ପ୍ରଗତି ସାହୁ
ହଜାରେ ଶବ୍ଦ ବି ଫିକା ପଡ଼ିଯାଏ ଗୋଟିଏ ଫଟୋ ଆଗରେ। କଥାରେ ଅଛି ‘ଏ ଫଟୋଗ୍ରାଫ୍ ସ୍ପିକ୍ସ ଏ ଥାଉଜାଣ୍ଡ୍ ୱାର୍ଡସ୍’। ଅର୍ଥାତ୍ ଗୋଟିଏ ଫଟୋ ହଜାରେ ଶବ୍ଦ କହିବାର କ୍ଷମତା ରଖେ। ଫଟୋ ବି ଅନେକ ସ୍ମୃତିର ମୂକସାକ୍ଷୀ। ସେହିଭଳି ଅନେକ ଫଟୋ ଉଠାଇବାକୁ ଖୁସି ପାଆନ୍ତି। ପୁଣି କେତେକଙ୍କର ଏହା ନିଶା ବି! ଏବର ଡିଜିଟାଲ୍ ଓ ସ୍ମାର୍ଟଫୋନ୍ ଯୁଗରେ ତ ସମସ୍ତେ ଜଣେ ଜଣେ ଫଟୋଗ୍ରାଫର୍! କିନ୍ତୁ ଯାହାକୁ ଫଟୋ ଉଠାଇବାର କଳା ମାଲୁମ୍ ସେ ମାମୁଲି ଦିଶୁଥିବା ଘଟଣାକୁ ବି ସୁନ୍ଦର ଓ ସଜୀବ ଭାବେ କ୍ୟାମେରାରେ କଏଦ୍ କରିପାରେ। ଆଜିକାଲି ଆମ ଗହଣରେ ଏଭଳି ଅନେକ ଅଛନ୍ତି, ଯେଉଁମାନେ ସୃଜନଶୀଳ ତଥା କଳାତ୍ମକ ଫଟୋ ଉଠାଇବାକୁ ନିଶା ଓ ପେସା ଭାବେ ଗ୍ରହଣ କରିଛନ୍ତି।
ପ୍ରତିବର୍ଷ ଭଳି ଏ ବର୍ଷ ଅଗଷ୍ଟ ୧୯ ତାରିଖରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ହେଉଛି। ଏ ବର୍ଷର ଥିମ୍ ରହିଛି ‘ମାଇଁ ଫେବରିଟ୍ ଫଟୋ’ ଅର୍ଥାତ୍ ‘ମୋ ପ୍ରିୟ ଫଟୋ’। ଏ ନେଇ ଫ୍ୟାସନ୍ ଫଟୋଗ୍ରାଫର୍ ବୀରେନ୍ ପଟ୍ଟନାୟକ କହନ୍ତି, ‘‘ମୋର ପ୍ରିୟ ଫଟୋ ହେଉଛି ଓଡ଼ିଶାର ଝରଣାଗୁଡ଼ିକର ଫଟୋ। ଯଦିଓ ମଁୁ ଜଣେ ଫ୍ୟାସନ୍ ଫଟୋଗ୍ରାଫର୍ ଓ ମଡେଲ୍ମାନଙ୍କ ଫଟୋ ଉଠାଇବା ମୋ ବୃତ୍ତି; କିନ୍ତୁ ପ୍ରାକୃତିକ ଝରଣା ଓ ତାରାମାନଙ୍କର ଫଟୋ ଉଠାଇବା ହେଉଛି ମୋର ରୁଚି ଓ ଖୁସି। ମଁୁ ୧୦୦ରୁ ଅଧିକ ଝରଣାର ଫଟୋ ଉଠାଇଛି। କେଉଁଝର, ଫୁଲବାଣୀ, ସମ୍ବଲପୁର, ମୟୂରଭଞ୍ଜ, ଗଜପତି ଓ କୋରାପୁଟ ଜିଲ୍ଲା ସମେତ ଓଡ଼ିଶା ବାହାରକୁ ଯାଇ ଝରଣାର ଫଟୋକୁ ମଁୁ କ୍ୟାମେରାରେ କଏଦ୍ କରିଛି।’’
‘‘ଫୁଲବାଣୀ ଜିଲ୍ଲାର ପିଲା ହୋଇଥିବାରୁ ମଁୁ ପ୍ରକୃତିକୁ ଖୁବ୍ ଭଲପାଏ। ପ୍ରତ୍ୟେକ ଫଟୋର କିଛି ନା କିଛି କାହାଣୀ ରହିଥାଏ। ଯେଉଁ ଜାଗାକୁ ଆପଣମାନେ ଯାଇପାରନ୍ତି ନାହିଁ, ଆମେ ଫଟୋ ମାଧ୍ୟମରେ ଆପଣଙ୍କୁ ସେଇ ଜାଗାରେ ପହଞ୍ଚାଇ ଦେଉ। ଫଟୋ ଉଠାଇବା ଗୋଟେ କଳା ଏବଂ ଏଥିଲାଗି ସଂଘର୍ଷ ବି କରିବାକୁ ପଡ଼ିଥାଏ। ପାହାଡ଼ ଉପରକୁ ଚଢ଼ିବାକୁ ପଡ଼େ, ନଦୀର ଧାେର ଧାରେ ଯିବାକୁ ପେଡ଼, ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟ ନେବାକୁ ପଡ଼େ ଏବଂ ଠିକ୍ ସମୟକୁ ଅପେକ୍ଷା କରିବାକୁ ପଡ଼ିଥାଏ। ଝରଣାର ଫଟୋ ଦିନବେଳା ଉଠାଯାଇ ପାରେନାହିଁ। ପାହାନ୍ତା କିମ୍ବା ସଂଧ୍ୟା ସମୟର ଆଲୁଅେର ଏହି ଫଟୋ ଉତ୍ତୋଳନ କରାଯାଇଥାଏ। ଆମକୁ କ୍ୟାମେରା ରିଜୋଲ୍ୟୁସନ୍ଠାରୁ ଆରମ୍ଭ କରି ଏଡିଟ୍ ପର୍ଯ୍ୟନ୍ତ ସମସ୍ତ ଜିନିଷ ଉପରେ ଧ୍ୟାନ ଦେଲେ ଯାଇ ଏକ ପର୍ଫେକ୍ଟ୍ ଫଟୋ ମିଳିଥାଏ ବୋଲି ଶ୍ରୀ ପଟ୍ଟନାୟକ କହନ୍ତି।
ଏହି କ୍ରମରେ ଆସନ୍ତି ବନ୍ୟପ୍ରାଣୀ ଫଟୋଗ୍ରାଫିକୁ ବୃତ୍ତି କରିଥିବା ପ୍ରତିଭାବାନ୍ ଫଟୋଗ୍ରାଫର୍ ଅବିନାଶ ଖେମ୍କା। ବଣ ପାହାଡ଼ ମୁଲକରେ ବୁଲି ବୁଲି ପ୍ରକୃତି କୋଳରେ ବିଚରଣ କରୁଥିବା ପଶୁପକ୍ଷୀଙ୍କ ସ୍ବାଭାବିକ ଚିତ୍ର ଉତ୍ତୋଳନ କରି ସେ ଆତ୍ମସନ୍ତୋଷ ପାଆନ୍ତି। ଚିଲିକା ସମେତ ଭାରତର ବିଭିନ୍ନ ସ୍ଥାନରେ ପକ୍ଷୀମାନଙ୍କ ଫଟୋଗ୍ରାଫି କରୁଥିବା ଅବିନାଶ କହନ୍ତି, ‘‘ଆମ ପାଇଁ ଫଟୋଗ୍ରାଫି ଦିବସଟି ବହୁ ଗୁରୁତ୍ୱ ବହନକରେ। ଚଳିତବର୍ଷ ଏହାର ସ୍ଲୋଗାନ୍ ରହିଛି ‘ମାଇଁ ଫେବରିଟ୍ ଫଟୋ’। ମୁଁ ବଣଜଙ୍ଗଲ, ବନ୍ୟପ୍ରାଣୀ ଓ ବିଭିନ୍ନ ପକ୍ଷୀଙ୍କ ଫଟୋଗ୍ରାଫି କରିବାକୁ ଭଲପାଏ। ଏହାଦ୍ବାରା ନିଜ ରୁଚି ପୂରଣ ହେବା ସହ ପରିବେଶ ସୁରକ୍ଷା ବାର୍ତ୍ତା ବି ଲୋକଙ୍କ ପାଖରେ ପହଞ୍ଚେ। ମୁଁ ପକ୍ଷୀମାନଙ୍କ ଉପରେ ଅଧିକ ଜାଣିବାକୁ ଫଟୋଗ୍ରାଫି ଆରମ୍ଭ କରିଥିଲି।’’