ଆଦିମ ଜନଜାତି ପାଉଡ଼ି ଭୂୟଁା ସଂପ୍ରଦାୟର ଉଚ୍ଚଶିକ୍ଷିତା ଝିଅ ଝିଲି ନାଏକ। ସରକାରୀ ଚାକିରିର ମୋହକୁ ପ୍ରତ୍ୟାଖ୍ୟାନ କରି ସେ ଜଙ୍ଗଲର ମାୟାରେ ବାନ୍ଧି ହୋଇ ଯାଇଛନ୍ତି। କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ୍‌ର ଗୋନାସିକା ଗ୍ରାମର ୨୧ ବର୍ଷୀୟା ଝିଲି ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ନିଜ ଅଞ୍ଚଳର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର, ଜଙ୍ଗଲ ସୁରକ୍ଷା ଓ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟିରେ ଲାଗିପଡ଼ିଥିଲେ। ୨୦୧୮ ମସିହାରୁ ଏହି କାର୍ଯ୍ୟରେ ସମର୍ପିତ ଝିଲି ଗୋନାସିକା, ଗୁପ୍ତଗଙ୍ଗା, ବୁଢ଼ୀଘର, ଜନ୍ତାରୀ ଓ ଶିକୁଳିପଦା ଆଦି ଗଁା ପାର୍ଶ୍ବବର୍ତ୍ତୀ ୧୫୦ ଏକରରୁ ଅଧିକ ଜମିରେ ଜଙ୍ଗଲ ସୃଷ୍ଟି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏଥି ସହିତ ବାଂଶପାଳ ବ୍ଲକ୍‌ର ୮୦୦ ଏକର ଜଙ୍ଗଲର ପୁନରୁଦ୍ଧାର ଓ ସୁରକ୍ଷାରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ। କେନ୍ଦୁଝର ଜିଲ୍ଲାରେ ଏଭଳି କାର୍ଯ୍ୟ ପାଇଁ ‌ଝିଲି ସର୍ବତ୍ର ‘ଜଙ୍ଗଲୀ ଝିଅ’ ଭାବେ ଜଣାଶୁଣା। ଝିଲି ପ୍ରତି ବର୍ଷ ଜାନୁଆରିରୁ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ନିମ୍ବ, କରଞ୍ଜ, ମହୁଲ, କୁସୁମ, ଗମ୍ଭାରୀ, ହରିଡ଼ା, ବାହାଡ଼ା ଓ ଅଁଳା ଆଦିର ଚାରା ଓ ମଞ୍ଜି ସଂଗ୍ରହରେ ମାତିଯାଆନ୍ତି। ଏ ସବୁର ସଂରକ୍ଷଣ ପାଇଁ ଝିଲି ଚାରା ଉତ୍ପାଦନ କେନ୍ଦ୍ର ଓ ମଞ୍ଜି ବ୍ୟାଙ୍କ୍ ପ୍ରତିଷ୍ଠା କରିଛନ୍ତି। ବର୍ଷା ଆସିବା ପରେ ପଡ଼ିଆ ଜମି ଓ ଜଙ୍ଗଲରେ ଚାରା ରୋପଣ ସାଙ୍ଗକୁ ମଞ୍ଜି ସିଞ୍ଚନ ଆରମ୍ଭ କରିଥାନ୍ତି।

Advertisment

ନିଜ ଉଦ୍ୟମ ସଂପର୍କରେ ଝିଲି କହନ୍ତି, ‘‘ମୋ ଅଞ୍ଚଳ ପାହାଡ଼ପର୍ବତ ଓ ବଣଜଙ୍ଗଲ ଭଳି ପ୍ରାକୃତିକ ସଂପଦରେ ଭରପୂର। କିନ୍ତୁ କ୍ରମାଗତ ଖଣି ଖୋଳା ଓ କାଠଚୋରି ହେତୁ ଧୀରେ ଧୀ‌ରେ ଜଙ୍ଗଲ ଉଜୁଡ଼ିଗଲା। କ୍ରମେ ପାହାଡ଼ ସବୁ ଲଣ୍ଡା ହୋଇଗଲା। ମୁଁ ଦେଖିଲି, ଏହାର ପ୍ରଭାବରେ ଆମ ଅଞ୍ଚଳରେ ପ୍ରାକୃତିକ ଜଳସ୍ରୋତ ଶୁଖି ଚାଷବାସ ଉଜୁଡ଼ିଯିବା କାରଣରୁ ଖାଦ୍ୟ ସୁରକ୍ଷା ଓ ଜୀବନଜୀବିକା ଘୋର ପ୍ରଭାବିତ ହେଲା। ତେଣୁ ମୁଁ ବିଭିନ୍ନ ଗ୍ରାମରେ ମହିଳା ସଭା ଆୟୋଜନ କରି ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ଅଭିଯାନ ଆରମ୍ଭ କଲି। ପ୍ରାଥମିକ ପର୍ଯ୍ୟାୟରେ ଆମେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲୁ। ଜନ୍ତାରୀ ଜଙ୍ଗଲ ସମେତ ଅନ୍ୟାନ୍ୟ ଜଙ୍ଗଲରୁ କାଠ‌ ଚୋରମାନଙ୍କୁ ଧରି ଜଙ୍ଗଲ ବିଭାଗକୁ ଦେଇଥିଲୁ। ଆମର ଏହି ପ୍ରୟାସ ଜଙ୍ଗଲ ବୃଦ୍ଧିରେ ସହାୟକ ହେଲା।’’
ପରବର୍ତ୍ତୀ ସମୟରେ ଝିଲିଙ୍କ ଏହି ଉଦ୍ୟମକୁ ବଳ ମିଳିଥିଲା। ସ୍ଥାନୀୟ ଜଙ୍ଗଲ ବିଭାଗର ପଦାଧିକାରୀ ଓ ଫାଉଣ୍ଡେସନ୍ ଫର୍ ଇକୋଲୋଜିକାଲ୍ ସିକ୍ୟୁରିଟି ଅନୁଷ୍ଠାନ ଗଁାର ମହିଳାମାନଙ୍କୁ ଜଙ୍ଗଲ ଓ ପ୍ରାକୃତିକ ଜଳସ୍ରୋତର ସୁରକ୍ଷା ସଂପର୍କରେ ତାଲିମ ଦେଲେ। ଏଥି ସହିତ ଚାରା ମଧ୍ୟ ଯୋଗାଇଦେଲେ। ଏହା ଝିଲି ଓ ତାଙ୍କ ସହଯୋଗୀଙ୍କୁ ଆଗକୁ ବଢ଼ିବାର ପ୍ରେରଣା ଦେଇଥିଲା।