ଯାଜପୁର ଜିଲ୍ଲାର ଦର୍ପଣୀ ତହସିଲ ଅନ୍ତର୍ଗତ ବୈରୀ ଅଞ୍ଚଳରେ ଥିବା ପ୍ରାକୃତିକ ହାତୀ ଚଲାପଥ ନଷ୍ଟ ହୋଇଯିବା କାରଣରୁ ଗଁାରେ ହାତୀପଲ ମାତୁଛନ୍ତି। ହାତୀ ସୁରକ୍ଷା ବିଷୟରେ ଚିନ୍ତା ନ କରି ସ୍ଥାନୀୟ ବିଭାଗୀୟ ପଦାଧିକାରୀ ଗ୍ରାମୀଣ ଜଙ୍ଗଲ ଅଞ୍ଚଳରେ ରେଳ ଚଳାଚଳ ଲାଗି ଆବଶ୍ୟକ ବିଦ୍ୟୁତ୍ ଲାଇନ୍ ନିର୍ମାଣ କରିବାକୁ ମଞ୍ଜୁରି ପ୍ରଦାନ କଲେ। ଏହି ବିଦ୍ୟୁତ୍ ଲାଇନର ଉଚ୍ଚତା ଯଥେଷ୍ଟ କମ୍ ଥିଲା ଏବଂ ଏକ ଘରୋଇ ସଂସ୍ଥାକୁ ସୁବିଧା ଦେବା ଲକ୍ଷ୍ୟରେ ହାତୀପଲଙ୍କୁ ବିପଦ ମୁହଁକୁ ଠେଲି ଦିଆଗଲା। ବିଦ୍ୟୁତ୍ ସଂସ୍ପର୍ଶରେ ଆସି କେତେକ ହାତୀଙ୍କର ମୃତ୍ୟୁ ହେଲା, ଦିନ ଦି’ପ୍ରହରରେ ହାତୀପଲ ଗଁାରେ ପଶି ଆତଙ୍କ ସୃଷ୍ଟି କଲେ। ଏହା ସାଙ୍ଗକୁ ଏ ଅଞ୍ଚଳରୁ ବ୍ୟାପକ ମାଙ୍କଡ଼ା ପଥର ଓ ମୋରମ ଚୋରାଚାଲାଣ ହୋଇ ପ୍ରଦୂଷଣ ବଢ଼ି ଚାଲିଲା। ବୈରୀ, ଅମିୟଝରି, କାନପୁର, ବିଶ୍ବାଳୀ, ବାଘୁଆ, ବନ୍ଧପଲ୍ଲୀ, ପୋଲସାହି, ଲାଣ୍ଡୁଆଝର ଓ ବରଗଡ଼ା ଗଁାଗଣ୍ଡାରେ ଜଙ୍ଗଲ ଅବକ୍ଷୟ ବୃଦ୍ଧି ପାଇବା ସାଙ୍ଗକୁ ଚତୁଃପାର୍ଶ୍ବରେ ଥିବା ହାତୀ ଚଲାପଥ ସଂପୂର୍ଣ୍ଣ ଉଜୁଡ଼ିଗଲା। ଦିନକୁ ଦିନ ଏହି ସମସ୍ୟା ଅଣାୟତ୍ତ ହୋଇପଡ଼ିଲା।
ପରିସ୍ଥିତିର ମୁକାବିଲା ପାଇଁ ଜଙ୍ଗଲ ସୁରକ୍ଷା ଓ ହାତୀ ଚଲାପଥ ସଂରକ୍ଷଣ କରିବାକୁ ବୈରୀ ଗ୍ରାମର ଜୟନ୍ତ କୁମାର ରାଉତ ଅଣ୍ଟା ଭିଡ଼ିଲେ। ଆରମ୍ଭ ହେଲା ଜନଅାନ୍ଦୋଳନ, ବୃକ୍ଷରୋପଣ ଓ ହାତୀ ସଂରକ୍ଷଣ ଅଭିଯାନ। ହାତୀ ଚଲାପଥର ସୁରକ୍ଷା ଓ ଉଜୁଡ଼ା ଜଙ୍ଗଲକୁ ପୁନଶ୍ଚ ସବୁଜିମାମୟ କରିବାକୁ ବର, ଅଶ୍ବତ୍ଥ, ନିମ, ବଉଳ, କଦମ୍ବ ଓ ଅର୍ଜୁନ ଗଛ ସମେତ ଅନେକ ଜାଳେଣି କାଠ ଯୋଗାଉଥିବା ବୃକ୍ଷ ରୋପଣ କରାଗଲା। ଧୀରେ ଧୀରେ ଜୟନ୍ତଙ୍କ ସହିତ ସତ୍ୟବ୍ରତ ବିଶ୍ବାଳ ଓ ବିଷ୍ଣୁଚରଣ ମଲ୍ଲିକଙ୍କ ଭଳି ଅନେକ ଗ୍ରାମବାସୀ ସାମିଲ ହେଲେ। ପ୍ରଥମେ ସେମାନେ ବୈରୀରୁ ଅମିୟଝରି ବିଦ୍ୟୁତ୍ ଟ୍ରେନ୍ ଲାଇନ୍ ଖୁଣ୍ଟର ଉଚ୍ଚତା ବୃଦ୍ଧି କରିବାରେ ସଫଳ ହେଲେ। କିନ୍ତୁ ଏହି ସଫଳତା ପରେ ମାଙ୍କଡ଼ା ପଥର ମାଫିଆ ଓ ସ୍ଥାନୀୟ ଶିଳ୍ପ ସଂସ୍ଥା ଏହାର ବିରୋଧ ଆରମ୍ଭ କଲେ। ଏହି ସମୟରେ ଅଧିକରୁ ଅଧିକ ଗ୍ରାମବାସୀ ଜୟନ୍ତଙ୍କ ସହିତ ସାମିଲ ହେଲେ ଏବଂ ହାତୀ ସଂରକ୍ଷଣ ଓ ଚଲାପଥରେ ବ୍ୟାପକ ସବୁଜ ବଳୟ ବୃଦ୍ଧି କରିବାରେ ସକ୍ଷମ ହେଲେ। ଆଜିର ଦିନରେ ବୈରୀ ସମେତ ଉପରୋକ୍ତ ଗଁାଗଣ୍ଡାରେ ହାତୀଙ୍କ ସୁରକ୍ଷା ଓ ସେମାନଙ୍କ ଚଲାପଥ ସୁରକ୍ଷିତ କରିବାର ମନ୍ତ୍ର ବାଣ୍ଟୁଛନ୍ତି ଜୟନ୍ତ ଓ ତାଙ୍କର ସହଯୋଗୀ ଗ୍ରାମବାସୀ।
ଏ ପ୍ରସଙ୍ଗରେ ଜୟନ୍ତ କହନ୍ତି, ‘‘ହାତୀ ଚଲାପଥ ସଂରକ୍ଷଣ ଓ ବୃକ୍ଷ ବଳୟ ସୃଷ୍ଟିକୁ ଆମେ ଗୁରୁମନ୍ତ୍ର ଭାବେ ଗ୍ରହଣ କରିଛୁ। ଆମ ଅଞ୍ଚଳର ଯୁବକମାନଙ୍କୁ ବନ ବିଭାଗରେ ସ୍ବେଚ୍ଛାସେବୀ ଭାବେ ନିଯୁକ୍ତି ଦେଇ କିଛି ପାରିଶ୍ରମିକ ପ୍ରଦାନ କରାଗଲେ ଆମର ଏହି କାର୍ଯ୍ୟକୁ ଅଧିକ ବ୍ୟାପକ କରାଯାଇ ପାରନ୍ତା। ଜୀବନ ଜୀବିକାର ସଂଘର୍ଷ ଭିତରେ ସଂରକ୍ଷଣ ପାଇଁ ଶତ ପ୍ରତିଶତ ସମୟ ଦେବାରେ ଆମେ ପ୍ରାୟତଃ ସଫଳ ହୋଇପାରୁ ନାହିଁ। ସୀମିତ ସମ୍ବଳ ଓ ସମୟ ଭିତରେ କାର୍ଯ୍ୟ କରୁଛୁ। ତଥାପି ହାତୀ ଚଲାପଥର ସୁରକ୍ଷା ହେବା ସହ ନୂତନ ଜଙ୍ଗଲ ମଧ୍ୟ ସୃଷ୍ଟି ହେଉଛି।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/24/neqwr2t-2025-06-24-13-41-51.jpg)