ବ୍ରହ୍ମାଣ୍ଡରେ ଲକ୍ଷ ଲକ୍ଷ ଛାୟାପଥ ଥିବା ବେଳେ ଆମ ସୌରମଣ୍ଡଳକୁ ଧାରଣ କରିଥିବା ଆକାଶଗଙ୍ଗା ହେଉଛି ଏକ ମଧ୍ୟମ ଧରଣର ଛାୟାପଥ। ଆକାଶଗଙ୍ଗାର କୋଟି କୋଟି ନକ୍ଷତ୍ର ମଧ୍ୟରୁ ଆମ ସୌରମଣ୍ଡଳର ହର୍ତ୍ତାକର୍ତ୍ତା ସୂର୍ଯ୍ୟ ହେଉଛି ଏକ ମଧ୍ୟମ ଧରଣର ନକ୍ଷତ୍ର। ତେଣୁ ବିଶ୍ବବ୍ରହ୍ମାଣ୍ଡରେ ଏମିତି ଅସଂଖ୍ୟ ସୌରମଣ୍ଡଳରେ କୋଟି କୋଟି ପୃଥିବୀତୁଲ୍ୟ ଜୀବଜଗତପୂର୍ଣ୍ଣ ଗ୍ରହ ରହିଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ସେଭଳି ଏକ ସମ୍ଭାବନାକୁ ପାଥେୟ କରି ଜ୍ୟୋତିର୍ବିଜ୍ଞାନୀମାନେ ଅନ୍ୟ ଗ୍ରହରେ ଜୀବସତ୍ତାର ସନ୍ଧାନରେ ଲାଗିପଡ଼ିଛନ୍ତି। ପ୍ରାଣୀ ହେଉ ବା ଉଦ୍ଭିଦ, ଯେ କୌଣସି ଜୀବସତ୍ତାର ଅସ୍ଥିତ୍ବ ପାଇଁ ଜଳ ଅପରିହାର୍ଯ୍ୟ। ତେଣୁ ପୃଥିବୀ ବାହାରେ କେଉଁଠି ଜଳର ଉପସ୍ଥିତି ଠଉରେଇବା ପାଇଁ ନାନା ପରୀକ୍ଷାନିରୀକ୍ଷା ଜାରି ରହିଛି।
ଏହି କ୍ରମରେ ଆମଠାରୁ ବହୁ ଦୂରସ୍ଥ ଲିଓ ତାରକାପୁଞ୍ଜ ଅନ୍ତର୍ଗତ ଏକ ଗ୍ରହରେ ଭରପୂର ଜଳ ଗଚ୍ଛିତ ଅଛି ବୋଲି ‘ନାସା’ର ଜେମ୍ସ ୱେବ୍ ଦୂରବୀକ୍ଷଣ ଯନ୍ତ୍ର ଉତ୍ତୋଳନ କରିଥିବା ଫଟୋ ବିଶ୍ଳେଷଣରୁ ସ୍ପଷ୍ଟ ହୋଇଛି। ପୃଥିବୀଠାରୁ ୧୨୦ ଆଲୋକବର୍ଷ ଦୂରରେ ଅବସ୍ଥିତ ‘କେ୨-୧୮ବି’ ନାମକ ଉକ୍ତ ଗ୍ରହଟି ଆକାରରେ ପୃଥିବୀର ୮.୬ ଗୁଣ ବଡ଼ ବୋଲି ଅନୁମାନ କରାଯାଉଛି। ତାହାର ଉଦ୍ଯାନ ବହୁଳ ବାୟୁମଣ୍ଡଳରେ ମିଥେନ୍ ଓ ଅଙ୍ଗାରକାମ୍ଳ ବାଷ୍ପ ପରି ଅଙ୍ଗାର ଯୌଗିକ ଅଛି। ‘କେ୨-୧୮ବି’ର ଉଦ୍ଯାନ ଭର୍ତ୍ତି ବାୟୁମଣ୍ଡଳ ତଳେ ପୃଷ୍ଠଦେଶରେ ଏକ ଜଳର ମହାସାଗର ଛପି ରହିଥିବା ଅନୁମାନ କରାଯାଉଛି। ସେହିପରି ଗ୍ରହଟି ତାହାର ନକ୍ଷତ୍ରଠାରୁ ଏକ ବସବାସଯୋଗ୍ୟ ଦୂରତାରେ ପ୍ରଦକ୍ଷିଣ କରୁଥିବାରୁ ସେଠାରେ ଜୀବସତ୍ତା ତିଷ୍ଠି ରହିଥିବାର ମଧ୍ୟ ଅନେକ ସମ୍ଭାବନା ରହିଛି। ଏଥି ସହିତ ଜେମ୍ସ ୱେବ୍ ଟେଲିସ୍କୋପ୍ ବିଶ୍ଳେଷଣରୁ ସେଠାରେ ଡାଇମିଥାଇଲ୍ ସଲଫାଇଡ୍ ଅଣୁର ସନ୍ଧାନ ମିଳିଛି ଯାହା କେବଳ ପୃଥିବୀର ସାମୁଦ୍ରିକ ପରିବେଶରେ ଜୀବମାନଙ୍କଠାରୁ ସୃଷ୍ଟି ହୋଇଥାଏ। ତେଣୁ ଉକ୍ତ ଗ୍ରହରେ ଜୀବଜଗତ ତିଷ୍ଠି ରହିଥିବା ସମ୍ଭାବନାକୁ ତାହା ବଳଶାଳୀ କରିଛି। ତଥାପି ପୃଥିବୀ ବାହାରେ ଜୀବନ ଖୋଜିବା ଲାଗି ଉନ୍ନତ ଗବେଷଣା ଜାରି ରହିଛି।