ ୫୦୦ ଟଙ୍କିଆ କେକ୍ ଆଣି କାଟନ୍ତି। ମାତ୍ର ୩୦୦ ଟଙ୍କାରେ ୫ଟି ଗଛ ପାଇଁ ତାରଜାଲି ହେବା ସହ ମାଗଣାରେ ଜଙ୍ଗଲ ଓ ପରିବେଶ ବିଭାଗରୁ ଚାରା ମିଳିଯାଏ। ଯଦି ନିଜ ବିଶେଷ ଦିନରେ ଗଛଟିଏ ଲଗାଇବା, ଏହା ବଡ଼ ହେଲେ ଆମକୁ ଫୁଲ, ଫଳ, ଅମ୍ଳଜାନ ସହ ଛାଇ ମଧ୍ୟ ଦେବ। ଏଣୁ ସମସ୍ତେ ନିଜର ବିଶେଷ ଦିନରେ ଗଛଟିଏ ଲଗାଇଲେ, ଆମ ପରିବେଶ ବେଶ୍ ଲାଭବାନ ହୋଇପାରିବ। ଜଗତସିଂହପୁର, ରଣପୁର, ମହାକାଳପଡ଼ା, ମୟୂରଭଞ୍ଜ ଆଦି ଅଞ୍ଚଳକୁ ସେ ଚାକିରିରେ ବଦଳି ହୋଇଯିବା ସହ ବିଭିନ୍ନ ଅଞ୍ଚଳରେ ଗଛ ଲଗାଇଛନ୍ତି।
ସେ କହିଛନ୍ତି, ଆବାସିକ ସ୍ଥାନ ଓ ଫାୟାର ଷ୍ଟେସନ ଚାରିକଡ଼େ ସେ ଆମ୍ବ, ପଣସ, ଲିଚୁ ଓ ପିଜୁଳି ଭଳି ଫଳନ୍ତି ଗଛ ହିଁ ଲଗାଇଥା’ନ୍ତି। ଫଳରେ ଲୋକମାନେ ଲୋଭରେ ଫଳନ୍ତି ଗଛର ଯତ୍ନ ନେଇଥା’ନ୍ତି। ଏଥିସହ ଜାତୀୟ ରାଜପଥ କଡ଼ରେ ସେ ବର, ଓସ୍ତ, କରଞ୍ଜ ଆଦି ଗଛ ଲଗାଇଥା’ନ୍ତି। ଗତ ୯ ବର୍ଷରେ ସେ ୫ ହଜାରରୁ ଅଧିକ ଗଛ ଲଗାଇଥିବା ବେଳେ ଛୋଟ ପିଲା ଓ ସ୍ଥାନୀୟ ଲୋକଙ୍କୁ ଗଛ ନ କାଟିବା ସମ୍ପର୍କରେ ବୁଝାଇଥା’ନ୍ତି। ଏଥିସହ ସେ ଫେସ୍ବୁକ୍ ଓ ହ୍ବାଟ୍ସଆପ୍ରେ ‘ଏମ୍ଏମ୍ଏସ୍ ଗ୍ରିନ୍ ଫ୍ୟାମିଲି’ ଗ୍ରୁପ୍ ଖୋଲି ପିଲାଙ୍କୁ ଗଛ ଲଗାଇବାକୁ ପ୍ରୋତ୍ସାହିତ କରୁଛନ୍ତି।