ଆମେରିକାର ‘ଇନ୍‌ଭର୍ସନ୍‌’ ନାମକ ଷ୍ଟାର୍ଟଅପ୍ କମ୍ପାନି ଏକ ବୈପ୍ଳବିକ ମହାକାଶ ବିତରଣ ପ୍ରଣାଳୀ ଉନ୍ମୋଚନ କରିଛି, ଯାହା ମାତ୍ର ୬୦ ମିନିଟ୍‌ ଭିତରେ ପୃଥିବୀର ଯେକୌଣସି କୋଣରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇପାରିବ। ‘ଆର୍କ’ ନାମକ ଏକ ମହାକାଶଯାନ ମାଧ୍ୟମରେ କକ୍ଷପଥରୁ ଘଣ୍ଟାକ ଭିତରେ ଏପରି ବିଶ୍ୱସ୍ତରୀୟ ବିତରଣ ସମ୍ଭବ ବୋଲି ପ୍ରତିଶ୍ରୁତି ମିଳିଛି। ଆମେରିକାର ଲସ୍ ଆଞ୍ଜେଲସ୍ ଠାରେ ‘ଇନ୍‌ଭର୍ସନ୍‌’ର ସହ-ପ୍ରତିଷ୍ଠାତା ଜଷ୍ଟିନ୍ ଫିଆସେଟି ଏବଂ ଅଷ୍ଟିନ୍ ବ୍ରିଗ୍‌ସଙ୍କ ଦ୍ୱାରା ଉନ୍ମୋଚିତ ‘ଆର୍କ’ ଯାନକୁ ମହାକାଶରୁ ପୃଥିବୀକୁ ସିଧାସଳଖ ୫୦୦ ପାଉଣ୍ଡ (ପ୍ରାୟ ୨୨୫ କିଲୋଗ୍ରାମ) ପର୍ଯ୍ୟନ୍ତ ପଣ୍ୟ ପରିବହନ ପାଇଁ ଡିଜାଇନ୍ କରାଯାଇଛି। ଯାନଟି ପୂର୍ବରୁ ୪ଟି ସଫଳ ପରୀକ୍ଷଣ ଉଡ଼ାଣ ସାରିଛି ଏବଂ ବାଣିଜ୍ୟିକ ବ୍ୟବହାର ପୂର୍ବରୁ ୨୦୨୬ରେ ପ୍ରଥମେ ଆମେରିକୀୟ ସାମରିକ କାର୍ଯ୍ୟ ପାଇଁ ନିୟୋଜିତ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Advertisment

ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପିତ ହୋଇ ଥିବା ‘ଆର୍କ’ ଯାନଟି ନିର୍ଦ୍ଦେଶ ପାଇବା ମାତ୍ରେ ଡାକ୍ତରୀ କିଟ୍, ଜରୁରୀକାଳୀନ ରିଲିଫ୍ ଭଳି ସାମଗ୍ରୀ ନେଇ ପୃଥିବୀର ନିର୍ଦ୍ଦିଷ୍ଟ ସ୍ଥାନରେ ଅବତରଣ କରିପାରିବ

ସୂଚନାଯୋଗ୍ୟ, ଏହା ଏଭଳି ଏକ ମହାକାଶଯାନ, ଯାହା କୌଣସି ଡେଣା କିମ୍ବା ରନୱେର ଆବଶ୍ୟକତା ବିନା ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରିପାରିବ। ପ୍ରାୟ ୮ଫୁଟ ଲମ୍ବ ଏବଂ ୪ ଫୁଟ ଓସାରର ଏହି ଯାନଟି ଆକାଶଛତା ସାହାଯ୍ୟରେ ଯେକୌଣସି ସ୍ଥାନରେ ଓହ୍ଲାଇପାରିବ। ଏକ ରକେଟ୍‌ ସାହାଯ୍ୟରେ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପିତ ହୋଇ ଏହା ନିର୍ଦ୍ଦେଶ ପାଇବା ମାତ୍ରେ ବାୟୁମଣ୍ଡଳରେ ପୁନଃ ପ୍ରବେଶ କରିବ। ପୁନଃ ପ୍ରବେଶ ସମୟରେ ଏହା ମାକ୍ ୨୦ (ଘଣ୍ଟାକୁ ୨୪ ହଜାର କି.ମି.ରୁ ଅଧିକ) ବେଗରେ ଯାତ୍ରା କରିବ। ଏହା ଏପରି ଏକ ଢାଲ ଦ୍ବାରା ସୁରକ୍ଷିତ, ଯାହା ୩,୦୦୦ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିବାକୁ ସକ୍ଷମ। ମହାକାଶଯାନଟି ପାଞ୍ଚ ବର୍ଷ ପର୍ଯ୍ୟନ୍ତ କକ୍ଷପଥରେ କାର୍ଯ୍ୟକ୍ଷମ ରହି ଡାକ୍ତରୀ କିଟ୍ ଓ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ଠାରୁ ଆରମ୍ଭ କରି ଡ୍ରୋନ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସାମଗ୍ରୀ ଯୋଗାଣ କରିପାରିବ।

ବର୍ତ୍ତମାନ ‘ଆର୍କ’ ଯାନଟି ଏକକ ବ୍ୟବହାରଯୋଗ୍ୟ ହୋଇଥିବା ବେଳେ କମ୍ପାନି ଭବିଷ୍ୟତରେ ପୁନଃ ବ୍ୟବହାରଯୋଗ୍ୟ ମଡେଲ ନିର୍ମାଣ କରିବାକୁ ଯୋଜନା କରୁଛି। ତେବେ ପୃଥିବୀର ବାୟୁମଣ୍ଡଳରେ ବାରମ୍ବାର ପୁନଃପ୍ରବେଶ କରିବାକୁ ସକ୍ଷମ ଏକ ମହାକାଶଯାନ ବିକଶିତ କରିବା ଦିଗରେ ଅନେକ ବୈଷୟିକ ଆହ୍ବାନ ରହିଛି। ଏଥି ସହିତ ଏହାର ପ୍ରକ୍ଷେପଣ ଖର୍ଚ୍ଚ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେବେ ଏତେ ସବୁ ଆହ୍ବାନ ସତ୍ତ୍ୱେ, ବିଶେଷଜ୍ଞମାନେ ଆର୍କକୁ ବିଶେଷକରି ଜରୁରୀକାଳୀନ ସ୍ଥିତି ଏବଂ ମାନବୀୟ ସହାୟତା ଦିଗରେ ବୈପ୍ଳବିକ ବିକାଶ ବୋଲି ବିଚାର କରୁଛନ୍ତି। ଘଣ୍ଟାକ ଭିତରେ ବିପର୍ଯ୍ୟସ୍ତ ଅଞ୍ଚଳକୁ ଜୀବନ ରକ୍ଷାକାରୀ ଔଷଧ, ଟିକା କିମ୍ବା ଖାଦ୍ୟ ଯୋଗାଇବାର କ୍ଷମତା ଯୋଗୁଁ ଏହାର ଆବଶ୍ୟକତା ଖୁବ୍‌ ଅଧିକ।