ଶିକ୍ଷାଲାଭର କୌଣସି ବୟସ ନଥାଏ ବୋଲି ପଞ୍ଜାବ ଲୁଧିଆନାର ଜଣେ ୪୫ ବର୍ଷୀୟା ମହିଳା ପ୍ରମାଣ କରି ଦେଖାଇଛନ୍ତି। ତାଙ୍କ ନାମ ରଜନୀବାଳା । ସେ ନିଜ ପୁଅ ସହ ବସି ଦଶମ ବୋର୍ଡ ପରୀକ୍ଷା ଦେଇଥିବା ଖବର ଚର୍ଚ୍ଚାର ପରିସରରେ ରହିଛି।
୧୯୮୯ ମସିହାରେ ରଜନୀ ୯ମ ଶ୍ରେଣୀ ପାସ୍ କରିଥିଲେ । ତେବେ ପାରିବାରିକ ଜଞ୍ଜାଳ ଯୋଗୁ ସେ ଦଶମ ବୋର୍ଡ ପରୀକ୍ଷା ଦେଇ ପାଠ ପାରି ନଥିଲେ। ପାଠ ପଢ଼ିବାକୁ ଇଚ୍ଛା ଥିଲେ ହେଁ ବାଧ୍ୟ ହୋଇ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼ିଥିଲା ରଜନୀଙ୍କୁ । ଏହାଭିତରେ ତାଙ୍କର ବିବାହ ହୋଇଥିଲା। ବିବାହ ପରେ ସେ ତିନୋଟି ସନ୍ତାନର ଜନନୀ ହୋଇଥିଲେ। ଏହା ପରେ ସେ ପୁଣି ପାଠ ପଢ଼ିବାକୁ ମନ ବଳାଇ ବୋର୍ଡ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ। ରଜନୀଙ୍କ ସ୍ୱାମୀ ଓ ଶାଶୁଘର ଲୋକ ଶିକ୍ଷା ପୁରା କରିବାକୁ ସବୁବେଳେ ତାଙ୍କୁ ପ୍ରେରଣା ଦେଇଆସୁଥିଲେ। ଏହାର ସାହାସ ନେଇ ସେ ବୋର୍ଡ ପରୀକ୍ଷା ଦେବାକୁ ନିଷ୍ପତି ନେଇଥିଲେ । ଏପରିକି ରଜନୀଙ୍କ ଶାଶୁ ପାଠ ପଢି ନଥିଲେ ମଧ୍ୟ ବୋହୂକୁ ଦଶମଶ୍ରେଣୀ ପରୀକ୍ଷା ଦେବା ପାଇଁ ସବୁବେଳେ କହି ଆସୁଥିଲେ।
ଏହାପରେ ମାଟ୍ରିକ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ରଜନୀ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେ ତାଙ୍କ ପୁଅ ସହିତ ମିଶି ସ୍କୁଲ ମଧ୍ୟ ଯାଉଥିଲେ । ଲୁଧିଆନା ଲାଜୱନ୍ତୀ ସିନିଅର ସେକେଣ୍ଡାରି ସ୍କୁଲରେ ରଜନୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପୁଅ ସହିତ ବସି ରଜନୀ ଦେଇଥିଲେ ମ୍ୟାଟ୍ରିକ୍ ପରୀକ୍ଷା। ଆଗକୁ ରଜନୀ ବିଏ ପଢ଼ିବାର ଲକ୍ଷ୍ୟ ରଖିଛନ୍ତି । ରଜନୀଙ୍କ ଶିକ୍ଷାପ୍ରତି ନିଷ୍ଠା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।