ନେଦରଲାଣ୍ଡ୍ସର ଏଲିସ୍ ହବର୍ଟିନା ସ୍ପାଣ୍ଡେରମ୍ୟାନ୍ କାଶ୍ମୀରର ପ୍ରସିଦ୍ଧ ଡାଲ୍ ହ୍ରଦକୁ ସଫା ରଖିବା ପାଇଁ ଗତ ପାଞ୍ଚ ବର୍ଷ ହେଲା ଉଦ୍ୟମ କରିଆସୁଛନ୍ତି। ୬୯ ବର୍ଷ ବୟସରେ ସେ ପ୍ରତି ଦିନ ସଫେଇ ଓ ସଚେତନତା ଅଭିଯାନ ଚଳାଇରଖି ସ୍ଥାନୀୟ ଅଞ୍ଚଳରେ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ଭାବେ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର ଏହି ଉଦ୍ୟମ ପାଇଁ ଲୋକମାନେ ତାଙ୍କୁ ‘ମଦର୍ ଅଫ୍ ଡାଲ୍’ ବା ‘ଡାଲ୍ର ମାଆ’ ବୋଲି ଡାକୁଛନ୍ତି।
କାଶ୍ମୀର ସହିତ ଏଲିସ୍ଙ୍କ ସମ୍ପର୍କ ୨୫ ବର୍ଷ ପୁରୁଣା। ସେବେ ସେ ପ୍ରଥମ ଥର ପାଇଁ କାଶ୍ମୀର ବୁଲିବାକୁ ଆସିଥିଲେ ଏବଂ ତାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ବାରା ଅଭିଭୂତ ହୋଇଯାଇଥିଲେ। ସମୟ ସହିତ କାଶ୍ମୀର ସହିତ ତାଙ୍କର ସମ୍ପର୍କ ଏତେ ଦୃଢ଼ ହୋଇଗଲା ଯେ ସେ ପାଞ୍ଚ ବର୍ଷ ତଳେ ସ୍ବଦେଶ ଛାଡ଼ି ସ୍ଥାୟୀ ଭାବେ ରହିବା ପାଇଁ ଶ୍ରୀନଗର ଚାଲିଆସିଲେ। ଏହା ପରେ ସେ ପ୍ଲାଷ୍ଟିକ୍ ପ୍ରଦୂଷଣରୁ ଡାଲ୍ ହ୍ରଦକୁ ସୁରକ୍ଷା ଦେବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ। ନେଦରଲ୍ୟାଣ୍ଡ୍ସରେ ବଢ଼ିବା ବେଳୁ ପରିବେଶ ସୁରକ୍ଷା ପ୍ରତି ସେ ସଚେତନ ରହିଆସିଛନ୍ତି। ଆବର୍ଜନା ଦେଖିଲେ ସେ ତାହା ସଫା ନ କରି ରହିପାରନ୍ତି ନାହିଁ।
ଡାଲ୍ ହ୍ରଦର ପ୍ରାକୃତିକ ସ୍ଥିତିରେ ଅବନତିକୁ ସେ ନିଜ ଆଖି ସାମ୍ନାରେ ଦେଖିଛନ୍ତି। ୨୫ ବର୍ଷ ତଳେ ଆସିଥିବା ବେଳେ ଡାଲ୍ ହ୍ରଦରେ ପ୍ଲାଷ୍ଟିକ୍ ପ୍ରଦୂଷଣ ପାଖାପାଖି ସଂପୂର୍ଣ୍ଣ ଅନୁପସ୍ଥିତ ଥିଲା। କିନ୍ତୁ ଏବେ ସେ ସବୁ ଦିନ କୁଢ଼କୁଢ଼ ପ୍ଲାଷ୍ଟିକ୍ ଆବର୍ଜନାର ସମ୍ମୁଖୀନ ହୁଅନ୍ତି। ଏଲିସ୍ ପାଞ୍ଚ ବର୍ଷ ହେଲା ପ୍ରାୟ ସବୁ ଦିନ ‘ଶିକାରା’ ଡଙ୍ଗାରେ ବସି ଡାଲ୍ ହ୍ରଦ ଚାରିପଟେ ବୁଲନ୍ତି ଆଉ ଯେଉଁଠି ବି ପର୍ଯ୍ୟଟକମାନେ ଫିଙ୍ଗିଦେଇଥିବା ପ୍ଲାଷ୍ଟିକ୍ ବୋତଲ, ବ୍ୟାଗ୍, ପଲିଥିନ୍ ଆଦି ପାଆନ୍ତି ତାକୁ ସଂଗ୍ରହ କରି କୂଳକୁ ଫେରିଆସନ୍ତି। ସେ ଶାରୀରିକ ଭାବେ ଯେତେ ପର୍ଯ୍ୟନ୍ତ ସକ୍ଷମ ଅଛନ୍ତି ସେବେ ଯାଏ ଡାଲ୍ ହ୍ରଦ ସଫେଇ ଜାରି ରଖିବେ ବୋଲି କୁହନ୍ତି।
ସେ ଏକାକୀ ଡାଲ୍ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଅନ୍ୟ କେତେକ ସ୍ବେଚ୍ଛାସେବୀ ମଧ୍ୟ ଏବେ ତାଙ୍କୁ ସହଯୋଗ କରୁଛନ୍ତି। ତାଙ୍କ ସ୍ପଷ୍ଟ ବାର୍ତ୍ତା ହେଲା- ‘କ୍ଷୁଦ୍ରତମ କାର୍ଯ୍ୟର ଶକ୍ତିକୁ କମ୍ ବୋଲି ଭାବ ନାହିଁ। ହାତରେ ହାତ ମିଳାଇ ଆମେ ଦୁଇ ବର୍ଷରେ ପୂରା କାଶ୍ମୀରକୁ ସଫା କରିପାରିବା। ଅନ୍ୟ ଉପରକୁ ଅଙ୍ଗୁଳି ଉଠାଅ ନାହିଁ, ନିଜେ ଏଣେତେଣେ ଅଳିଆ ଫିଙ୍ଗିବାରୁ ବିରତ ରହି ଯଦି ସମ୍ଭବ ଅନ୍ୟମାେନ ପକାଇଥିବା କିଛି ଅଳିଆ ସଂଗ୍ରହ କରି ନିଜର ଦାୟିତ୍ବ ନିର୍ବାହ କର।’ ବାସ୍ତବରେ, ଜଣେ ଉତ୍ସର୍ଗୀକୃତ ବ୍ୟକ୍ତିଙ୍କ ଉଦ୍ୟମ କିଭଳି ଏକ ବିରାଟ ପରିବେଶ ଅଭିଯାନ ଆରମ୍ଭ କରିପାରେ ଏଲିସ୍ ହେଉଛନ୍ତି ତାହାର ଜଣେ ଉତ୍କୃଷ୍ଟ ଉଦାହରଣ।