ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ଭାରତ ପେଟ୍ରୋଲ୍‌ରେ ୨୦% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ହାସଲ କରିଛି ଏବଂ ୨୦୩୦ ସୁଦ୍ଧା ୩୦%ରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଏହା ଦେଶର ସବୁଜ ଇନ୍ଧନ ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍‌ଧି ହୋଇଥିବା ବେଳେ ଏହି ପଦକ୍ଷେପ ବିଶେଷକରି ଯାନବାହନ ଇଞ୍ଜିନର କାର୍ଯ୍ୟଦକ୍ଷତା ଏବଂ ଇଥାନଲ୍ ଉତ୍ପାଦନର ପରିବେଶଗତ ପ୍ରଭାବ ବାବଦରେ ଚିନ୍ତା ସୃଷ୍ଟି କରିଛି। ପେଟ୍ରୋଲିଅମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏକ ସାମାଜିକ ଗଣମାଧ୍ୟମ ସ୍ପଷ୍ଟୀକରଣ ଜାରି କରି କହିଛି ଯେ ଇଥାନଲ୍ ମିଶ୍ରିତ ଇନ୍ଧନ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ସହ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବ। 

Advertisment

ପେଟ୍ରୋଲ୍‌ ତୁଳନାରେ ଆଖୁ-ଆଧାରିତ ଇଥାନଲ୍‌ରୁ ୬୫% କମ୍ ଏବଂ ମକା-ଆଧାରିତ ଇଥାନଲ୍‌ରୁ ୫୦% କମ୍ ସବୁଜଗୃହ ବାଷ୍ପ ନିର୍ଗମନ ହୋଇଥାଏ, କିନ୍ତୁ ଇଥାନଲ୍‌ ଉତ୍ପାଦନ ପଛରେ ଅତିରିକ୍ତ ପରିବେଶ କ୍ଷତି ମଧ୍ୟ ହୋଇଥାଏ

ଇଥାନଲ୍ ମିଶ୍ରଣରେ ସାଧାରଣତଃ ପେଟ୍ରୋଲ ସହିତ ଆଖୁ, ମକା ଓ କୃଷି ବର୍ଜ୍ୟବସ୍ତୁ ପରି ଉଦ୍ଭିଦ ଉତ୍ସରୁ ପ୍ରାପ୍ତ ‘ବାୟୋଇଥାନଲ୍’ ଇନ୍ଧନର ମିଶ୍ରଣ କରାଯାଇଥାଏ। ଯଦିଓ ପେଟ୍ରୋଲ୍‌ ତୁଳନାରେ ଆଖୁ-ଆଧାରିତ ଇଥାନଲ୍‌ରୁ ୬୫% କମ୍ ଏବଂ ମକା-ଆଧାରିତ ଇଥାନଲ୍‌ରୁ ୫୦% କମ୍ ସବୁଜଗୃହ ବାଷ୍ପ ନିର୍ଗମନ ହୋଇଥାଏ, ତେବେ ଇଥାନଲ୍‌ ଉତ୍ପାଦନ ପଛରେ ଅତିରିକ୍ତ ପରିବେଶ କ୍ଷତି ମଧ୍ୟ ହୋଇଥାଏ। ଭାରତରେ ଇଥାନଲ୍‌ର ପ୍ରମୁଖ ଉତ୍ସ ଆଖୁ ଏକ ଜଳ-ନିର୍ଭରଶୀଳ ଫସଲ। ସୁତରାଂ ଜଳ-କ୍ଳିଷ୍ଟ ଦେଶରେ, ଅଧିକ ପରିମାଣର ଆଖୁ ଚାଷ ମରୁଡ଼ି ପରିସ୍ଥିତିକୁ ଆହୁରି ତୀବ୍ର କରିପାରେ। ଏଥି ସହିତ ଇଥାନଲ୍‌ ଉତ୍ପାଦନ ପ୍ରକ୍ରିୟାରୁ ‘ଭିନାସି’ ନାମକ ଏକ ପ୍ରଦୂଷକ ସାମଗ୍ରୀ ଉତ୍ପନ୍ନ ହୁଏ, ଯାହା ସ୍ଥାନୀୟ ପର୍ଯ୍ୟାବରଣ ପ୍ରଣାଳୀକୁ କ୍ଷତି ପହଞ୍ଚାଇପାରେ।

ସେହିପରି ଇଥାନଲ୍‌ ଫସଲ ଚାଷକୁ ବିସ୍ତାର କରିବା ପାଇଁ ଜଙ୍ଗଲ ଜମି ସଫା କରିବାକୁ ପଡ଼ିପାରେ, ଯାହା ଜୈବ ବିବିଧତା ଏବଂ ଅଙ୍ଗାର ଶୋଷଣ ପାଇଁ ବିପଦ ସୃଷ୍ଟି କରିବ। ଅଧିକନ୍ତୁ, ବର୍ଦ୍ଧିତ ଆଖୁ ଓ ମକା ଚାଷ ଅନ୍ୟାନ୍ୟ ଜରୁରୀ ଫସଲ ପାଇଁ ଉପଲବ୍ଧ ଜମିର ଆକାର ହ୍ରାସ କରିପାରେ, ଯାହା ମୁଦ୍ରାସ୍ଫୀତି ଓ ଖାଦ୍ୟ ଅସୁରକ୍ଷାର କାରଣ ହୋଇପାରେ। ତେବେ ଏଥିପାଇଁ ସରକାରଙ୍କୁ ଜୈବ ଇନ୍ଧନ ଉତ୍ସଗୁଡ଼ିକୁ ଶୈବାଳ, କୃଷି ଅବଶିଷ୍ଟାଂଶ ପରି ବିବିଧ କରିବା, ଇଥାନଲ୍ ଉତ୍ପାଦନକାରୀ ଶିଳ୍ପଗୁଡ଼ିକ ଉପରେ କଠୋର କଟକଣା ଲାଗୁ କରିବା ଏବଂ ସ୍ଥାୟୀ କୃଷି ପଦ୍ଧତି ସୁନିଶ୍ଚିତ କରିବାକୁ ପଡ଼ିବ। ତେବେ ଯାଇ ଇଥାନଲ୍ ମିଶ୍ରଣ ନୂତନ ପରିବେଶଗତ ସମସ୍ୟା ସୃଷ୍ଟି ନକରି ଏକ ସ୍ୱଚ୍ଛ, ସବୁଜ ଅର୍ଥନୀତିର ପ୍ରତିଶ୍ରୁତି ହାସଲ କରିପାରିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।