ଆଜକୁ ୧୧ ଲକ୍ଷ ବର୍ଷ ପୂର୍ବେ ମାତ୍ରାଧିକ ଥଣ୍ଡା ଯୋଗୁଁ ୟୁରୋପ ପ୍ରଥମ ମାନବ ପ୍ରଜାତି ‘ହୋମୋ ଇରେକ୍ଟସ’ ଲୋପ ପାଇଯାଇଥିଲେ ବୋଲି ଏକ ପ୍ରତ୍ନତାତ୍ତ୍ବିକ ଅନୁଧ୍ୟାନରୁ ଜଣାପଡ଼ିଛି। ବିଜ୍ଞାନ ପତ୍ରିକା ‘ସାଇନ୍ସ’ର ଗତ ୧୦ ତାରିଖ ସଂସ୍କରଣରେ ପ୍ରକାଶିତ ଏ ବାବଦ ସୂଚନାନୁସାରେ, ପୂର୍ବରୁ ଜୀବାଶ୍ମ ଏବଂ ପ୍ରସ୍ତର ସରଞ୍ଜାମରୁ ମିଳିଥିବା ପ୍ରମାଣ ସ୍ବରୂପ ୧୮ ଲକ୍ଷରୁ ୧୪ ଲକ୍ଷ ବର୍ଷ ତଳେ ହୋମୋ ଇରେକ୍ଟସ ଏସିଆ ମହାଦେଶରୁ ଯାଇ ୟୁରୋପରେ ପହଞ୍ଚିଥିଲେ।
ୟୁରୋପରେ ପରବର୍ତ୍ତୀ ମାନବ ପ୍ରଜାତି ‘ହୋମୋ ଆଣ୍ଟେସେସର’ର ଉପସ୍ଥିତି ସମ୍ପର୍କରେ ମିଳିଥିବା ପ୍ରମାଣ ଅନୁଯାୟୀ ସେମାନେ ଆଜକୁ ୯ ଲକ୍ଷ ବର୍ଷ ତଳେ ଦେଖାଦେଇଥିଲେ। ସେମାନେ ସେଠାକୁ ଆଫ୍ରିକା କିମ୍ବା ଏସିଆରୁ ଆସିଥିଲେ। ତେବେ ପୂର୍ବ ପ୍ରଜାତିର ବିଲୋପନ ଓ ପରବର୍ତ୍ତୀ ପ୍ରଜାତିର ଆବିର୍ଭାବ ମଧ୍ୟରେ ୨ ଲକ୍ଷ ବର୍ଷର ବ୍ୟବଧାନ ରହିଛି। ଏହି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ବେଳେ ନବ ଆବିଷ୍କୃତ ଶୀତଳୀକରଣ ପ୍ରକ୍ରିୟା ଘଟିଥିଲା। ପର୍ତ୍ତୁଗାଲ ଉପକୂଳର ସମୁଦ୍ରଶଯ୍ୟାରୁ ମିଳିଥିବା ପ୍ରସ୍ତର ନମୁନାରୁ ଜଣାପଡ଼ିଛି ଯେ ପ୍ରାୟ ସାଢ଼େ ୧୧ ଲକ୍ଷ ବର୍ଷ ତଳେ ଶୀତଳୀକରଣ ଆରମ୍ଭ ହୋଇଥିଲା। ସୁତରାଂ, ଭୀଷଣ ଥଣ୍ଡା ହୋମୋ ଇରେକ୍ଟସ ପ୍ରଜାତିର ମୂଳପୋଛ କରିଦେଇଥିଲା ବୋଲି ଗବେଷକ କ୍ରୋନିସ ଅନୁମାନ କରୁଛନ୍ତି।