ପିଲାଦିନରୁ ପରିବେଶ ପ୍ରତି ତାଙ୍କର ଥିଲା ସ୍ବତଃସ୍ଫୂର୍ତ୍ତ ଭଲପାଇବା। ସ୍କୁଲ୍ରେ ପଢ଼ିବା ସମୟରେ ତୁଳସୀ ଚାରା ଓ ଅନ୍ୟାନ୍ୟ ଫୁଲ ଗଛ ସଂଗ୍ରହ କରି ନିଜ ବାଡ଼ିରେ ଲଗାଇ ସେଗୁଡ଼ିକର ଯତ୍ନ ନେଉଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ବବିଦ୍ୟାଳୟରୁ ଶିକ୍ଷା ସମାପ୍ତ କଲାପରେ ଟାଙ୍ଗୀ ଚୌଦ୍ୱାର ଅଞ୍ଚଳର ବିଶ୍ବନାହାକାଣି କଲେଜରେ ଅଧ୍ୟାପନା ସହିତ ବିଭିନ୍ନ ପରିବେଶ ସେବାମୂଳକ କାର୍ଯ୍ୟ କରିଆସୁଛନ୍ତି ଡକ୍ଟର ସଚ୍ଚିଦାନନ୍ଦ ପ୍ରଧାନ।
ଗଛ ଲଗାଇ ସେ ଗଭୀର ଆତ୍ମତୃପ୍ତି ପାଆନ୍ତି। ବ୍ୟବହୃତ ପ୍ଲାଷ୍ଟିକ ଡବା ଓ ଜରି ସଂଗ୍ରହ କରି ସେଥିରେ ଚାରା ଲଗାଇବା ତାଙ୍କର ଏକ ନିଶା। ତା’ସଙ୍ଗକୁ କଲେଜର ଏନ୍ଏସ୍ଏସ୍, ରୋଭର୍ସ, ଯୁବ ରେଡକ୍ରସ୍, ଇକୋ-କ୍ଲବ୍ ମାଧ୍ୟମରେ ପ୍ରତି ବର୍ଷ ଚାରାଗଛ ରୋପଣ ଓ ବଣ୍ଟନ ଭଳି କାର୍ଯ୍ୟକ୍ରମ ଦୀର୍ଘବର୍ଷ ହେବ କରି ଆସୁଛନ୍ତି ଡ. ପ୍ରଧାନ। ବାହାଘର, ବ୍ରତଘର, ଜନ୍ମଦିନ, ନବବର୍ଷ ପାଳନ ଅବସରରେ ଅତିଥିମାନଙ୍କୁ ଚାରାଗଛ ଦେଇ ସମ୍ବର୍ଦ୍ଧିତ କରିଥାଆନ୍ତି। ଟାଙ୍ଗି ଚୌଦ୍ୱାର ବ୍ଲକର ବିଶ୍ବନାହାକାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟସ୍ଥ ମୁଣ୍ଡକରା ପାହାଡ଼ ପାଦଦେଶରେ ମୃତ୍ତିକା ସଂରକ୍ଷଣ ବିଭାଗ, ଜଳ ବିଭାଜିକା ମିଶନ, ବନ ବିଭାଗ, ଡିଆରଡିଏ କଟକ ଓ ଜିଲ୍ଲା ପ୍ରଶାସନ ସହାୟତାରେ ୧୦୦୦ରୁ ଅଧିକ କାଜୁ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଛନ୍ତି ସେ। ସ୍କୁଲ୍ ଓ କଲେଜ ପିଲାଙ୍କୁ ନେଇ ପ୍ରକୃତି ଶିବିରର ଆୟୋଜନ ମଧ୍ୟ କରୁଛନ୍ତି।
ଇକୋ-କ୍ଲବ୍ ମାଧ୍ୟମରେ କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓ ଭୁବନେଶ୍ୱରସ୍ଥିତ ଏକାମ୍ର କାନନରେ ଆୟୋଜିତ ପୁଷ୍ପ ପ୍ରଦର୍ଶନୀରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପୁନଃବ୍ୟବହାର ସଂପର୍କିତ ପ୍ରକଳ୍ପ ଉପସ୍ଥାପନ କରି ପୁରସ୍କୃତ ହୋଇଛନ୍ତି ଡ. ପ୍ରଧାନ। ଏହି ସବୁ ଉେଲ୍ଲଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ସରକାର ତାଙ୍କୁ ପ୍ରକୃତି ବନ୍ଧୁ ଓ ତାଙ୍କ ଅନୁଷ୍ଠାନକୁ ଦୁଇ ଥର ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରତିବର୍ଷ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହରେ ଡ. ପ୍ରଧାନ ପଶୁଚିକିତ୍ସା ଶିବିରର ଆୟୋଜନ କରାଇ ଗୋ ସଂପଦର ରକ୍ଷାଣବେକ୍ଷଣ ପାଇଁ ପ୍ରୟାସ ଜାରି ରଖିଛନ୍ତି। ପଶୁପକ୍ଷୀଙ୍କ ସଂରକ୍ଷଣ ଉଦ୍ୟମ ଲାଗି ୨୦୨୩ ମସିହାରେ ଡ. ସଚ୍ଚିଦାନନ୍ଦ ପ୍ରଧାନଙ୍କୁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି।