ଆମ ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତିର ବରଫାଚ୍ଛନ୍ନ ଉପଗ୍ରହ ‘ୟୁରୋପା’ରେ ଜୀବସତ୍ତା ଖୋଜିବା ଲାଗି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ମହାକାଶ ଯାନ ‘ୟୁରୋପା କ୍ଲିପର୍’ ଅଭିଯାନ ଆରମ୍ଭ କରିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୃଥିବୀ ବାହାରେ ଜୀବନ ଅନୁକୂଳ ପରିବେଶର ସନ୍ଧାନ କରିବା।
ଅତୀତରେ ୟୁରୋପା ପାଖ ଦେଇ ଯାତ୍ରା କଲାବେଳେ ୧୯୭୯ରେ ଦୁଇଟି ‘ଭଏଜର୍’ ଯାନ ଏହାର ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିଥିଲେ। ଏହା ପରେ ‘ଗାଲିଲିଓ’ ମହାକାଶଯାନ ୧୯୯୭ରୁ ୧୯୯୯ ମଧ୍ୟରେ ୧୨ ଥର ଏହି ଉପଗ୍ରହର ନିକଟତର ହୋଇ ଏହାର ଏପର୍ଯ୍ୟନ୍ତର ସବୁଠାରୁ ସୂକ୍ଷ୍ମ ଅଧ୍ୟୟନ କରିଥିଲା। ମାତ୍ର ଦୁଇ ବର୍ଷ ତଳେ ‘ଜୁନୋ’ ମହାକାଶଯାନ ୟୁରୋପା ପୃଷ୍ଠରୁ ମାତ୍ର ୨୧୯ ମାଇଲ୍ ଦୂରତାକୁ ଯାଇ ଏହାର ସବୁଠାରୁ ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିଥିଲା। ତେବେ ‘ୟୁରୋପା କ୍ଲିପର୍’ ହେଉଛି ପ୍ରଥମ ମିସନ୍ ଯାହା ସ୍ବତନ୍ତ୍ର ଭାବେ ୟୁରୋପାର ଅଧ୍ୟୟନ ଲାଗି ପ୍ରେରିତ।
ପୂର୍ବ ଅଧ୍ୟୟନରୁ ଅନୁମାନ କରାଯାଏ ଯେ ‘ୟୁରୋପା’ର ବରଫ ତଳେ ବିଶାଳ ମହାସାଗର ଲୁଚି ରହିଛି, ଯାହା ଜୀବନଧାରଣ ଲାଗି ଅନୁକୂଳ ପରିବେଶ ଯୋଗାଇପାରିବ। ଗତ ୧୪ ତାରିଖରେ ଉତ୍କ୍ଷେପିତ ‘ୟୁରୋପା କ୍ଲିପର୍’ ମହାକାଶଯାନ ୧୮୦ କୋଟି କି.ମି. ଅତିକ୍ରମ କରି ୨୦୩୦ ମସିହା ବେଳକୁ ବୃହସ୍ପତିର କକ୍ଷପଥରେ ପ୍ରବେଶ କରିବ। ରୋଚକ କଥା ହେଲା ଗତ ବର୍ଷ ଏପ୍ରିଲ୍ ୧୪ରେ ‘ୟୁରୋପିଆନ୍ ସ୍ପେସ୍ ଏଜେନ୍ସି’ ଦ୍ବାରା ପ୍ରେରିତ ‘ଜୁସ୍’ ମହାକାଶଯାନ ବୃହସ୍ପତିରେ ପହଞ୍ଚିବାର ବର୍ଷେ ପୂର୍ବରୁ ଏହା ସେଠାରେ ପହଞ୍ଚିଯିବ। ଏହା ପରେ ‘କ୍ଲିପର୍’ ୪୯ ଥର ୟୁରୋପାର ପାର୍ଶ୍ବ ଦେଇ ଗତି (ଫ୍ଲାଏ ବାଏ) କରିବାର ଯୋଜନା ରହିଛି। ଏଥିରେ ଖଚିତ ଅତ୍ୟାଧୁନିକ ଯନ୍ତ୍ରପାତିଗୁଡ଼ିକ ‘ୟୁରୋପା’ ପୃଷ୍ଠରେ ରହିଥିବା ପଦାର୍ଥଗୁଡ଼ିକର ବିଶ୍ଳେଷଣ କରିବା ସହ ପ୍ରଥମ ଥର ତାହାର ପୃଷ୍ଠ ତଳେ ରହିଥିବା ବରଫ ଆବରଣକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବ।
ସେହିପରି ‘ୟୁରୋପା’ ବାୟୁମଣ୍ଡଳରେ ଜୈବପଦାର୍ଥର ସନ୍ଧାନ କରିବ। ‘ୟୁରୋପା କ୍ଲିପର୍’ରେ ଖଚିତ ‘ମାଇସ୍’ ନାମକ ସରଞ୍ଜାମ ତାହାର ପୃଷ୍ଠରେ ଥିବା ବିଭିନ୍ନ ପ୍ରକାର ପଦାର୍ଥକୁ ଠାବ ଓ ଚିହ୍ନଟ କରିବ। ସେହିପରି ସରଞ୍ଜାମ ‘ଇ-ଥେମିସ୍’ ୟୁରୋପା ପୃଷ୍ଠରେ ସକ୍ରିୟ ଭୌଗୋଳିକ ପ୍ରକ୍ରିୟାକୁ ସୂଚାଉଥିବା ସମ୍ଭାବ୍ୟ ଉଷ୍ମ ସ୍ଥାନ ଅନ୍ବେଷଣ କରିବ। ଏହା ୟୁରୋପାର ଅଭ୍ୟନ୍ତର ଗଠନ ବାବଦରେ ମଧ୍ୟ ପରୀକ୍ଷାନିରୀକ୍ଷା ଚଳାଇବ। ବୈଜ୍ଞାନିକମାନେ ‘ୟୁରୋପା କ୍ଲିପର୍ ମ୍ୟାଗ୍ନେଟୋମିଟର’ ଓ ‘ପ୍ଲାଜମା ଇନ୍ଷ୍ଟ୍ରୁମେଣ୍ଟ୍ ଫର ମାଗ୍ନେଟିକ୍ ସାଉଣ୍ଡିଂ’ ବଳରେ ୟୁରୋପାର ଚୁମ୍ବକୀୟ କ୍ଷେତ୍ର ଓ ବିଦ୍ୟୁତ୍ ସ୍ରୋତର ପରିମାଣ ମାପି ବରଫ ଆସ୍ତରଣର ମୋଟେଇ, ତାହା ତଳେ ରହିଥିବା ମହାସାଗରର ଗଭୀରତା ଓ ଜଳର ଲବଣତା ସମ୍ପର୍କରେ ଜାଣିପାରିବେ, ଯାହା ସମ୍ଭାବ୍ୟ ଜୀବସତ୍ତା ବାବଦରେ ଆଲୋକପାତ କରିପାରିବ। ‘ୟୁରୋପା’ ଅଭିଯାନରୁ ମିଳିବାକୁ ଥିବା ତଥ୍ୟ ଆମ ସୌରଜଗତରେ ଜୀବନର ସତ୍ତା ନେଇ ଅନେକ ରହସ୍ୟ ଉନ୍ମୋଚନ କରିପାରିବ ଏବଂ ଭବିଷ୍ୟତରେ ଏହି ଉପଗ୍ରହରେ ମହାକାଶଯାନ ଅବତରଣ ଲାଗି ପ୍ରସ୍ତୁତି ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/17/wYuJUgrTbhBDPpbsTyXm.jpg)