ଦିଲୀପ ମଧ୍ୟ ମନାଇପାରିଲେନି

ଟ୍ବିଟାପଗ୍ରାମ୍ ବୁକ୍/ ଅରବିନ୍ଦ ଦାସ

ଜାତୀୟ ଦଳ ଜିତିଲେ ଖେଳାଳିମାନଙ୍କୁ ସେମାନଙ୍କ ସମର୍ଥକମାନେ ଯେତିକି ପ୍ରଶଂସା କରନ୍ତି, ହାରିଗଲେ ସେତିକି ଗାଳିଫଜିତ୍ ବି କରନ୍ତି। ଦଳର ବିପର୍ଯ୍ୟୟ ହେଲେ ନିଜ ହିରୋମାନଙ୍କୁ ପ୍ରବଳ ସମାଲୋଚନା କରନ୍ତି; ଏପରିକି ମୁହଁରେ ବାଡ଼ବତ୍ତା ରହେନାହିଁ। ଓଡ଼ିଶାର ଗର୍ବଗୋୖରବ, କିଂବଦନ୍ତି ତାରକା ଦିଲୀପ ତିର୍କୀ (@DilipTirkey) ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଜାପାନ ବିପକ୍ଷରେ ଟିମ୍ ଇଣ୍ଡିଆର ୮-୦ ଗୋଲ୍‌ରେ ବୃହତ୍ ବିଜୟକୁ ନେଇ ଦିଲୀପ ଖୁସିରେ ଏକ ଟ୍ବିଟ୍ କଲେ। ହକି ଇଣ୍ଡିଆର ଏକ ଭିଡିଓକୁ ସଭାପତି ଦିଲୀପ ରିଟ୍ବିଟ୍ କରି ଲେଖିଲେ, Our team has bounced back in style with an 8-0 win over Asian heavyweights Japan in their classification match. Best wishes for the next match against South Africa. ବାସ୍!

ତା’ପରେ ଆଉ ଦେଖେ କିଏ? ଆରମ୍ଭ ହୋଇଗଲା ତାଚ୍ଛଲ୍ୟଭରା କ୍ଷେଦୋକ୍ତି। ଜାପାନ ପୁଣି କେବେଠୁ ହେଭିୱେଟ୍ ହେଲାଣି? ନବମ ସ୍ଥାନ ପାଇଁ ଲଢ଼ିବା କ’ଣ ଗୋଟେ ଗୋୖରବର କଥା? ଆୟୋଜକ ଦଳ ଭାବେ ଟିମ୍‌ ଇଣ୍ଡିଆ ପ୍ରତିଯୋଗିତାରୁ ବାହାରିଯିବା କଥାକୁ ହଜମ କରିହେଉନି, ଖିଆପିଆ କରିବାକୁ ଇଚ୍ଛା ହେଉନି; ଅଥଚ ଆପଣ କହୁଛନ୍ତି ଦଳ ବାଉନ୍ସ ବ୍ୟାକ୍ କଲା? ଏପରି ଅପ୍ରାସଙ୍ଗିକ ମ୍ୟାଚ୍‌ରେ ଦଳର ପ୍ରଦର୍ଶନକୁ ନେଇ ଖୁସି ହେବା ଦରକାର ନାହିଁ। ଏମିତି କେତେ ପ୍ରଶ୍ନ ଓ ଉପଦେଶ..! ଜଣେ ତ ସବୁ ରାଗ ଅଜାଡ଼ିଦେଇଛନ୍ତି ଗୋଲ୍‌କିପର ଶ୍ରୀଜେଶଙ୍କ ଉପରେ। ଆଉ ଜଣେ ଛିଗୁଲେଇକି କହିଛନ୍ତି, ଏଇଥିପାଇଁ ତ ଟିମ୍‌ ଇଣ୍ଡିଆ ଖେଳାଳି ଏମାନଙ୍କୁ ନା କେହି ଅର୍ଥ ପୁରସ୍କାର ଦେଉଛନ୍ତି ନା କେହି ବଡ଼ ବିଜ୍ଞାପନରେ ସ୍ଥାନ ଦିଅନ୍ତି।

ସମ୍ବନ୍ଧିତ ଖବର