ପ୍ରତିଦିନ ମନୁଷ୍ୟ ଶରୀର ଭିତରକୁ ପ୍ରବେଶ କରୁଛି ପ୍ରାୟ ୯ ପ୍ରକାରର ପ୍ଲାଷ୍ଟିକ କଣିକା, ଯାହା ଫଳରେ ମନୁଷ୍ୟ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବା ସହ ଲିଭର ଉପରେ ପଡୁଛି ଅଧିକ ପ୍ରଭାବ !

ପ୍ରତିଦିନ ମନୁଷ୍ୟ ବ୍ୟବହାର କରୁଥିବା ଖାଦ୍ୟ ପେୟ ଏବଂ ଅନ୍ୟାନ୍ୟ ବସ୍ତୁରୁ ଶରୀର ଭିତରକୁ ପ୍ରାୟ ୯ ପ୍ରକାରର ପ୍ଲାଷ୍ଟିକ କଣିକା ପ୍ରବେଶ କରୁଛି। ଏହା ମଧ୍ୟରୁ କିଛି କଣିକା ମଳ ତ୍ୟାଗ ବେଳେ ବାହାରି ଯାଇଥାଏ । କିନ୍ତୁ କିଛି ଏପରି କଣିକା ରହିଛି ଯାହା ଶରୀର ଭିତରୁ ନବାହାରି ତାହା ରକ୍ତରେ ମିଶିଯାଇ ରକ୍ତରେ ପ୍ରବାହିତ ହୋଇଥାଏ । ଗତ କିଛି ଦିନ ତଳେ ଏହା ଉପରେ ବୈଜ୍ଞାନିକମାନେ ପରୀକ୍ଷା କରି ସୂଚନା ପ୍ରଦାନ କରିଛନ୍ତି । ତେବେ ଏହି ପରୀକ୍ଷାରେ ସାମିଲ ହୋଇଥିବା କିଛି ଲୋକଙ୍କ ପେଟରୁ କେଶ ଠାରୁ ବି ତିନିଗୁଣା ଛୋଟ ଛୋଟ ପ୍ଲାଷ୍ଟିକ କଣିକା ମିଳିଥିବାର ବିଶେଷଜ୍ଞ ମତ ପ୍ରଦାନ କରିଛନ୍ତି ।

ସୂଚନା ମୁତାବକ, ମେଡିକାଲ ୟୁନିଭରସିଟି ଅଫ୍ ଭିଏନା ଏବଂ ଏନଭାରମେଣ୍ଟ ଏଜେନ୍ସି ଅଫ ଅଷ୍ଟ୍ରିଆର ବିଶେଷଜ୍ଞମାନେ କରିଥିବା ଏକ ଗବେଷଣାରେ ବିଶେଷଜ୍ଞମାନେ ବ୍ରିଟେନ, ଇଟାଲୀ, ନେଦରଲ୍ୟାଣ୍ଡ, ପୋଲାଣ୍ଡ, ଋଷ ଏବଂ ଅଷ୍ଟ୍ରିଆର ୮ ଜଣ ସାଖାହାରି ଏବଂ ମାଂସାହାରି ଲୋକଙ୍କୁ ନେଇ ପରୀକ୍ଷା କରିଥିଲେ । ଏହି ପରୀକ୍ଷାରେ ସମସ୍ତଙ୍କ ଶରୀରରୁ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ କଣିକା ବାହାରିଥିଲା ।

ପ୍ଲାଷ୍ଟିକ କାରଣରୁ ବାୟୁ ଏବଂ ଜଳ ଉଭୟ ପ୍ରଦୁଷଣ ହେବାକୁ ଲାଗିଛି । ସାଧାରଣତଃ ୱାସିଂ ମେସିନରେ ଗୋଟେ ଥର କପଡା ଧୋଇବା ଫଳରେ ପାଖା ପାଖି ସାତ ଲକ୍ଷ ପ୍ଲାଷ୍ଟିକ ଫାଇବର କଣିକା ପରିବେଶରେ ମିଶିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ଲାଷ୍ଟିକ ପାଣି ବୋତଲ , ଖାଇବାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ପ୍ଲେଟ, ଖାଦ୍ୟ ରଖାଯାଉଥିବା ପ୍ଲାଷ୍ଟିକ ଡବା ଏବଂ ମାଛ ସାହାଯ୍ୟରେ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ କଣିକା ମନୁଷ୍ୟ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏଥିସହିତ ଧୁଳି ଏବଂ ସିନ୍ଥେଟିକ କପଡାରେ ଥିବା ପ୍ଲାଷ୍ଟିକ କଣିକା ନିଶ୍ୱାସ ପ୍ରଶ୍ୱାସ ସାହାଯ୍ୟରେ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଯାହା ଫଳରେ ମନୁଷ୍ୟ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବା ସହ ଲିଭର ଉପରେ ମଧ୍ୟ ଅଧିକ ପ୍ରଭାବ ପଡିଥାଏ ।

ସମ୍ବନ୍ଧିତ ଖବର