ବସ୍‌, ଟ୍ରକ ଚଳାଉଥିବା ଅଧା ଡ୍ରାଇଭରଙ୍କ ଆଖି ଠିକ୍‌ ନାହିଁ !

ନୂଆଦିଲ୍ଲୀ: ମନେକରନ୍ତୁ ଆପଣ ଗୋଟିଏ ବସରେ ଯାଉଛନ୍ତି, ରାସ୍ତା ମଝିରେ ଆପଣ ଜାଣିବାକୁ ପାଇଲେ ଯେ ଆପଣଙ୍କ ବସର ଡ୍ରାଇଭରଙ୍କୁ ଭଲ ଭାବେ ଦେଖାଯାଉନାହିଁ । ସେତେବେଳେ ଆପଣଙ୍କ ଅବସ୍ଥା କଣ ହେବ ? ଆପଣ ନିଶ୍ଚିତ ଭାବେ ବସରୁ ଓହ୍ଲେଇ ଯିବେ । କିନ୍ତୁ କେବେ ଭାବିଛନ୍ତି ଆମ ଦେଶର ଜାତୀୟ ରାଜପଥରେ ପ୍ରତିଦିନ ଚାଲୁ ଥିବା ହଜାର ହଜାର ବସ ଓ ଟ୍ରକର ଚାଳକମାନଙ୍କ ଆଖି କିପରି ରହିଛି ? ଏହାର  ଉତ୍ତର ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଏକ ସରକାରୀ ଅଟକଳ ଅନୁସାରେ ଭାରତର ଜାତୀୟ ରାଜପଥଗୁଡିକରେ ଟ୍ରକ ଚଳାଉଥିବା ପ୍ରାୟ ଅଧା ଡ୍ରାଇଭରଙ୍କର ଦୃଷ୍ଟି ଦୋଷ ରହୁଛି ଅର୍ଥାତ୍‌ ସାଧାରଣ ଭାଷାରେ କହିଲେ ଆଖି ଠିକ ନାହିଁ ।  ଏ ସଂପର୍କରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ସଚିବ ଯୁଦ୍ଧବୀର ସିଂ ମଲ୍ଲିକ୍‌ ସୂଚନା ଦେଇଛନ୍ତି ।

ଏହି ଅଧ୍ୟୟନ ଲାଗି ଏନଏଚଏଆଇ (ଜାତୀୟ ରାଜପଥ ପ୍ରାଧିକରଣ) ପକ୍ଷରୁ ଦେଶର ବିଭିନ୍ନ ଟୋଲ ପ୍ଲାଜାରେ ଏକ ତିନିଦିନିଆ ଶିବିର କରାଯାଇ ଡ୍ରାଇଭର ମାନଙ୍କ ଆଖି ପରୀକ୍ଷା କରାଯାଇଥିଲା । ଏଥିରେ ଭାଗ ନେଇ ଆଖି ପରୀକ୍ଷା କରାଇଥିବା ପ୍ରାୟ ୬ ହଜାର ଡ୍ରାଇଭରଙ୍କ ମଧ୍ୟରୁ ଅଧା ଲୋକଙ୍କ ଦୃଷ୍ଟି ଦୋଷ ରହିଥିବା ଦେଖାଯାଇଥିଲା । ସେମାନେ ଶତ ପ୍ରତିଶତ ଠିକ ଭାବେ ଦେଖିପାରୁନଥିଲେ , କିନ୍ତୁ ଅର୍ଥ ଅଭାବରୁ ହେଉ ବା ସଚେତନତା ଅଭାବରୁ ହେଉ ଚଷମା ପିନ୍ଧୁ ନଥିଲେ ବା ଚିକିତ୍ସିତ ହେଉନଥିଲେ । ଏନଏଚଏଆଇ ପକ୍ଷରୁ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଲାଗି ପରାମର୍ଶ ଦିଆଯିବା ସହ ଚଷମା ବଣ୍ଟନ କରାଯାଇଥିଲା ।

ଆଶ୍ଚର୍ଯ୍ୟ କଥା ହେଉଛି ସେମାନଙ୍କ ମଧ୍ୟରୁ ୧ହଜାର ଜଣ ଏପରି ଥିଲେ ଯେଉଁମାନଙ୍କ ଅର୍ଥାତ୍‌ ଦୂରଦୃଷ୍ଟିଦୋଷ (ଟୁପ୍ଲସ୍‌ ଆଇସାଇଟ୍‌)  ଥିବା ସତ୍ତ୍ୱେ ସେମାନେ ଆଦୌ ଚଷମା ବ୍ୟବହାର କରୁନଥିଲେ ।

ସାରା ବିଶ୍ୱରେ ବର୍ଷକୁ ଯେତେ ପରିମାଣରେ ସଡ଼କ ଦୁର୍ଘଟଣା ଘଟେ ତାହାର ପ୍ରାୟ ୧୧ ପ୍ରତିଶତ ଭାରତରେ ହୋଇଥାଏ । ଭାରତରେ ବର୍ଷକୁ ପ୍ରାୟ ୫ଲକ୍ଷ ସଡ଼କ ଦୁର୍ଘଟଣା ହୋଇଥାଏ ଓ ପ୍ରାୟ ୧.୫ ଲକ୍ଷ ଲୋକ ମରନ୍ତି । ଆମ ଦେଶରେ ଲୋକମାନେ ଅତି ସହଜରେ ଡ୍ରାଇଭିଂ ଲାଇସେନ୍ସ ପାଇ ଯାଆନ୍ତି, ଯେବେକି ୟୁରୋପ ଓ ଆମେରିକାରେ ତାହା ପାଇବା ବେଶ କଷ୍ଚକର । ଲୋକମାନେ ଗାଡି ଚାଳନାର ଉତ୍ତମ ଦକ୍ଷତା ପ୍ରଦର୍ଶନ କଲେ ହିଁ ଲାଇସେନ୍ସ ପାଇପାରନ୍ତି । ଏଥିଲାଗି ଆମ ଦେଶରେ ସଡ଼କ ଦୁର୍ଘଟଣା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଖୁବଶୀଘ୍ର ସଡ଼କ ସୁରକ୍ଷା ବିଲ୍‌ ସଂସଦରେ ଆଗତ କରିବେ । ଏଥିରେ ସଡ଼କ ଆଇନ ଉଲ୍ଲଙ୍ଘନ କଲେ କଡ଼ା ଦଣ୍ଡ ଓ ଜୋରିମାନାର ବ୍ୟବସ୍ଥା ରହିଛି ।

ସମ୍ବନ୍ଧିତ ଖବର