ଏ କଥାର ଆଜି ବି ପ୍ରାସଙ୍ଗିକତା ରହିଛି। ଜଣେ ବିପଜ୍ଜନକ ନ ହେଲେ ମଧ୍ୟ ବାହାରକୁ ତାହା ପ୍ରଦର୍ଶନ କରିବା ଅନୁଚିତ। ମାତ୍ରାଧିକ ନିରୀହପଣିଆ ଦେଖାଇଲେ ଅନ୍ୟମାନେ ଏହାର ସୁଯୋଗ ନେଇ ଅସୁବିଧାରେ ପକାଇ ଥାଆନ୍ତି। ଚାଣକ୍ୟଙ୍କ ଅର୍ଥଶାସ୍ତ୍ରରେ ପରିଚାଳନା ସକାଶ ଆବଶ୍ୟକ ଗୁଣାବଳୀରେ ଏ କଥା ବୁଝାଇ ଦିଆଯାଇଛି।
ଦୁନିଆରେ ବଞ୍ଚିବା ପାଇଁ ଏଇ କଳାଟି ଅପରିହାର୍ଯ୍ୟ। ଏଇ ମର୍ମରେ ପୁରୁଣା ଗଳ୍ପଟିଏ ଅଛି। ପଢ଼ିଲେ ହୃଦ୍ବୋଧ ହେବ।
ପୁରୁଣା ଦିନର କଥା। ଦୁଷ୍ଟ ସର୍ପଟିଏ ଥିଲା ଯେ, ତା’ ହାବୁଡ଼ରେ ଯିଏ ପଡୁଥିଲା ତାକୁ ସେ ଦଂଶୁଥିଲା। ତେଣୁ ପିଲାଏ ଓ ଗାଁ ଲୋକେ ରାତି ଅନ୍ଧାରରେ ପଦାକୁ ବାହାରିବାକୁ ଭୟ କରୁଥିଲେ।
ଦିନେ ସେ ଗାଁ’ ବାଟ ଦେଇ ଯାଉଥିବା ଜଣେ ମୁନି ଦେଖିଲେ ସେ ଦୁଷ୍ଟ ସର୍ପ ଗୋଟାଏ ପିଲାକୁ ଦଂଶିବାକୁ ଯାଉଛି। ମୁନି ପାଟିକରି ସର୍ପକୁ କହିଲେ, ଯଦି ତୋର ମନ୍ଦ ସ୍ୱଭାବ ପରିହାର ନ କରୁ ଅଭିଶାପ ପାଇବୁ। ସର୍ପ ଭୟ ପାଇ ପ୍ରତିଶ୍ରୁତି ଦେଲା କି, ଏବେ ଠାରୁ ସେ ଆଉ କାହାରିକୁ ଦଂଶନ କରିବ ନାହିଁ।
ଦିନ ଗଡ଼ି ଚାଲିଲା। ଅଳ୍ପ କିଛି ମାସ ଅନ୍ତେ ସେ ମୁନି ଜଣକ ପୁଣି ଥରେ ସେଇ ଗାଁ ବାଟେ ଯାଉ ଯାଉ ଦେଖିଲେ ପିଲାଏ ସେ ସର୍ପ ସହ ଖେଳି ତାକୁ ବଡ଼ କଲବଲ କରୁଛନ୍ତି। ଛେଚି କଚାଡ଼ି ତାକୁ ଦରମରା କରି ସାରିଲେଣି।
ମୁନିଙ୍କୁ ଦେଖି ସର୍ପ ଲୁହ ଛଳଛଳ ଆଖିରେ କହିଲା ମୋ ପ୍ରତିଜ୍ଞା ଯୋଗଁ ଆଜି ମୋର ଏଭଳି ପରିସ୍ଥିତି।
ମୁନି କହିଲେ: ମୁଁ ତତେ ନ କାମୁଡ଼ିବାକୁ କହିଥିଲି। ଦାନ୍ତ ଦେଖାଇ ଫଁ’ କରିବାକୁ ତ ମନା କରି ନ ଥିଲି। ମୁନିଙ୍କ କଥା ମାନିବା ପରେ ପିଲାଏ ସାପକୁ ଛାଡ଼ି ପଳାଇ ଥିଲେ।