ବାହାରିଲା ପ୍ଲାଷ୍ଟିକ ଆବର୍ଜନାକୁ ନଷ୍ଟ କରିବାର ଉପାୟ

ବିଭିନ୍ନ କାରଣ ପାଇଁ ଦିନକୁ ଦିନ ପରିବେଶ ଦୂଷିତ ହେବାରେ ଲାଗିଛି। ଏହା ସାରା ବିଶ୍ୱରେ ଏକ ସମସ୍ୟା ଭାବେ ଦେଖାଦେଇଛି। ଏହାର ନିରାକରଣ ପାଇଁ ଲଗାତାର ଚେଷ୍ଟା ଚାଲିଥିବା ବେଳେ ଏବେ ପରିବେଶକୁ ଦୂଷିତ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ପ୍ଲାଷ୍ଟିକ। ପ୍ରତିଦିନ କୁଢ କୁଢ ପ୍ଲାଷ୍ଟିକ ଆବର୍ଜନା ଦେଶରେ ଗଦା ହେଉଛି। କେବଳ ଆମ ଦେଶ ଭାରତ ନୁହେଁ ସାରା ବିଶ୍ୱରେ ଏହି ସମସ୍ୟା ଦେଖାଦେଇଛି। ପ୍ଲାଷ୍ଟିକ ଆବର୍ଜନା ଧିରେ ଧିରେ ବୃଦ୍ଧି ପାଉଥିବା ବେଳେ ଏହାର କୁପ୍ରଭାବ ସିଧାସଳଖ ପରିବେଶ ଉପରେ ପଡୁଛି।

ତେବେ ପ୍ଲାଷ୍ଟିକ ଆବର୍ଜନାରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଲଗାତାର ଚେଷ୍ଟା ଚଳାଇଛନ୍ତି। ବ୍ରିଟିଶର ବୈଜ୍ଞାନିକମାନେ ଏପରି ଏକ ଏନଜାଇମର ତିଆରି କରିଛନ୍ତି, ଯାହା ପ୍ଲାଷ୍ଟିକରେ ଥିବା ରାସାୟନିକ ପଦାର୍ଥକୁ ନଷ୍ଟ କରି ପରିବେଶକୁ ଦୂଷିତ ହେବାରୁ ରକ୍ଷା କରିବ।

ବ୍ରିଟେନର ୟୁନିଭରସିଟି ଅଫ୍‌ ପୋର୍ଟସମାଉଥ ଏବଂ ଆମେରିକାର ଏନର୍ଜୀ ଲାବ୍ରୋଟାରୀର ବିଶେଷଜ୍ଞମାନେ ପେଟେଜ ନାମକ ଏକ ଏନଜାଇମ ବିକଶିତ କରିଛନ୍ତି। ବିଶେଷଜ୍ଞମାନେ ଜାପାନର ଏକ ରିସାଇକ୍ଲିଙ୍ଗ ସେଣ୍ଟରରେ ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ରିସର୍ଚ୍ଚ କରୁଥିବା ବେଳେ ଦୁର୍ଘଟଣା ବସତଃ ଏହି ଏନଜାଇମର ଉତ୍ପତି ହୋଇଥିଲା। ବୈଜ୍ଞାନିକ ମାନେ ଏହି ଏନଜାଇମ ଉପରେ ଅଧିକ ବିଶ୍ଲେଷଣ କରି ପେଟେଜକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାରେ ସକ୍ଷମ ହୋଇ ପାରିଛନ୍ତି । ଯାହା ଫଳରେ ପ୍ଲାଷ୍ଟିକକୁ ରିସାଇକ୍ଲିଙ୍ଗ କରି ଦେଶରେ ଜମା ହେଉଥିବା ଆବର୍ଜନାକୁ ବଢିବାରେ ରୋକାଯାଇ ପାରିବ।

ସୂଚନା ଅନୁଯାୟୀ, ଭାରତ, ଚୀନ, ଇଣ୍ଡୋନେସିୟା, ଭିଏତନାମା ଏବଂ ଶ୍ରୀଲଙ୍କା ଆଦି ଦେଶ ପରିବେଶକୁ ଦୂଷିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଭାରତରେ ବର୍ଷକୁ ପ୍ରାୟ ୫୬ ଲକ୍ଷ ଟନ ପ୍ଲାଷ୍ଟିକ ଆବର୍ଜନା ଜାତ ହେଉଛି। ସେହିଭଳି ବ୍ରିଟେନ ୩୦ ଆରବ ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ଫୋପାଡି ଦେଉଥିବା ବେଳେ ଏଥିରୁ ମାତ୍ର ୫୭ ପ୍ରତିଶତ ପୂନଃ ବ୍ୟବହାର ଉପଯୋଗୀ ହୋଇପାରୁଛି। କେବଳ ସେତିକି ନୁହେଁ ଚୀନ ମଧ୍ୟ ପ୍ରତିବର୍ଷ ପ୍ରାୟ ୨୪ ଲକ୍ଷ ଟନ ଆବର୍ଜନା ସମୁଦ୍ରକୁ ଫୋପାଡି ଦେଉଛି । ଯଦି ଏଭଳି ପରିସ୍ଥିତି ଲାଗି ରହେ ତେବେ ୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ମାନଙ୍କ ସଂଖ୍ୟା ଠାରୁ ପ୍ଲାଷ୍ଟିକ ସଂଖ୍ୟା ଅଧିକ ହୋଇଯିବ।

ସମ୍ବନ୍ଧିତ ଖବର