ପୃଥିବୀର ଆତ୍ମା ହେଉଛି ମାଟି। ମା’ ମାଟି ଜୀବନ ଧାରଣର ସମସ୍ତ ଶକ୍ତିକୁ ସୁରକ୍ଷା ‌େଦଇଛି। ଆମକୁ ସୁରକ୍ଷିତ କରି ବଞ୍ଚିବାର ସବୁକିଛି ଉପାଦାନ ସାଇତି ରଖିଛି ମାଟି। ହେଲେ ପ୍ରକୃତିର ଅମୂଲ୍ୟ ସଂପଦ ମାଟି ଆଜି ସବୁଠାରୁ ଅଧିକ ବିପଦପ୍ରବଣ ଓ ଅସୁରକ୍ଷିତ। ପ୍ଲାଷ୍ଟିକ୍, ରାସାୟନିକ ସାର ଓ କୀଟନାଶକର ପ୍ରଦୂଷଣରେ ଦିନକୁ ଦିନ ମାଟି ବିଷାକ୍ତ ହେଉଛି। ମୃତ୍ତିକା ଅବକ୍ଷୟ ତଥା କଂକ୍ରିଟ୍ ଜଙ୍ଗଲର ବିପଦ ପାଇଁ ପ୍ରକୃତିକୁ ସୁରକ୍ଷା ଯୋଗାଉଥିବା ମାଟି ଆଜି ନିଜେ ଅସୁରକ୍ଷିତ ହୋଇପଡ଼ିଛି। ଏହାର ସୁରକ୍ଷା ଆମର ସର୍ବପ୍ରଥମ ଦାୟିତ୍ବ ବୋଲି କହନ୍ତି ପଶ୍ଚିମବଙ୍ଗସ୍ଥିତ ହଳଦିଆରେ କାର୍ଯ୍ୟରତ ଅଧ୍ୟାପିକା ତମସା ମହାନ୍ତି। ‘‘ଜଣେ ରସାୟନ ବିଜ୍ଞାନର ଅଧ୍ୟାପିକା ଭାବେ ମୁଁ ବୁଝିପାରିଥିଲି ପ୍ରକୃତିରାଣୀର ରୂପଲାବଣ୍ୟ ଆଜି ଧ୍ବଂସ ହେଉଛି। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛି ମାଟି ବା ମୃତ୍ତିକା। ପ୍ରକୃତି ତଥା ସମଗ୍ର ଜୀବଜଗତ ପାଇଁ ମୃତ୍ତିକା ସୁରକ୍ଷା ଆଜି ବଡ଼ ଆହ୍ବାନ ପାଲଟି ଯାଇଛି। ଏହାର ସୁରକ୍ଷା କରାଯାଇ ପାରିଲେ ଆମର ଭବିଷ୍ୟତ ପିଢ଼ି ସୁରକ୍ଷିତ ହୋଇ ରହିପାରିବେ। ମାଟିର ସୁରକ୍ଷା କରା ନ ଗଲେ ପୃଥିବୀର ସନ୍ତୁଳନ ଅଚିରେ ଧ୍ବଂସ ପାଇଯିବ।’’- ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ବାର୍ତ୍ତା ବାଣ୍ଟୁଛନ୍ତି ତମସା। 

Advertisment

ମୃତ୍ତିକା ସଂରକ୍ଷଣ କାର୍ଯ୍ୟରେ ତାଙ୍କ ପ୍ରେରଣାରେ ହଳଦିଆ‌ ଆଖପାଖର ଶତାଧିକ ଛାତ୍ରଛାତ୍ରୀ ଆଗ୍ରହର ସହିତ ସାମିଲ ହୋଇ ମୃତ୍ତିକା ସଂରକ୍ଷଣ ଲାଗି ସଚେତନତା ସୃଷ୍ଟି କରୁଛନ୍ତି। ସ୍ଥାନୀୟ ଲୋକଙ୍କୁ ସଚେତନ କରାଇ ମାଟି କ୍ଷୟ ଓ ନଷ୍ଟ ହେଉଥିବା କାର୍ଯ୍ୟକଳାପକୁ ବନ୍ଦ କରାଇଛନ୍ତି ସେ। ପ୍ରାୟ ୨୦ ଏକରରୁ ଊର୍ଦ୍ଧ୍ବ ଜମିରେ ଅଧ୍ୟାପିକା ତମସା ନିଜସ୍ବ ପ୍ରଚେଷ୍ଟାରେ ମାଟିର ସୁରକ୍ଷା ପାଇଁ ଜୈବିକ କୃଷି ପଦ୍ଧତିର ପ୍ରୟୋଗ କରାଇବା ସହିତ ବର୍ଷା ଋତୁରେ ଏହି ସବୁ ଜମିରେ ସାଧବବୋହୂ ତଥା ମୃତ୍ତିକାକୁ ଉର୍ବର କରୁଥିବା ଅନ୍ୟାନ୍ୟ କୀଟପତଙ୍ଗଙ୍କର ସଂରକ୍ଷଣ କାର୍ଯ୍ୟ କରାଇବାରେ ସକ୍ଷମ ହୋଇଛନ୍ତି। ତାଙ୍କର ଏହି ନିଆରା ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ହଳଦିଆ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଥିଲା। ପ୍ରଥମରୁ କେତେକ ତାଙ୍କୁ ବିରୋଧ କରିଥିଲେ। ଏପରିକି ସେ ପାଠ ନ ପଢ଼ାଇ ଏସବୁ କାର୍ଯ୍ୟ କରୁଛନ୍ତି ବୋଲି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ ଆସିଥିଲା। ଏସବୁକୁ କିନ୍ତୁ ଭ୍ରୂକ୍ଷେପ ନକରି ତମସା ନିଜ ଲକ୍ଷ୍ୟରେ ଆଗକୁ ବଢ଼ିଥିଲେ। ଆଜି ପରିବେଶ ସୁରକ୍ଷାରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ସ୍ଥାନୀୟ ଅଞ୍ଚଳରେ ‘ମାଟି ଅଧ୍ୟାପିକା’ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି।