ଆଗକୁ ‌େଲାକସଭା ନିର୍ବାଚନ ଥିବାରୁ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏକ କାମଚଳା ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ପୂର୍ଣ୍ଣାଙ୍ଗ ବଜେଟ୍‌ ହୋଇନଥିଲେ ମଧ୍ୟ ନିର୍ବାଚନୀ ବର୍ଷ ହୋଇଥିବାରୁ ଦେଶର ବିଭିନ୍ନ ବର୍ଗ ଏଥିରୁ ବହୁତ କିଛି ଆଶା କରୁଛନ୍ତି। ଶିଳ୍ପଜଗତ, ଯୁବପିଢ଼ି, ମହିଳା, ଗୃହିଣୀ ଓ ସମାଜସେବୀ ବଜେଟ୍‌ରୁ କ’ଣ ଆଶା କରୁଛନ୍ତି ତାହା ଉପସ୍ଥାପନ କରାଯାଇଛି।

Advertisment

ଲୋକମତକୁ ପ୍ରଭାବିତ କଲା ଭଳି ନିଷ୍ପତ୍ତି ନିଆଯାଇପାରେ
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିବାକୁ ଥିବା କାମଚଳା ବଜେଟ୍‌ରେ ସରକାର କିଛି କୋହଳ ପଦ‌େକ୍ଷପ ନେଇପାରନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବଜେଟ୍‌ରେ ଲୋକମତକୁ ପ୍ରଭାବିତ କଲାଭଳି କିଛି ନିଷ୍ପତ୍ତି ନିଆଯାଇପାରେ। ଆୟକର ସୀମା କୋହଳ କରି କେନ୍ଦ୍ର ସରକାର ମଧ୍ୟବିତ୍ତଙ୍କୁ ଖୁସି କରିପାରନ୍ତି। ହେଲେ ଏଥିରେ କିଛି ନୀତିଗତ ନିଷ୍ପତ୍ତି ହେବନି।
-ଅମର ଶଥପଥୀ, ବିଜେଡି ବିଧାୟକ

ଚାଷୀ, ମହିଳା ଓ ମଧ୍ୟବିତ୍ତଙ୍କୁ ଖୁସି କରିପାରନ୍ତି
କେନ୍ଦ୍ର ସରକାର ଚଳିତ କାମଚଳା ବଜେଟ୍‌ରେ ନିର୍ବାଚନୀ ଛାପ ଦେଖିବାକୁ ମିଳିବ। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଚାଷୀ, ମହିଳା ଓ ମଧ୍ୟ ଆୟକାରୀ ବର୍ଗଙ୍କୁ ଖୁସି କରିବା ପାଇଁ ସବୁପ୍ରକାର ଚେଷ୍ଟା କରିବେ। ଚାଷୀଙ୍କ ପାଇଁ ଅଧିକ ଆର୍ଥିକ ସହାୟତା ଘୋଷଣା ହୋଇପାରେ। ମହିଳାମାନଙ୍କୁ ମଧ୍ୟ ବିଭିନ୍ନ ଯୋଜନା ଜରିଆରେ ଆକର୍ଷିତ କରାଯିବ। ଏହାସହ ମଧ୍ୟବିତ୍ତଙ୍କ ଉପରେ ମଧ୍ୟ ଅଧିକ ନଜର ରହିବ। କାରଣ ଗତ ୮-୧୦ବର୍ଷ ହେବ ଟିକସ ବ୍ୟବସ୍ଥାରେ ମଧ୍ୟବିତ୍ତ ଖୁସି ନାହାନ୍ତି। ଲଗାତାର ଭାବେ ଖର୍ଚ୍ଚ ବଢ଼ିଚାଲିଛି ଓ ଟିକସରେ କୌଣସି ରିହାତି ନାହିଁ। ତେଣୁ ମଧ୍ୟବିତ୍ତଙ୍କୁ ସାଙ୍ଗରେ ନେବାକୁ ହେଲେ ଆୟକରରେ କେନ୍ଦ୍ର ସରକାର ରିହାତି ଆଣିପାରନ୍ତି।
-ପଞ୍ଚାନନ କାନୁନ୍‌ଗୋ, ବରିଷ୍ଠ କଂଗ୍ରେସ ନେତା

ସହରାଞ୍ଚଳ ନିଶ୍ଚିତ କର୍ମନିଯୁକ୍ତି ଆଇନ ଆଣନ୍ତୁ
ଚଳିତ କେନ୍ଦ୍ର ବଜେଟ ହେଉଛି ନିର୍ବାଚନ ଅଭିମୁଖୀ କାମଚଳା ବଜେଟ। ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ସେମାନେ କିଛି କଥା କହିପାରନ୍ତି। କିନ୍ତୁ ସର୍ବୋପରି ଏହା କର୍ପୋରେଟ ସେକ୍ଟରଙ୍କୁ ସୁହାଇବା ଭଳି ହେବ। ଆମେ ଆଶା କରିବୁ ଏହି ବଜେଟ ଜରିଆରେ ଦରବୃଦ୍ଧି ନିୟନ୍ତ୍ରଣ, ଏମ୍‌ଜିଏନ୍‌ଆରଜିଏସ୍‌ ପାଇଁ ଅଧିକ ପାଣ୍ଠି, ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି, ବଞ୍ଚିତ ବର୍ଗ ପାଇଁ ସାମାଜିକ ସୁରକ୍ଷା ସମେତ ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ବ୍ୟବସ୍ଥା କରିବେ। ଗାଁ ଭଳି ସହରାଞ୍ଚଳ ନିଶ୍ଚିତ କର୍ମନିଯୁକ୍ତି ଆଇନ ଆଣନ୍ତୁ।
-ରାମକୃଷ୍ଣ ପଣ୍ଡା, ଜାତୀୟ ସମ୍ପାଦକ ସିପିଆଇ

ଅତ୍ୟାବଶ୍ୟକୀୟ ଖାଦ୍ୟ, ଶିକ୍ଷା ସମ୍ପର୍କିତ ଦର କମ୍‌ ରହୁ
ବର୍ତ୍ତମାନ ଅତ୍ୟାବଶ୍ୟକୀୟ ଖାଦ୍ୟ ଦର ଏତେ ଅଧିକ ହେଲାଣି ଯେ ନିମ୍ନମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଘର ଚଳାଇବା ମଧ୍ୟ କଷ୍ଟକର ହେଉଛି। ବହି ଓ ଖାତା ଦର ବି ଆକାଶଛୁଆଁ। ବିଶେଷକରି ପେପର ଦର ଅଧିକ ରହୁଛି। ତେଣୁ ସରକାର ଅତ୍ୟାବଶ୍ୟକୀୟ ଖାଦ୍ୟ ଏବଂ ଶିକ୍ଷା ସାମଗ୍ରୀ ଦର ନିୟନ୍ତ୍ରଣ ଦିଗରେ ବ୍ୟବସ୍ଥା କରନ୍ତୁ। ବର୍ତ୍ତମାନ ଯେଉଁଭଳି ସ୍ଥିତି ଛୋଟ ପିଲାଙ୍କୁ ମୋବାଇଲ ୟୁଟୁବ ଭରସାରେ ଛଡ଼ାଯାଇ ପାରିବ ନାହିଁ। ଡିସ୍‌କଭରି, ହିଷ୍ଟ୍ରି ଭଳି ଟେଲିଭିଜନର ଶିକ୍ଷଣୀୟ ଚ୍ୟାନେଲର ଦର କମ୍‌ ରହିବା ଉଚିତ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଦର ଯାହା ହେ‌େଲ‌ବି କହିବାର ନାହିଁ।
–ମଧୁବ୍ରତା ଦାଶ, ଅଧ୍ୟାପିକା

ସ୍ବାମୀନାଥନ ସୁପାରିସ ଅନୁସାରେ ଏମ୍‌ଏସ୍‌ପି
ଏମ୍‌ଏସ୍‌ ସ୍ବାମୀନାଥନ ସୁପାରିସ ଅନୁସାରେ ଏମ୍‌ଏସ୍‌ପି ବ୍ୟବସ୍ଥାର ପ୍ରତିଶ୍ରୁତି ଦେଇ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯାଇ ନାହିଁ। ଏଣେ ଏନ୍‌ସିଆରବି ରିପୋର୍ଟ ଅନୁସାରେ, ୯ ବର୍ଷରେ ୧ ଲକ୍ଷରୁ ଉର୍ଧ୍ବ ଚାଷୀ ଓ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ତେଣୁ ସରକାର ଚଳିତ ବଜେଟରେ ପ୍ରତ୍ୟେକ ଫସଲର ଏମ୍‌ଏସ୍‌ପିର ଆଇନଗତ ମାନ୍ୟତା ସହିତ ପାଣ୍ଠି ବ୍ୟବସ୍ଥା କରନ୍ତୁ। ଏହି ସରକାର ଶିଳ୍ପପତିଙ୍କୁ ୧୦ ଲକ୍ଷ କୋଟିର ଟିକସ ରିହାତି ଏବଂ କର୍ପୋରେଟ ହାଉସଙ୍କ ୧୭ ଲକ୍ଷ କୋଟିର ଅନାଦାୟ ଋଣ ଛାଡ଼ କରିଛନ୍ତି। ଯେତେ ଜଟିଳ ସ୍ଥିତି ହେଲେବି ଚାଷୀ ଋଣ ଛାଡ଼ କରାଯାଉ ନାହିଁ। ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ ଶ୍ରମନିଯୁକ୍ତି ଯୋଜନାରେ ଏକ ତୃତୀୟାଂଶ ଅର୍ଥ କାଟି ଦେଲେ। ଗାଁ ଲୋକଙ୍କ ନିଯୁକ୍ତି ପାଇଁ ମନ୍‌ରେଗାକୁ ମଜଭୁତ କରିବା ଉଚିତ। ଠିକା ଶ୍ରମିକ ବ୍ୟବସ୍ଥା ଉଚ୍ଛେଦ ହେବା ଉଚିତ।
–ସୁରେଶ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ, ସିପିଆଇ(ଏମ)

କୃଷି, ଶିକ୍ଷା, ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦିଆଯିବ
ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାରୁ କେନ୍ଦ୍ର ସରକାର ଏକ ଛୋଟ ବଜେଟ୍ ଉପସ୍ଥାପନ କରିବେ। ସେଥିରେ ସନ୍ତୁଷ୍ଟୀକରଣ ନୀତିକୁ ଅନୁସରଣ କରିବାର ବିଶେଷ ସୁଯୋଗ ରହିବ ନାହିଁ। ତଥାପି କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମିକୁ ବଜେଟ୍‌ରେ ଅଗ୍ରାଧିକାର ଦିଆଯିବ ବୋଲି ମୁଁ ଆଶା କରୁଛି। କର୍ପୋରେଟ୍‌ କ୍ଷେତ୍ରକୁ ଅଧିକ କିଛି ମିଳିନପାରେ। କାରଣ ମୋଦୀ ସରକାର କର୍ପୋରେଟ୍‌କୁ ସୁହାଇବା ଭଳି ନୀତି ପ୍ରଣୟନ କରୁଥିବା ସାଧାରଣରେ ଏକ ଧାରଣା ରହିଛି। ତେଣୁ ତାହାକୁ ଦୃଷ୍ଟିରେ ରଖି କମ୍ପାନି ଟିକସରେ ହ୍ରାସ ଭଳି ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା କମ୍ ରହିଛି। ଆୟକରରେ ବିଶେଷ କିଛି ପରିବର୍ତ୍ତନ ହେବନାହିଁ। ଉଜ୍ଜ୍ବଳା ସ୍କିମ୍‌କୁ ନେଇ ବଜେଟ୍‌ରେ କିଛିଟା ବ୍ୟବସ୍ଥା ହେବ ବୋଲି ମୁଁ ଆଶା କରୁଛି।
-କୁମରବର ଦାସ, ପୂର୍ବତନ କୁଳପତି, ଫକୀରମୋହନ ବିଶ୍ବବିଦ୍ୟାଳୟ

ଅଣସଂଗଠିତ କ୍ଷେତ୍ରର ଲୋକଙ୍କ ପେନ୍‌ସନ୍‌ ବଢ଼ିବା ଦରକାର
ପ୍ରତିଥର ନିର୍ବାଚନ ପୂର୍ବରୁ ଯେଉଁଭଳି ସନ୍ତୁଷ୍ଟୀକରଣ ବଜେଟ୍ ଆସିଥାଏ, ଏଥର ମଧ୍ୟ କେନ୍ଦ୍ର ସରକାର ସେଭଳି ବଜେଟ୍ ଆଣିବେ ବୋଲି ଆଶା କରାଯାଉଛି। କିନ୍ତୁ ବଜେଟ୍‌ରେ ଦେଶର ପ୍ରତିଟି ଲୋକଙ୍କ ସ୍ବାର୍ଥ ସାଧନ ହେବା ଭଳି ବ୍ୟବସ୍ଥା ରହିବା ଦରକାର। ବର୍ଦ୍ଧିତ ପୁଞ୍ଜି ବ୍ୟୟ ‌ବେଳେ ଗ୍ରାମାଞ୍ଚଳରେ ପ୍ରାଥମିକ ଭିତ୍ତିଭୂମି ସୃଷ୍ଟି କରିବା ଉପରେ ଧ୍ୟା‌ନ ଦେବାର ଆବଶ୍ୟକତା ରହିଛି। ବିଶେଷ କରି କୃଷି ଓ ଅଣ କୃଷିଜାତ ସାମଗ୍ରୀ ପାଇଁ ବଜାର ସୁବିଧା, ଅମଳ ପରବର୍ତ୍ତୀ ପରିଚାଳନାକୁ ଗୁରୁତ୍ବ ଦେବା ଦରକାର। କୃଷି କ୍ଷେତ୍ର ଉପରେ କାମ କରୁଥିବା ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ଆବଶ୍ୟକତା ରହିଛି। ବୟସ୍କ ବ୍ୟକ୍ତି, ଗିଗ୍‌ କର୍ମଚାରୀଙ୍କ ଭଳି ଅଣ ସଂଗଠିତ କ୍ଷେତ୍ରର ଲୋକମାନଙ୍କ ପାଇଁ ଏକ ଦୃଢ଼ ସାମାଜିକ ସୁରକ୍ଷା ଆବଶ୍ୟକ। ସେମାନଙ୍କ ପେନ୍‌ସନ୍ ଦ୍ବିଗୁଣିତ ହେବା ଦରକାର। ମାନସିକ ସ୍ବାସ୍ଥ୍ୟ ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପ୍ରତି ବଜେଟ୍‌ରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
-ବସନ୍ତ ନାୟକ, ବଜେଟ୍‌ ବିଶେଷଜ୍ଞ

ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି, ମହିଳା ସଶକ୍ତୀକରଣ ଜରୁରୀ
ଦେଶରେ ଥିବା ବ୍ୟାପକ ଶ୍ରମଶକ୍ତିକୁ ନିଯୁକ୍ତି ପ୍ରଦାନ ଲାଗି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଦେଶର ଜିଡିପିକୁ ୫ ଟ୍ରିଲିଅନରୁ ଅଧିକ କରିବା ଲାଗି ସରକାର ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ସାକାର କରିବା ଲାଗି ମହିଳା ସଶକ୍ତୀକରଣ ଉପରେ ଜୋର ଦେବାକୁ ପଡ଼ିବ। ସେଥିପାଇଁ ବଜେଟ୍‌ରେ ବ୍ୟବସ୍ଥା ହେବା ଜରୁରୀ। ସେମାନଙ୍କୁ ସାକ୍ଷର କରିବା ଓ ‌ସେମାନଙ୍କ ଦକ୍ଷତା ବଢ଼ାଇବା ଲାଗି ବ୍ୟବସ୍ଥା କରିବାକୁ ପଡ଼ିବ। ଭିତ୍ତିଭୂମି ବିକାଶ ଲାଗି ଅଧିକ ବ୍ୟୟବରାଦ କଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହା ଦ୍ବାରା ଯୁବପିଢ଼ିର ଏକ ବଡ଼ ଭାଗକୁ ନିଯୁକ୍ତି ମିଳିପାରିବ। ଯେହେତୁ ବିଶ୍ବ ଅର୍ଥନୀତି ଖରାପ ସମୟ ଦେଇ ଗତି କରୁଛି, ତେଣୁ ୭.୫ ପ୍ରତିଶତ ଅଭିବୃଦ୍ଧି ହାର ବଜାୟ ରଖିବା ପାଇଁ ଦେଶ ଭିତରେ ଚାହିଦା ବଢ଼ାଇବାକୁ ପଡ଼ିବ। ଦେଶର ସବୁ ବୟସ୍କ ଲୋକମାନଙ୍କ ଲାଗି ସ୍ବାସ୍ଥ୍ୟ ସେବାକୁ ମାଗଣା କରାଯିବାର ଆବଶ୍ୟକତା ରହିଛି।
-ବ୍ରହ୍ମା ମିଶ୍ର, ସଭାପତି, ୟୁସିସିଆଇଏଲ୍‌

ଅର୍ଥନୀତିକୁ ଦୃଢ଼ କରିବା ଭଳି ପଦକ୍ଷେପ ଆବଶ୍ୟକ
ଯେଉଁ ଜିନିଷଗୁଡ଼ିକ ଲାଗି ଆମକୁ ଆମଦାନି ଉପରେ ନିର୍ଭର କରିବାକୁ ପଡ଼ୁଛି, ସେଗୁଡ଼ିକୁ କିଭଳି ଦେଶ ଭିତରେ ତିଆରି କରାଯାଇପାରିବ ସେଥିପାଇଁ ବଜେଟ୍‌ରେ ବ୍ୟବସ୍ଥା ହେବା ଉଚିତ। ରାସାୟନିକ ପଦାର୍ଥଠାରୁ ଆରମ୍ଭ କରି ସୋଲାର ସେଲ୍, ବିଭିନ୍ନ ପ୍ରକାର ହାର୍ଡ‌ୱେର ଆଦି ବାହାରୁ ମଗାଇବାକୁ ପଡ଼ୁଛି। ଏହି ସବୁ ଜିନିଷଗୁଡ଼ିକ ପାଇଁ ଶ୍ରମଶକ୍ତିକୁ ପ୍ରସ୍ତୁତ କରିବା ନିମନ୍ତେ ଦକ୍ଷତା ବିକାଶ, ଉତ୍ପାଦନ ସହାୟତା ଆଦି ସୁବିଧା ଯୋଗାଇ ଦେବାକୁ ପଡ଼ିବ। ଯେହେତୁ ଆଗକୁ ନିର୍ବାଚନ ଆସୁଛି ତେଣୁ ବଜେଟ୍ ଲୋକପ୍ରିୟ ଘୋଷଣା କରିବା ବଦଳରେ ଅର୍ଥନୀତି କିଭଳି ସୁଦୃଢ଼ ରହିପାରିବ ସେଥିପାଇଁ ବଜେଟ୍‌ରେ ବ୍ୟବସ୍ଥା କର‌ାଯିବା ଦରକାର।
-ଅମରେନ୍ଦ୍ର ଦାସ, ସମ୍ପାଦକ, ଓଡ଼ିଶା ଅର୍ଥନୈତିକ ସଂଘ

ପରିବେଶ ସୁରକ୍ଷା ପାଇଁ ଟଙ୍କା ଖର୍ଚ ହେଉ
ମାଟି, ପାଣି, ପବନ ବିଷାକ୍ତ ହେବାରେ ଲାଗିଛି। ତେଣୁ ସରକାର ପରିବେଶ ସୁରକ୍ଷା ଦିଗରେ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା କରନ୍ତୁ। ଉପଯୁକ୍ତ ଆୟ ସହିତ ଯୁବ ଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ନେଇ ଅର୍ଥ ବ୍ୟବସ୍ଥା ହେଉ। ଉପରଠାଉରିଆ ନ ହୋଇ କେତେ ବର୍ଷରେ କେତେ ନିଯୁକ୍ତି ହେବ ତାର ସମୟ ସୀମା ଧାର୍ଯ୍ୟ ହେଉ। ମହିଳା ଆତ୍ମନିର୍ଭରଶୀଳ ହେବା ନେଇ ପ୍ରାଧାନ୍ୟ ଦିଆଯାଉ। ଚାଷୀ ଆଜି ସବୁଠାରୁ କ୍ଷତିଗ୍ରସ୍ତ। ତେଣୁ ସେମାନଙ୍କ ପାଇଁ ସରକାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ।
–ସୁପ୍ରିୟା ମଲ୍ଲିକ, ସାମାଜିକ କର୍ମକର୍ତ୍ତା

ଦରଦାମ୍‌ କମାଇବା ଲାଗି ପଦକ୍ଷେପ ଆବଶ୍ୟକ
ଗ୍ୟାସ୍ ସମେତ ଦୈନଦିନ ଜୀବନରେ ବ୍ୟବହାର ହେଉଥିବା ସାମଗ୍ରୀ ଦର ଆକାଶ ଛୁଆଁ ରହିଛି। ଗ୍ୟାସ୍ ସିଲିଣ୍ଡର ପିଛା ଦର ଏବେ ୯୩୦ ଟଙ୍କା ରହିଥିବାରୁ ପରିବାର ମେରୁଦଣ୍ଡ ଭାଙ୍ଗିଦେଲାଣି। ରାଜଧାନୀରେ ରହି ରନ୍ଧା ଗ୍ୟାସ୍ ଉପରେ ନିର୍ଭର କରିବା ଓ ହଜାର ହଜାର ଟଙ୍କା କେବଳ ଜାଳେନିରେ ଖର୍ଚ୍ଚ କରିବା ଆମ ଭଳି ମଧ୍ୟବିତ୍ତଙ୍କ ପରିବାର ପାଇଁ ଅଭିଶାପ ପାଲଟିଛି। ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତାହାକୁ ଆଖି ଆଗରେ ରଖି ଚଳିତ ‌ବଜେଟରେ କିଛିଟା ଦର କମାଇବେ ବୋଲି ଆଶା ରହିଛି।
-ସ୍ମିତାଞ୍ଜଳୀ ରାୟ, ଗୃହିଣୀ

ଗରିବଙ୍କୁ ସୁହାଇବା ଭଳି ବଜେଟ୍‌ ହେଉ
ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ବଜେଟ ଜନତାଙ୍କୁ ସୁହାଇଲା ଭଳି ହେବା ଆବଶ୍ୟକ। ଘର କରଣା ସାମଗ୍ରୀ ଦର କମିଲେ ସମସ୍ତଙ୍କୁ ଟିକିଏ ଆଶ୍ବସ୍ତି ମିଳିବ। ନଚେତ ଆଜିର ଦରଦାମ ଯେଉଁଭଳି ବଢ଼ିଚାଲିଛି ତାହା କେବଳ ଧନୀ ଲୋକଙ୍କୁ ସୁହାଉଛି। ନିତିଦିନିଆ ଆବଶ୍ୟକ ଜିନିଷ ଉପରେ ଚଳିତବ‌ର୍ଷ ଦାମ କମିଲେ ସାଧାରଣ ଜନତା ଖୁସି ହେବେ। ରନ୍ଧନ ଗ୍ୟାସ୍‌, ଖାଦ୍ୟ ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ, ଅଳଙ୍କାର ପ୍ରଭୃତି ଦର କମାଇବେ ବୋଲି ଆଶା ରହିଛି। ନୂଆ ବଜେଟ୍ ସମସ୍ତ ଗରିବଙ୍କୁ ସୁହାଇବା ଭଳି ହେଉ।
-ରୁକ୍ମଣୀ ଦେବୀ, ଗୃହିଣୀ

ସବୁ ବର୍ଗର ଲୋକଙ୍କ ପାଇଁ ବ୍ୟବସ୍ଥା ରହୁ
ବଜେଟ୍‌ରେ କେବଳ ଦରଦାମ କମାଇ ନିର୍ବାଚନୀ ଖେଳ ଖେଳିଲେ ହେବ ନାହିଁ। ସରକାରୀ ଓ ବେସରକାରୀ ଚାକିରିଆଙ୍କ ଦରମାରେ ସମାନ ବୃଦ୍ଧି କରିବାର ଆବଶ୍ୟକ ରହିଛି। ଦରଦାମ ବଢ଼ିବା ଦ୍ବାରା ଘର ଚଳାଇବା ବହୁତ କଷ୍ଟକର ହେଉଛି। ଗରିବଙ୍କଠାରୁ ମଧ୍ୟବିତ୍‌ ପର୍ଯ୍ୟନ୍ତ ନିତିଦିନ ବ୍ୟବହାର କରୁଥିବା ରନ୍ଧନ ଗ୍ୟାସ୍, ପନିପରିବା, ରୋଷେଇ ସାମଗ୍ରୀ, ପେଟ୍ରୋଲ ଉପରେ ଲାଗୁ ହୋଇଥିବା ଜିଏସ୍‌ଟି ଦର ହ୍ରାସ କରାଗଲେ ଭଲ ହୁଅନ୍ତା। ବଜେଟ୍ ସମସ୍ତ ବର୍ଗର ଲୋକଙ୍କୁ ସୁହାଇପାରନ୍ତା। ନିର୍ବାଚନ ବର୍ଷ ହୋଇଥିବାରୁ କେନ୍ଦ୍ର ସରକାର ଏଦିଗରେ ପଦକ୍ଷେପ ନେବେ ବୋଲି ଆଶା।
-ସ୍ନେହଲତା ଆଇଚ, ଗୃହିଣୀ