ଦୁଃସାହସିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ରଖୁଥିବା ପର୍ଯ୍ୟଟକମାନଙ୍କ ପାଇଁ ବ୍ରାଜିଲର ଏକ କମ୍ପାନି ଅଭିନବ ଭୋଜିର ସୁଯୋଗ ସୃଷ୍ଟି କରିଛି। କମ୍ପାନି ପକ୍ଷରୁ ବ୍ରାଜିଲର ରିଓ ଗ୍ରାଣ୍ଡ୍‌ ଡି ସୁଲ୍‌ ପ୍ରଦେଶ ଅନ୍ତର୍ଗତ କାସ୍କାଟା ଡା ସେପୁଲଚୁରା ଜଳପ୍ରପାତ ନିକଟରେ ଏକ ରୋମାଞ୍ଚଭରା ଅନୁଭୂତି ଯୋଗାଇବାର ପ୍ରୟାସ କରାଯାଇଛି। ସେଠାରେ ଦୁଃସାହସିକ ପର୍ଯ୍ୟଟକମାନେ ୨୯୫ ଫୁଟ୍‌ ଉପରେ ଏକ ଝୁଲନ୍ତା କାଠ ଟେବୁଲରେ ଭୋଜନ କରିବାର ସୁବିଧା ଉପଲବ୍‌ଧ। ଅବଶ୍ୟ ମାତ୍ର ୧୫ ମିନିଟ୍‌ର ଏହି ରୋମାଞ୍ଚକର ଅନୁଭୂତି ହାସଲ ପାଇଁ ଜଣକୁ ୪୫୦ ଡଲାର ବା ୩୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Advertisment

ଖାଲି ସେତିକି ନୁହେଁ, ଜଳପ୍ରପାତରେ ପହଞ୍ଚିବାକୁ ହେଲେ କାକ୍ସିଆସ ଡୁ ସୁଲ ସହରଠାରୁ ଘଣ୍ଟାକର କାର୍‌ ଯାତ୍ରା ପରେ ଏକ ନଦୀ ଡେଇଁ ଅଙ୍କାବଙ୍କା ରାସ୍ତାରେ କିଛି ବାଟ ଚାଲିବାକୁ ପଡ଼ିବ। ଜଳପ୍ରପାତର ଧୂମାଳ ଜଳରାଶି ଓ ସୁଦୃଶ୍ୟ ବନାନୀର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନିଆରା। ସେଠାରେ ଏତେ ଉଚ୍ଚରେ ଝୁଲି ପ୍ରିୟଲୋକ ସାଙ୍ଗରେ ଭୋଜନ କରିବାର ଅନୁଭୂତିକୁ ଉତ୍ସାହୀ ପର୍ଯ୍ୟଟକମାନେ ହାତଛଡ଼ା କରୁନାହାନ୍ତି। ସୁରକ୍ଷା ପାଇଁ ପର୍ଯ୍ୟଟକଙ୍କ ଅଣ୍ଟାକୁ ସୁଦୃଢ଼ ପଟିରେ ବାନ୍ଧି ଧାତବ ଦଉଡ଼ି ସହ ସଂଲଗ୍ନ କରାଯାଇଥାଏ। ତଥାପି ଏତେ ଉଚ୍ଚରେ ଝୁଲିବା ବେଳେ ବିପଦ ଆଶଙ୍କା ଯୋଗୁଁ ଲୋମ ଟାଙ୍କୁରି ଉଠିବା ସୁନିଶ୍ଚିତ। ଏତେ ସତ୍ତ୍ବେ ଏହି ପ୍ରପାତ ଭୋଜନ ପାଇଁ ପର୍ଯ୍ୟଟକଙ୍କ ଲମ୍ବା ଧାଡ଼ି ଲାଗୁଛି।