ଶୁଚିସ୍ମିତା ବାରିକ

Advertisment

କୌଣସି ଶିଶୁର ଶରୀର ଯଦି ହଠାତ୍‌ ଅସୁସ୍ଥ ହୋଇଯାଏ ତେବେ ଆମେ କହୁ, କିଏ ବୋଧେ ନଜର ପକାଇଦେଲା। ଆଉ କେହି କେହି କହନ୍ତି, ଦୃଷ୍ଟି ପଡ଼ିଗଲା। ଏହାର ନିରାକରଣ ଲାଗି ଆମେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି। କିଏ ଛୋଟ ଛୋଟ ଶିଶୁଙ୍କୁ ନଜରରୁ ବଞ୍ଚାଇବା ପାଇଁ ମଥାରେ କଳାଟିକା ଦେବା ସହ ଗୋଡ଼ରେ କଳାସୂତା ବାନ୍ଧିଥାଆନ୍ତି। ଆଉ କିଏ ବି ଝଡ଼ାଫୁଙ୍କା ବି କରିଥାଆନ୍ତି। କୁନଜର ଲାଗିବା ବା ଦୃଷ୍ଟିପଡ଼ିବାକୁ ଅନେକ ଅନ୍ଧବିଶ୍ବାସ କହୁଥିବା ‌ବେଳେ ଅନେକ ଏପରି ହୁଏ ବୋଲି ବିଶ୍ବାସ କରନ୍ତି। କେବଳ ଭାରତରେ ନୁହେଁ, ବରଂ ପୂରା ପୃଥିବୀରେ ଏହି ବିଶ୍ବାସ-ଅବିଶ୍ବାସ ରହିଛି। ରାସ୍ତାରେ ବିରାଡ଼ି ବାଟ କାଟିବା ଯେମିତି ଲୋକ ପରମ୍ପରାରେ ଅଶୁଭ ବୋଲି ବିବେଚନା କରାଯାଏ, ଠିକ୍‌ ସେମିତି ଖରାପ ନଜର ଦ୍ବାରା କ୍ଷତି ଘଟେ ବୋଲି କୁହାଯାଏ। କୁନଜରରୁ ରକ୍ଷା ପାଇବା ପାଇଁ ଯୁବକଯୁବତୀ ଆଜିକାଲି ଗୋଡ଼ରେ କଳାସୂତା ବାନ୍ଧୁଥିବା ବେଳେ ଆଉ କେହି କେହି ‘ଇଭିଲ୍‌ ଆଇ’ ପ୍ରତୀକ ଥିବା ନୀଳରଙ୍ଗର ତାବିଜ ବ୍ୟବହାର କରୁଛନ୍ତି। ଆସନ୍ତୁ ଜାଣିବା କ’ଣ ଏହି ‘ଇଭିଲ୍‌ ଆଇ’ ଏବଂ ଏହାର ବ୍ୟବହାର କେବେଠାରୁ ଆରମ୍ଭ।

ଇତିହାସ ଆଇନାରେ
ଇତିହାସ କହେ, ‘ଇଭିଲ୍ ଆଇ’ ବା ‘ସଇତାନ୍‌ ଆଖି’ର ସୃଷ୍ଟି ପ୍ରାଚୀନ ମେସୋପଟାମିଆ ସଭ୍ୟତାରୁ। ପ୍ରାଚୀନ ଗ୍ରୀସ୍ ଓ ରୋମ୍‌ରେ ମଧ୍ୟ ‘ଇଭିଲ୍‌ ଆଇ’ର ବ୍ୟବହାର ଦେଖିବାକୁ ମିଳେ। ସେ ସମୟରେ ଲୋକଙ୍କର ବିଶ୍ୱାସ ଥିଲା ଯେ ନୀଳରଙ୍ଗର ‘ଇଭିଲ୍‌ ଆଇ’ ତାବିଜ ପିନ୍ଧିବା ଦ୍ବାରା ଅଶୁଭ ଶକ୍ତି ଓ କୁନଜରରୁ ସୁରକ୍ଷା ମିଳିଥାଏ। ତୁର୍କୀରେ ପ୍ରଚଳିତ କିଂବଦନ୍ତି ଅନୁଯାୟୀ, ଆକାଶ ଦେବତା କୁନଜର ପକାଉ ଥିବା ଲୋକମାନଙ୍କୁ ଠାରୁ ରକ୍ଷା କରିଥାନ୍ତି। ତେଣୁ ଆକାଶର ରଙ୍ଗ ନୀଳ ହୋଇଥିବାରୁ ଖରାପ ନଜରରୁ ବଞ୍ଚିବା ପାଇଁ ଆଖି ଚିହ୍ନ ଥିବା ନୀଳରଙ୍ଗର ତାବିଜ ବ୍ୟବହାର ମଙ୍ଗଳକାରକ। ମାତ୍ର ୟୁରୋପୀୟଙ୍କ ମତ ଠିକ୍‌ ଓଲଟା। ସେମାନେ ବିଶ୍ବାସ କରନ୍ତି କି ‘ଇଭିଲ୍‌ ଆଇ’ ତାବିଜ ପରିଧାନ କଲେ ଦୁର୍ଭାଗ୍ୟ ବଢ଼େ। ଯଦିଓ ଭାରତରେ ‘ଇଭିଲ୍‌ ଆଇ’ ନେଇ କୌଣସି କଥାକାହାଣୀ ଶୁଣିବାକୁ ମିଳେନା, ଏବେ କିନ୍ତୁ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳିଲାଣି। ‘ଇଭିଲ୍‌ ଆଇ’ ପ୍ରତୀକ ଥିବା ତାବିଜ, ଗହଣା କିମ୍ବା ଉପହାର ଏବେ କ୍ରମଶଃ ଲୋକପ୍ରିୟ ହେଉଛି।

ଗହଣାରୁ ଇମୋଜି
ଆଜିକାଲି ସେଲିବ୍ରିଟିରୁ ନେଇ ସାଧାରଣ ଲୋକ ପର୍ଯ୍ୟନ୍ତ ଅନେକ ‘ଇଭିଲ୍‌ ଆଇ’ ଅଙ୍କିତ ଅଳଙ୍କାର ପରିଧାନ କରୁଛନ୍ତି। ଏହା ଫ୍ୟାସନ୍‌ର ଏକ ଅଂଶ ପାଲଟି ଗଲାଣି କହିଲେ ଅତ୍ୟୁକ୍ତି ହେବନାହିଁ। ‘ଇଭିଲ୍‌ ଆଇ’ ଅଙ୍କିତ ନେକ୍‌ଲେସ୍‌, ବ୍ରେସ୍‌ଲେଟ୍‌ରୁ ଅ‌ାରମ୍ଭ କରି ମୁଦି, କାନଫୁଲ ପର୍ଯ୍ୟନ୍ତ ଗହଣା ବଜାରରେ ଉପଲବ୍ଧ। ବିଶେଷକରି ଯୁବଗୋଷ୍ଠୀ ‘ଇଭିଲ୍‌ ଆଇ’ ମାୟାରେ ପଡ଼ିଛନ୍ତି। ‘ଇଭିଲ୍‌ ଆଇ’ ଫ୍ୟାସନ୍‌ ଟ୍ରେଣ୍ଡ୍‌ରେ ସାମିଲ ହୋଇଛନ୍ତି ମେଗାନ୍‌ ମାର୍କେଲ୍‌ ଓ ରିହାନାଙ୍କ ଭଳି ହଲିଉଡ୍‌ ସେଲିବ୍ରିଟି। ପୁଣି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଜାହ୍ନବୀ କପୁର, ଅନନ୍ୟା ପାଣ୍ଡେ, ଦୀପିକା ପାଦୁ‌େକାନ୍‌ ଓ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ‘ଇଭିଲ୍‌ ଆଇ’ର ବ୍ରେସ୍‌ଲେଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏବେ ‘ଇଭିଲ୍‌ ଆଇ’ ଇମୋଜି ବ୍ୟବହାର ଆରମ୍ଭ ହେଲାଣି। ‘ଇଭିଲ୍‌ ଆଇ’  ଇମୋଜିକୁ ଏବେ ଯୁବପିଢ଼ି ମେସେଜ୍‌, କ୍ୟାପସନ୍‌, ହ୍ବାଟସ୍‌ଆପ୍‌ ଷ୍ଟାଟସ୍‌, ଫେସ୍‌ବୁକ୍‌ ଷ୍ଟୋରି ଏବଂ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ସ୍‌ରେ ବ୍ୟବହାର କରୁଛନ୍ତି।