ବର୍ତ୍ତମାନ ରାଜ୍ୟରେ ସାର ଅଭାବ ଓ ବିତରଣରେ ସମସ୍ୟା ନେଇ ଅସନ୍ତୋଷ ମୁଣ୍ଡ ଟେକିଛି। ଏ ବ୍ୟାପାରରେ ଶାସକ ବିଜେପି ଓ ବିରୋଧୀ ବିଜେଡି ମଧ୍ୟରେ ରାଜନୈତିକ ବୟାନବାଜି ଜାରି ରହିଛି। ଏହି ପ୍ରସଙ୍ଗରେ ‘ରବିବାର ସମ୍ବାଦ’ର ସାମ୍ନାସାମ୍ନି ସ୍ତମ୍ଭରେ ନିଜର ଓ ଦଳର ମତ ବ୍ୟକ୍ତ କରିଛନ୍ତି ବିଜେଡିର ତୁଙ୍ଗନେତା ତଥା ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ। ସାର ସଂକଟ ପ୍ରସଙ୍ଗରେ ଉଭୟଙ୍କ ସହ ଆଲୋଚନା କରିଛନ୍ତି ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି
ସତ୍ ସାହସ ଥିଲେ ମୋହନଙ୍କ ସରକାର ସାର ସମସ୍ୟା ଉପରେ ଶ୍ବେତପତ୍ର ପ୍ରକାଶ କରନ୍ତୁ: ଦେବୀପ୍ରସାଦ ମିଶ୍ର
ସରକାର କହୁଛନ୍ତି ରାଜ୍ୟରେ ଯଥେଷ୍ଟ ସାର ମହଜୁଦ ଅଛି ଏବଂ ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ତେଣେ ସାର ମିଳୁନାହିଁ ବୋଲି ଚାଷୀ ଅଭିଯୋଗ କରୁଛନ୍ତି। ଆପଣ କ’ଣ କହିବେ?
ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେଉଁ ବିଜେପି ରାଜ୍ୟ ସରକାର ବର୍ତ୍ତମାନ ତମ୍ବି-ତୋଫାନ କରି କହୁଛନ୍ତି ଯେ ଆମର ଯଥେଷ୍ଟ ସାର ମହଜୁଦ ରହିଛି, ଆବଶ୍ୟକତା ଅନୁଯାୟୀ ଚାଷୀମାନଙ୍କୁ ସାର ବଣ୍ଟନ କରାଯାଉଛି ଏବଂ ସାର ଅଭାବ ନାହିଁ, ମୁଁ ସେହି ବିଜେପି ନେତା ଓ ମନ୍ତ୍ରୀମାନଙ୍କୁ ପ୍ରଶ୍ନ କରୁଛି ଯେ ସାରଗଣ୍ଡାଏ ପାଇଁ ଚାଷୀ କାହିଁକି ରାତିରୁ ଲମ୍ବାଧାଡ଼ି କରି ରାସ୍ତାକଡ଼ରେ ଚପଲ ପକାଇ ଭୋକ ଉପାସରେ ତା’ ଉପରେ ବସିରହୁଛି? ବିଜେପି ସରକାର ଗଣମାଧ୍ୟମରେ ଏହି ଲଜ୍ଜାଜନକଦୃଶ୍ୟ ଦେଖୁନି? ସାର ନ ପାଇ ଚାଷୀ ଛଟପଟ ହେଉଛି। ସାର ମହଜୁଦ ଅଛି ଓ ଚାଷୀଙ୍କୁ ଯୋଗାଇ ଦିଆଯାଉଛି ବୋଲି ଯୋଗାଣମନ୍ତ୍ରୀ ଓ ପ୍ରାଶାସନିକ ଅଧିକାରୀ କେବଳ ବାହାସ୍ଫୋଟମାରି କହୁଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସାରକୁ ନେଇ ସମୀକ୍ଷା ବୈଠକ କରିଛନ୍ତି, ତଥାପି ଏବେ ମଧ୍ୟ ସାର ସମସ୍ୟା ସମାଧାନ ହୋଇପାରୁନାହିଁ। ଚାରିରୁ ପାଞ୍ଚଗୁଣା ଦରରେ ଚୋରାରେ ସାର ବିକ୍ରିହେଉଛି। ଅଥଚ ପ୍ରଥମରୁ ବିଜେପି ମୁଖପାତ୍ର ଓ ଦଳୀୟ ନେତା ତଥା ମନ୍ତ୍ରୀମାନେ କହିଅାସୁଛନ୍ତି ଚୋରାରେ ସାର ବିକୁଥିବା ବ୍ୟବସାୟୀ ଏବଂ ଲୁଚାଇ ବା ହୋର୍ଡିଂ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୋର ସିଧାସଳଖ ପ୍ରଶ୍ନ କେତେଜଣ ଦୁର୍ନୀତିଗ୍ରସ୍ତ ସାର ବ୍ୟବସାୟୀଙ୍କୁ ବିଜେପି ସରକାର ଗିରଫ କଲେଣି? ଯଦି ସତ୍ ସାହସ ଅଛି ତେବେ ମୋହନ ସରକାର ରାଜ୍ୟର ସାର ସମସ୍ୟା ଉପରେ ଶ୍ବେତପତ୍ର ପ୍ରକାଶ କରନ୍ତୁ।
ବିଜେପି କହୁଛି ଆଗୁଆ ବର୍ଷା ହୋଇଗଲା, କୃଷି ଉତ୍ପାଦନ ବୃଦ୍ଧି ପାଇଲା, ତେଣୁ ସାର ଚାହିଦା ବଢ଼ିଯାଇଛି। ଏହାକୁ ନେଇ କ’ଣ କହିବେ?
କୃଷି ଉତ୍ପାଦନ ବୃଦ୍ଧି ପାଇଛି, ଏହା ସତ୍ୟ। କିନ୍ତୁ ଦେଢ଼ବର୍ଷ ଭିତରେ ବୃଦ୍ଧି ପାଇଯାଇ ନାହିଁ। ଆମ ସରକାରର ପ୍ରଚେଷ୍ଟାରେ ଓଡ଼ିଶାେର ଖାଦ୍ୟସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଛି। ବର୍ଷା ଆଗୁଆ ହୋଇଗଲା- ଏ ବିଷୟରେ ପାଣିପାଗ ବିଭାଗ ଦେଇଥିବା ଆଗୁଆ ସୂଚନା କ’ଣ ବିଜେପି ସରକାର ଜାଣି ନ ଥିଲା? ସାର ସମସ୍ୟା ସମାଧାନ କରି ଚାଷୀଙ୍କୁ ଠିକ୍ ସମୟରେ ସାର ଯୋଗାଇଦେବା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିଥିଲା, ସେକଥା ସ୍ପଷ୍ଟ କରନ୍ତୁ। ଏହା ନ କହି ଆଗୁଆ ବର୍ଷା ହେଲା, ଚାଷୀ ଶୀଘ୍ର ଚାଷକାମ ଆରମ୍ଭ କରିଦେଲେ, ବିଜେଡି ସାର ପ୍ରସଙ୍ଗକୁ ରାଜନୀତିକରଣ କରୁଛି, ଏଭଳି ଅପ୍ରାସଙ୍ଗିକ କଥା ନ କହି ଏବଂ ଚାଷୀଙ୍କୁ ଭୂଅଁା ନ ବୁଲାଇ ସରକାର ସାର ସମସ୍ୟା ସମାଧାନ କରନ୍ତୁ।
ଆପଣଙ୍କ ସରକାର ଥିବାବେଳେ ମଧ୍ୟ ସାର ସମସ୍ୟା ଦେଖା ଦେଇଥିଲା ଆପଣ କ’ଣ କରିଥିଲେ?
ସମସ୍ୟା ବିଭିନ୍ନ ସମୟେର ରହିଥାଏ। କିନ୍ତୁ ତା’ର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଜରୁରି। ମୁଁ ମଧ୍ୟ କୃଷିମନ୍ତ୍ରୀ ଥିଲି। ସାର ଅଭାବ ସମସ୍ୟା ପୂରଣ କରିବା ପାଇଁ ମୁଁ ତତ୍କାଳୀନ କେନ୍ଦ୍ର କୃଷିମନ୍ତ୍ରୀ ଶରଦ ପାୱାର୍ଙ୍କ ସହ ଆଲୋଚନା କରି ସଠିକ୍ ସମୟରେ ଓଡ଼ିଶାର ଚାଷୀଙ୍କ ନିକଟରେ ସାର ପହଞ୍ଚାଇଥିଲି। ବର୍ତ୍ତମାନର ଡବଲ୍ ଇଞ୍ଜିନ୍ ସରକାର କାହିଁକି ଏହା କରିପାରିଲେନି?
ବିଜେପି କହୁଛି, ସାର ପ୍ରସଙ୍ଗରେ ବିଜେଡି ନେତାଙ୍କୁ ଦେଖିଲେ ଚାଷୀ ଗୋଡ଼ାଇବେ ଏବଂ ବିଜେଡିର ପ୍ରଶ୍ନ କରିବାର ଅଧିକାର ନାହିଁ। ଆପଣଙ୍କ ମତ କ’ଣ?
ମୁଁ କହିରଖିବାକୁ ଚାହୁଛି, ସାର ପ୍ରସଙ୍ଗରେ ବିଜେପି ନେତାଙ୍କୁ ଚାଷୀ ଓ ଲୋେକ ଏପରି ଗୋଡ଼ାଇଲେଣି ଯେ ଆଜି ସେମାନେ ବାହାରକୁ ବାହାରିପାରୁ ନାହାନ୍ତି। ବିଜେପିର ସଭାପତି ମନମୋହନ ସାମଲ କହିଲେ- ସାର ପ୍ରସଙ୍ଗରେ କହିବାର ଅଧିକାର ବିଜେଡିର ନାହିଁ। ଏହା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ବିରୋଧୀ ଦଳର ପ୍ରଶ୍ନ ପଚାରିବାର ଅଧିକାର ନାହିଁ ବୋଲି ଯଦି ମନମୋହନଙ୍କ ଭଳି ଜଣେ ଅନୁଭବୀ ଓ ଅଭିଜ୍ଞତାସଂପନ୍ନ ରାଜନେତା କହିବେ, ତେବେ ଏହାଠାରୁ ବଳି ଦୁର୍ଭାଗ୍ୟଜନକ କଥା ଆଉ କ’ଣ ହୋଇପାରେ?
ମାଗଣା ମୋବାଇଲ୍ ଓ କାଳିଆ ଯୋଜନାରେ ହୋଇଥିବା ଦୁର୍ନୀତି ଉପରେ ଶ୍ବେତପତ୍ର ପ୍ରକାଶ କରିଥିଲେ କି?: ବିଷ୍ଣୁ ଦାସ
ଆପଣ କହୁଛନ୍ତି ରାଜ୍ୟରେ ଯଥେଷ୍ଟ ସାର ମହଜୁଦ ଅଛି ଏବଂ ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ତେବେ ସାର ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ ତେଜୁଛି କାହିଁକି?
ଦେବୀପ୍ରସାଦ ମିଶ୍ର ରାଜ୍ୟର ଜଣେ ସମ୍ମାନାସ୍ପଦ ରାଜନୈତିକ ବ୍ୟକ୍ତିତ୍ବ। ମୁଁ ତାଙ୍କୁ ସମ୍ମାନ କରେ। ମୁଁ କହିବାକୁ ଚାହେ, ଆମ ସରକାର ଆଦୌ ବିଫଳ ହୋଇନାହିଁ କିମ୍ବା ଚାଷୀଙ୍କୁ ସାର ଯୋଗାଇବାରେ ସାମାନ୍ୟତମ ଅବହେଳା ପ୍ରଦର୍ଶନ କରିନାହିଁ। ଏହାକୁ ଦେବୀବାବୁ ଓ ବିଜେଡି ଅତି ଭଲ ଭାବରେ ଜାଣିଛନ୍ତି। ସାର ପ୍ରସଙ୍ଗରେ ଶ୍ବେତପତ୍ର ପ୍ରକାଶ କରିବାକୁ ସେ ଦାବି କରୁଛନ୍ତି। ମୁଁ ତାଙ୍କୁ ମନେପକାଇ ଦେବାକୁ ଚାହେ, ଆଳୁ ମିସନ୍ ସମୟରେ କେତେଥର ଇସ୍ରାଏଲ୍ ଗସ୍ତ କରି ବିଜେଡି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି? ଖୋଦ୍ ଦେବୀବାବୁ ଏହା ଜାଣିଛନ୍ତି। ଆଳୁ ଓ ଚାଷୀମୃତ୍ୟୁକୁ ନେଇ ତତ୍କାଳୀନ ବିଜେଡି ନେତା ଓ ମନ୍ତ୍ରୀ ଦାମୋଦର ରାଉତଙ୍କ ମନ୍ତବ୍ୟ ଦେବୀବାବୁ ମନେପକାନ୍ତୁ। ଆଳୁ ମିସନ୍ ବିଫଳ ହେଲା, ଚାଷୀଙ୍କୁ ମୋବାଇଲ୍ ଯୋଗାଣ ଓ କାଳିଆ ଯୋଜନାର ଦୁର୍ନୀତି ତଥା ଠକେଇ ଉପରେ ଦେବୀବାବୁ ଦଳୀୟ ତଦନ୍ତ କରନ୍ତୁ। ତା’ର ଶ୍ବେତପତ୍ର ବିଜେଡି ବାହାର କରୁ। ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଦୁର୍ନୀତି ପ୍ରସଙ୍ଗରେ ଶ୍ବେତପତ୍ର ପ୍ରକାଶ କରନ୍ତୁ। ଏହାକୁ ନେଇ ସେ ଓ ତାଙ୍କ ଦଳ ଶ୍ବେତପତ୍ର ପ୍ରକାଶ କରିଥିଲେ କି? ବିଗତ ଦିନର କଥା ସବୁ ଭୁଲିଯାଇ ଆଜି ଆଳୁ ପ୍ରସଙ୍ଗରେ ଭଲେଇହୋଇ ନବୀନବାବୁ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ। ଏସବୁ କେବଳ ବିଜେଡିର ରାଜନୀତିକରଣ।
ଆପଣ କହୁଛନ୍ତି ଆଗୁଆ ବର୍ଷା ହୋଇଗଲା, ଚାଷୀ ଶୀଘ୍ର ଚାଷ ଆରମ୍ଭ କଲେ ଓ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଲା, ତେଣୁ ସାର ଚାହିଦା ବଢ଼ିଯାଇଛି। କିନ୍ତୁ, ଏହା କ’ଣ ଗ୍ରହଣଯୋଗ୍ୟ?
ଆଳୁରୁ ନେଇ ସାର, ସବୁଠାରେ ବିଜେଡି କେବଳ ଦଳୀୟ ଓ ରାଜନୈତିକ ସ୍ବାର୍ଥସାଧନ ପାଇଁ ରାଜନୀତି କରି ଜନସାଧାରଣଙ୍କୁ ଭୁଅଁା ବୁଲାଉଛି। ଦେବୀବାବୁ ଜାଣିବା ଦରକାର ତାଙ୍କ ସରକାର ସମୟରେ କୃଷି ଓ କୃଷକମାନଙ୍କ ସମସ୍ୟା ଓ ବିଫଳତାର ଲମ୍ବା କଳା ତାଲିକା ରହିଛି। ଏହାର ପର୍ଦ୍ଦାଫାଶ କଲେ ଦେବୀବାବୁ ସମ୍ଭାଳିବେ ତ? ସାର ସମସ୍ୟାର ସମାଧାନ ପାଇଁ ମୋହନ ସରକାର ସବୁବେଳେ ଯଥେଷ୍ଟ ଧ୍ୟାନ ଦେଇଛନ୍ତି। ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ସାର ମହଜୁଦ ରହିଛି ଏବଂ ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ଏହାକୁ ନେଇ ବିଜେଡିର ରାଜନୀତି ସଫଳ ହେବନାହିଁ। ଆମେ ଚୋରା ସାର ବ୍ୟବସାୟ ନିୟନ୍ତ୍ରଣ କରିପାରିଛୁ। ଶୀଘ୍ର ବର୍ଷା ହେବାର ପୂର୍ବାନୁମାନ ହେବା ସମସ୍ତେ ଜାଣିଛନ୍ତି। କିନ୍ତୁ, ଏତେ ତୀବ୍ର ବୃଷ୍ଟିପାତ ଗତ ଦଶନ୍ଧିରେ ହୋଇ ନ ଥିଲା ବା ଏହାର ପୂର୍ବାନୁମାନ କରାଯାଇ ନ ଥିଲା।
ଖାଦ୍ୟ ସାମଗ୍ରୀ ଉତ୍ପାଦନ ପାଇଁ ବିଗତ ବିଜେଡି ସରକାର ସମସ୍ତ ଶ୍ରେୟର ଅଧିକାରୀ ବୋଲି ଦାବି କରାଯାଉଛି। ସାର ପ୍ରସଙ୍ଗରେ ବିଜେଡିର ପ୍ରଶ୍ନ କରିବାର ଅଧିକାର ନାହିଁ ବୋଲି ବିଜେପି ରାଜ୍ୟ ସଭାପତି କହିବା କେତେଦୂର ଠିକ୍?
ବିଜେପି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସଠିକ୍ ସମୟରେ ଚାଷୀଙ୍କୁ ସାହାଯ୍ୟ, ସହଯୋଗ ଓ ଆର୍ଥିକ ପ୍ରୋତ୍ସାହନ ସଙ୍ଗକୁ ଫସଲବୀମା ସରଳୀକରଣ, ଚାଷୀ ଓ ଚାଷର ସର୍ବାଙ୍ଗୀନ ଉନ୍ନତି କରିଛି। ଧାନଚାଷରୁ ନେଇ ରବି ଫସଲ ଉତ୍ପାଦନ ବୃଦ୍ଧି ଗତ ଦେଢ଼ବର୍ଷରେ କେତେ ହୋଇଛି ବିଜେଡି ଟିକେ ତା’ର ଆକଳନ ଦେଖୁ। କେନ୍ଦ୍ରର ବିଜେପି ସରକାର ଓଡ଼ିଶାେର ଚାଷବାସ ଉନ୍ନତି ପାଇଁ ନବୀନ ସରକାରଙ୍କୁ ସର୍ବଦା ସାହାଯ୍ୟ ଓ ସହଯୋଗ ଯୋଗାଇବାରେ କୁଣ୍ଠା ପ୍ରଦର୍ଶନ କରି ନ ଥିଲେ। ତାହା ମଧ୍ୟ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଛି। ଖାଲି ନବୀନବାବୁ ଓ ବିଜେଡି ଓଡ଼ିଶାରେ ଖାଦ୍ୟ ସାମଗ୍ରୀ ବୃଦ୍ଧି କରିନାହାନ୍ତି। ସାର ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ଅଧିକାର ବିଜେଡିର ନାହିଁ ବୋଲି ବିଜେପି ସଭାପତି ମନମୋହନ ସାମଲ ଯେଉଁ ମନ୍ତବ୍ୟ ଦେଇଛନ୍ତି ଦେବୀବାବୁ ତା’ର ତାତ୍ପର୍ଯ୍ୟ ବୁଝିପାରି ନାହାନ୍ତି। ଚାଷୀ ଓ ଚାଷ ପ୍ରଗତିରେ ସରକାରରେ ଥିବା ସମୟରେ ବିଜେଡି ଯେପରି ବିଫଳ ହୋଇଥିଲା ବର୍ତ୍ତମାନ ପରିପ୍ରେକ୍ଷୀରେ ସାର ସମସ୍ୟା ନେଇ ପ୍ରଶ୍ନ କରିବା ଉଚିତ ନୁହେଁ ବୋଲି ଆମ ସଭାପତି କହିଛନ୍ତି।