କେହି କେବେ ଭାବି ନ ଥିଲେ ଯେ ପୃଥିବୀର ସର୍ବୋଚ୍ଚ ଶିଖର ଏଭରେଷ୍ଟରେ ମଣିଷ ଜମା କରିଥିବା ଆବର୍ଜନା ଏକ ପାରିବେଶିକ ସଂକଟ ଭାବେ ଉଭା ହେବ। ୨୦୧୯ ମସିହାରୁ ନେପାଳ ସେନାବାହିନୀ ପକ୍ଷରୁ ଦୁଇମାସ ଧରି ‘ଆବର୍ଜନା ମୁକ୍ତ ଏଭରେଷ୍ଟ’ ଅଭିଯାନ ଆରମ୍ଭ କରାଯାଇଛି। ପ୍ରତି ବର୍ଷ ହଜାର ହଜାର ଟନ୍ ଆବର୍ଜନା ଏଭରେଷ୍ଟ ଉପରୁ ସଫା କରାଯାଉଛି।

Advertisment

ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୫ ବିଶ୍ୱ ପରିବେଶ ଦିବସ ପର୍ଯ୍ୟନ୍ତ ଚାଲିଥିବା ଆବର୍ଜନା ମୁକ୍ତ ଏଭରେଷ୍ଟ ଅଭିଯାନ ସମୟରେ ୪ ଜଣ ପର୍ବତାରୋହୀଙ୍କ ମୃତ ଶରୀର ଓ ଗୋଟିଏ ମାନବ କଙ୍କାଳ ଅବଶେଷ ସହିତ ୧୧,୦୦୦ କିଲୋଗ୍ରାମ ବର୍ଜ୍ୟସାମଗ୍ରୀ ଅପସାରଣ କରାଯାଇଛି। ନେପାଳୀ ସେନା ଏଭରେଷ୍ଟ ଅନ୍ତର୍ଗତ ଉଚ୍ଚତମ ପର୍ବତ ‌େହ୍ଲାତ୍‌ସେ ଓ ନୁପ୍‌ତସେ ଅଞ୍ଚଳକୁ ଆବର୍ଜନା ମୁକ୍ତ କରିବା ଏକ ବଡ଼ ସଫଳତା। ସଂପ୍ରତି ଜଳବାୟୁ ପରିବର୍ତ୍ତନ ଜନିତ ବିପଦ ମାଡ଼ି ଆସୁଥିବା ସମୟରେ ଏଭରେଷ୍ଟର ଭଙ୍ଗୁର ଅଞ୍ଚଳରେ ମନୁଷ୍ୟକୃତ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ରଖିବା ଏହି ଅଭିଯାନର ଲକ୍ଷ୍ୟ।

ଏଭରେଷ୍ଟ ବେସ୍ କ୍ୟାମ୍ପ ତଳେ ଥିବା ନାମଚେ ବଜାରକୁ ଜୈବିକ ବର୍ଜ୍ୟବସ୍ତୁ ଅଣାଯାଇ ଏହାକୁ ସାଗରମାଥା ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଏସ୍‌ପିସିସି)କୁ ହସ୍ତାନ୍ତର କରାଯାଇଥିଲା। ନନ୍-ବାୟୋଡିଗ୍ରେଡେବଲ୍ ବର୍ଜ୍ୟବସ୍ତୁ ଓ ମୃତଦେହ କାଠମାଣ୍ଡୁ ଅଣାଯାଇଥିଲା। ପ୍ରତି ବର୍ଷ ଏଭରେଷ୍ଟ ଆରୋହୀଙ୍କ ସଂଖ୍ୟାରେ ବୃଦ୍ଧି କାରଣରୁ ଆବର୍ଜନା ଏକ ବିରାଟ ସମସ୍ୟାରେ ପରିଣତ ହୋଇଛି। ଅଭିଯାନ ଆରମ୍ଭ ହେବା ପରଠାରୁ ଏଭରେଷ୍ଟ ଶୃଙ୍ଗ ପର୍ବତାଞ୍ଚଳରୁ ୧୨ଟି ମୃତଦେହ ଓ ୧୮୦ ମେଟ୍ରିକ୍ ଟନ୍ ଆବର୍ଜନା ଅପସାରଣ କରାଯାଇଛି। ଏ ପ୍ରସଙ୍ଗରେ ପ୍ରଥମ ଓଡ଼ିଆ ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନା କହନ୍ତି, “ଗ୍ରୀଷ୍ମ ପ୍ରବାହ ଅବଧି ଓ ବିଶ୍ୱ ତାପନ ବୃଦ୍ଧିର ପ୍ରଭାବ ଏଭରେଷ୍ଟ ଶୃଙ୍ଗ ଉପରେ ପଡ଼ୁଛି। ଏହି କାରଣରୁ ଏଭରେଷ୍ଟରେ ତାପମାତ୍ରା ବିଯୁକ୍ତ ୬୦ ଡିଗ୍ରିରୁ ହ୍ରାସ ପାଇ ବର୍ତ୍ତମାନ ବିଯୁକ୍ତ ୧୯ ଡିଗ୍ରି ସେଲସିଅସ୍‌ରେ ପହଞ୍ଚିଲାଣି। ଏହାର ପରିଣାମ ସ୍ୱରୂପ ଏଭରେଷ୍ଟ ପର୍ବତାରୋହୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ଏବଂ ସମାନୁପାତରେ ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗର ହିମବାହ ଉପରେ ମନୁଷ୍ୟକୃତ ଆବର୍ଜନା ପରିମାଣ ବଢ଼ି ଚାଲିଛି। ଚଳିତ ବର୍ଷ ଯେତିକି ଆବର୍ଜନା ଏଭରେଷ୍ଟରୁ ସଫା କରାଯାଇଛି ତାହାକୁ ଦେଖିଲେ ମନେହେଉଛି ଖୁବଶୀଘ୍ର ଏହା ଏକ ଆବର୍ଜନା ପାହାଡ଼ ପାଲଟିଯିବ। ଏହି କାରଣରୁ ଏହାକୁ ବର୍ତ୍ତମାନ ପୃଥିବୀର ‘ସର୍ବୋଚ୍ଚ ଅଳିଆ ଗଦା’ ବୋଲି କୁହାଗଲାଣି।’
- ବିଭୂତି ପତି