କୃଷିକାର୍ଯ୍ୟରେ ବ୍ୟବହୃତ ଟ୍ରାକ୍ଟରର ବେଗ ଖୁବ୍ କମ୍‌। ଅବଶ୍ୟ ଏହା ପଛରେ ତାହାର ବିଶାଳକାୟ ଚକ ଓ ଅନ୍ୟାନ୍ୟ ଯାନ୍ତ୍ରିକ କଟକଣା ଦାୟୀ। ତେବେ ବେଲାରୁସ୍‌ର ଏକ ଟ୍ରାକ୍ଟର ନିର୍ମାତା କମ୍ପାନି ଟ୍ରାକ୍ଟରରେ ବ୍ୟବହୃତ ଯନ୍ତ୍ରାଂଶକୁ ଉପଯୋଗ କରି ଫର୍ମୁଲା ୧ ପରି ଏକ ଅତି ଦ୍ରୁତଗାମୀ କାର୍‌ ନିର୍ମାଣ କରିଛି। ନିକଟରେ ରୁଷିଆର ୟେକାଟେରିନବର୍ଗ ସହରରେ ଅନୁଷ୍ଠିତ ଏକ ଅଭିନବ ଯନ୍ତ୍ରପାତି ପ୍ରଦର୍ଶନୀରେ ବିଭିନ୍ନ ରକମର କୃଷି ଯନ୍ତ୍ରପାତି ଓ ପରିବହନ ଯାନ ଗହଣରେ ପ୍ରଦର୍ଶିତ ଏହି କାର୍‌ଟି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି।

Advertisment

ମିଂସ୍କ ଟ୍ରାକ୍ଟର କମ୍ପାନି ଦ୍ବାରା ନିର୍ମିତ ଏହି ଯାନଟି ପ୍ରଥମ ନଜରରେ ଏକ ଅସ୍ବାଭାବିକ କାର ଭଳି ଦେଖାଯାଉଛି। ଏଥିରେ ଟ୍ରାକ୍ଟରର ଚକ, ହେଡ୍‌ଲାଇଟ୍‌ ଲାଗିଛି, ଟ୍ରାକ୍ଟର ପରି ଉପରମୁହାଁ ଧୂଆଁନଳୀ ଲାଗିଛି। ଯାନଟିର ଏଭଳି ବିଚିତ୍ର ଗଢ଼ଣ ତା’କୁ ଅନ୍ୟମାନଙ୍କ ଠାରୁ ନିଆରା କରିଛି। ଟ୍ରାକ୍ଟର ଯନ୍ତ୍ରାଂଶରେ ନିର୍ମିତ ଏହି ଫର୍ମୁଲା-୧ କାର୍‌ର ବେଗ ଘଣ୍ଟାକୁ ୩୨୦ କି.ମି.ରୁ ଟପିଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଟ୍ରାକ୍ଟରଗୁଡ଼ିକ ଆଉ ତଥାକଥିତ ମନ୍ଥର ଯାନ ହୋଇ ରହିନାହିଁ ବୋଲି ଉକ୍ତ ପ୍ରଦର୍ଶନୀର ଆୟୋଜକ କହିଛନ୍ତି।