ପୂର୍ବରୁ ବିହନ ଗଣ୍ଡାଏ ପାଇଁ ସାହୁକାରଙ୍କୁ ହାତ ଯୋଡ଼ିବାକୁ ପଡୁଥିଲା। କେବେ ସୁନାଗହଣା ତ’ ଆଉ କେବେ ଘରବାଡ଼ି ବନ୍ଧା ପକାଇବାକୁ ପଡୁଥିଲା। ହେଲେ ଏବେ ଆଉ ସେ ସମୟ ନାହିଁ; ଏବେ ଆମେ ଭିନ୍ନ ଭିନ୍ନ କିସମ ବିହନର ମାଲିକାଣୀ ହୋଇପାରିଛୁ। ଉଦ୍ଯୋଗ ଓ ଦୃଢ଼ ନିଷ୍ଠା, ସରକାରୀ ତଥା ବେସରକାରୀ ସଂସ୍ଥାର ସହାୟତା ପାଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମହିଳାମାନେ ଉନ୍ନତମାନର ବିହନ ଉତ୍ପାଦନ ଓ ସଂରକ୍ଷଣର ମଙ୍ଗ ଧରିଛନ୍ତି ବୋଲି କହନ୍ତି, କୋରାପୁଟ ବ୍ଲକ୍ସ୍ଥିତ ମାଛରା ଗ୍ରାମର ୬୦ ବର୍ଷୀୟା ହରିବୋଲା ସୁକିଆ।
ନିଜର ୩ ଏକର ଜମିରେ ନିରନ୍ତର ପ୍ରୟାସ କରି ୩୫ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ କରିଥିବାବେଳେ ସେଥିରୁ ସାଢ଼େ ୭ କୁଇଣ୍ଟାଲ ଭିଏଲ୍ ମାଣ୍ଡିଆ-୩୮୦ ବିହନ କିସମ ବିକ୍ରି କରି ସେ ସ୍ବାବଲମ୍ବନର ରାହା ପାଇପାରିଛନ୍ତି। କେବଳ ସେତିକି ନୁହେଁ, ବିହନ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହରିବୋଲା ଦିଲ୍ଲୀରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। କେବଳ ହରିବୋଲା ନୁହନ୍ତି, ଆଦିବାସୀବହୁଳ କୋରାପୁଟ ଜିଲ୍ଲାରେ ତାଙ୍କଭଳି ଅନେକ ମହିଳା ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛନ୍ତି। ଉନ୍ନତମାନର ବିହନ କିସମ ଉତ୍ପାଦନରେ ଜଡ଼ିତ ହେବାସହ ଖାଦ୍ୟ ସୁରକ୍ଷା ଓ ଆର୍ଥିକ ସଶକ୍ତୀକରଣକୁ ସୁନିଶ୍ଚିତ କରିବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସରକାର ତଥା ନିଜ ଅଞ୍ଚଳର ଚାଷୀଙ୍କୁ ଉଚ୍ଚମାନର ବିହନ ଯୋଗାଉଛନ୍ତି। ଅର୍ଜୁନ, କାଳୁଆ, ଚିଲିକା, କେଏମ୍ଆର-୨୦୪, ଭିଏଲ୍ ମାଣ୍ଡିଆ-୩୮୦ ଆଦି ମାଣ୍ଡିଆ ବିହନ ଉତ୍ପାଦନ କରି ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। କୋରାପୁଟ ବ୍ଲକ୍ର କୋଲାବ କୃଷକ ଉତ୍ପାଦକ ସଂଗଠନ ଅଧୀନରେ ମହିଳା ଚାଷୀମାନେ ଉନ୍ନତମାନର ବିହନ ଉତ୍ପାଦନ କରି ସେସବୁକୁ ବିକ୍ରି କରି ରୋଜଗାରକ୍ଷମ ହେବାସହ ଜଳବାୟୁ ସହନଶୀଳ ଫସଲ ଉତ୍ପାଦନ ଦିଗରେ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିଛନ୍ତି। ଗତବର୍ଷ ସଂଗଠନ ଅଧୀନରେ ଥିବା ଚାଷୀଙ୍କ ଦ୍ବାରା ଉତ୍ପାଦିତ ୩୦୯.୫ କୁଇଣ୍ଟାଲ୍ ଉନ୍ନତମାନର ବିହନ କିସମ ରାଜ୍ୟ ସରକାରଙ୍କ ଓଡ଼ିଶା ରାଜ୍ୟ ବିହନ ନିଗମକୁ ଦିଆଯାଇଥିଲା। ସେଥିରୁ ୬୨ ଜଣ ମହିଳା ପାଖାପାଖି ୧୪୫ରୁ ଅଧିକ କୁଇଣ୍ଟାଲ୍ ବିହନ ବିକ୍ରି କରି ଲାଭବାନ ହୋଇପାରିଛନ୍ତି। ଏହାବ୍ୟତୀତ ବିଭିନ୍ନ ସଂସ୍ଥାକୁ ମଧ୍ୟ ବିହନ ବିକ୍ରି କରିଛନ୍ତି।
ମାଣ୍ଡିଆର ଉନ୍ନତମାନର ବିହନ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ‘ଶ୍ରୀ ଅନ୍ନ ଅଭିଯାନ’ ଜରିଆରେ ୨୦୧୮ ମସିହାରୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ କୋରାପୁଟ ଜୟପୁରସ୍ଥିତ ଏମ୍ ଏସ୍ ସ୍ବାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଚାଷୀମାନଙ୍କୁ ଉନ୍ନତମାନର ମାଣ୍ଡିଆ ବିହନ କିସମ ଯୋଗାଇ ଦିଆଯାଉଛି। ଏହାସହ ଉନ୍ନତ ଚାଷ ପ୍ରଣାଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ପ୍ରତିଷ୍ଠାନ ସହିତ ଜଡ଼ିତ ମହିଳା ଚାଷୀମାନେ ‘ବିକଳ୍ପ ବିହନ ଉତ୍ପାଦନ ବ୍ୟବସ୍ଥା’କୁ ଆଗକୁ ନେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଫଳରେ ଦେଶୀ କିସମ ତୁଳନାରେ ୩୦% ଅଧିକ ଅମଳ ସମ୍ଭବ ହୋଇପାରୁଛି।
ଏ ସମ୍ପର୍କରେ ମହିଳା ଚାଷୀ ଦନା ଭୋଇ କହନ୍ତି, ‘‘ପୂର୍ବରୁ ଘରେ କେବଳ ମାଣ୍ଡିଆ ଖାଇବା ପାଇଁ ଚାଷ କରୁଥିବା ବେଳେ ଏବେ ଉନ୍ନତମାନର ବିହନ ଉତ୍ପାଦନ କରି ଆମେ ଲାଭବାନ୍ ହୋଇପାରୁଛୁ। ଆମେ ସ୍ବାମୀନାଥନ୍ ପ୍ରତିଷ୍ଠାନ ମାଧ୍ୟମରେ ଉନ୍ନତ କିସମ ମାଣ୍ଡିଆ ବିହନ ଉତ୍ପାଦନର ଜ୍ଞାନକୌଶଳ ସମ୍ପର୍କରେ ଜାଣିବାକୁ ପାଇଥିଲୁ। ୩ ଏକର ଜମିରେ ଅର୍ଜୁନ ମାଣ୍ଡିଆ ଚାଷ କରି ଚଳିତବର୍ଷ ମୁଁ ୧୯ କୁଇଣ୍ଟାଲ ବିହନ ଉତ୍ପାଦନ କରିପାରିଛି। ଏହାଦ୍ବାରା ଆର୍ଥିକ ସ୍ତରରେ ମୁଁ ଓ ମୋ ପରିବାର ସଶକ୍ତ ହେବା ସହ ଚିରନ୍ତନ କୃଷି ପଦ୍ଧତିକୁ ଆଗେଇ ନେବାରେ ସଫଳ ହୋଇଛୁ।’’
ମହିଳା ଚାଷୀ ଚିତ୍ତ ଚାଣ୍ଡିଆଙ୍କ କହିବାନୁଯାୟୀ, ସେ ଗତ ୭ ବର୍ଷ ହେବ ବିଭିନ୍ନ ଉନ୍ନତ କିସମ ବିହନ ଉତ୍ପାଦନ କରି ଅଧିକ ରୋଜଗାରକ୍ଷମ ହୋଇପାରିଛନ୍ତି। ୪ ଏକର ଜମିରେ ଗତବର୍ଷ ୨୨ କୁଇଣ୍ଟାଲ ୫୦ କେଜି ମାଣ୍ଡିଆ ବିହନ ଓ ୨୬ କୁଇଣ୍ଟାଲ ଅମଳ ମାଣ୍ଡିଆକୁ ବିକ୍ରି କରି ଲକ୍ଷାଧିକ ଟଙ୍କା ଲାଭ ପାଇପାରିଥିଲେ। ସେହିପରି କୁନ୍ଦ୍ରା ବ୍ଲକ୍ ନୂଆଗୁଡ଼ା ଗ୍ରାମରେ ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଜଣ ମହିଳା ‘ବାମନଦେଇ ଉତ୍ପାଦକ କମ୍ପାନି’ ଅଧୀନରେ ଏମ୍ ଏସ୍ ସ୍ବାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ସହଯୋଗରେ ଏକ ବିହନ କେନ୍ଦ୍ରର ଦାୟିତ୍ୱ ତୁଲାଉଛନ୍ତି। ସଂଗୃହୀତ ସାଢ଼େ ୪ କୁଇଣ୍ଟାଲ ବିହନ ବିକ୍ରି କରି ବେଶ୍ ଲାଭବାନ ହୋଇପାରିଛନ୍ତି। ଏନେଇ ଗୋଷ୍ଠୀର ସଭାପତି ଚନ୍ଦ୍ରମା ମସିଆ କହନ୍ତି, ‘‘ଏଥିରେ ସେମାନେ ବାଟି, ଭୈରବୀ, ଜହ୍ନା, ବଡ଼ ମାଣ୍ଡିଆ, ସାନ ମାଣ୍ଡିଆ, ଭାଲୁ ମାଣ୍ଡିଆ ଆଦି ବିହନ ଚାଷୀମାନଙ୍କଠାରୁ ସଂଗ୍ରହ କରି ସଂରକ୍ଷଣ କରୁଛନ୍ତି। ଏହାସହ ଅନ୍ୟ ଶସ୍ୟର ବିହନକୁ ମଧ୍ୟ ସଂଗ୍ରହ କରି ବିକ୍ରି କରୁଛନ୍ତି। ବିଭିନ୍ନ ଜିଲ୍ଲାରୁ ଚାଷୀମାନେ ସେମାନଙ୍କଠାରୁ ବିହନ କିଣି ନେଉଛନ୍ତି। ଗତବର୍ଷ ଏସ୍ଏଚ୍ଜି ମହିଳାମାନେ ଗାଁ ତଥା ଆଖପାଖ ଚାଷୀଙ୍କଠାରୁ ୬ କୁଇଣ୍ଟାଲ୍ ବିହନ ସଂଗ୍ରହ କରି ସାଢ଼େ ୪ କୁଇଣ୍ଟାଲ ବିହନ ବିକି ବେଶ୍ ଲାଭବାନ ହୋଇପାରିଛନ୍ତି।
ଉପସ୍ଥାପନା: ଐଶ୍ବର୍ଯ୍ୟା ପରିଜା