ଜୀବନକୁ ବାନ୍ଧି ରଖିବାର ଫ୍ୟାକ୍ଟର୍

ଡା ଇପ୍ସିତା ପ୍ରଧାନ

ବୟସ ତାଙ୍କର ୯୨ କି ୯୩। ସଦ୍ୟ ହାର୍ଟ-ଆଟାକ୍ ହୋଇ ଆଇ ସି ୟୁରେ ଆଡମିଟ୍ ହୋଇଥା’ନ୍ତି। ଆଡମିସନ୍ ପରେ ଔଷଧ ଓ ଇଞ୍ଜେକସନ୍ ନେଇ ଛାତିର ଯନ୍ତ୍ରଣା କମିଥାଏ। କିନ୍ତୁ ବୟସର ଆଧିକ୍ୟ ଏବଂ ରକ୍ତଚାପ, ହୃଦୟର ଗତି, ନିଶ୍ବାସପ୍ରଶ୍ବାସ, ଅକ୍ସିଜେନ୍ ସାଚୁରେସନ୍, ଦେହର ତାପମାତ୍ରା, ସୁଗାର ଲେବଲ୍ ସବୁ (ଯାହାକୁ ଆମେ ଡାକ୍ତରୀ ଭାଷାରେ hemodynamically stable କହୁ) ସାମାନ୍ୟ ଥିବା ହେତୁ, ତା’ଙ୍କ ଘର ଲୋକଙ୍କ ସହ କଥା ହୋଇ ବୃଦ୍ଧା ଜଣଙ୍କୁ କେବଳ ମେଡିକାଲ ମ୍ୟାନେଜମେଣ୍ଟ(କେବଳ ଔଷଧ ଦ୍ବାରା ଚିକିତ୍ସା)ର ପ୍ଲାନ୍ କରାଯାଇଥାଏ। ସେଦିନ ମୋର ରାତି ଡ୍ୟୁଟି। ମୁଁ ତାଙ୍କୁ ଦେଖିସାରି, ତାଙ୍କ ବେଡ୍ ପାଖରୁ ଆଉ ଗୋଟିଏ ବେଡ୍ ଆଡକୁ ପାଦ ବଢେଇବାକୁ ଯାଉଛି, ହଠାତ୍ ବୃଦ୍ଧା ଜଣଙ୍କ ଦେହରେ ସଲ°ଗ୍ନ ମନିଟରଟି ଆଲାର୍ମ ଦେଲା। ମୁଁ ସେଇଆଡକୁ ମୁହଁ ବୁଲାଇବା ଆଗରୁ, ବୃଦ୍ଧା ଜଣକ ନିଦରୁ ବିଳବିଳେଇ ଉଠିଲା ପରି ଚିତ୍କାର କଲେ, ‘‘ହେ ଡାକ୍ତର, ଦେଖଦେଖ ମୋର କ’ଣ ହେଇଗଲା। ଏ ଟିଭିଟା ଏଡେ ଜୋରରେ ବାଜୁଛି।’’ ମୁଁ ପାଖକୁ ଯାଇ, ତାଙ୍କ ହାତରେ ସାଚୁରେସନ୍ ପ୍ରୋବଟା ଲଗାଇଦେଇ, ଆଲାର୍ମ ବନ୍ଦ କରି କହିଲି, “ନା’ ମା’ କିଛି ହେଇନି, କାଇଁ ବ୍ୟସ୍ତ ହେଉଛ? ଶୋଇପଡ।’’ ମୋ’ ହାତକୁ ତାଙ୍କ ଦୁଇ ପାପୁଲିରେ ମାଡିବସି କହିଲେ, “ମୁଁ ବଞ୍ଚି କି ଫେରିବିଟି? ଜଲ୍ଦି ଛାଡିବୁଟି ମୋତେ। ଗଛରେ ତେଣେ ଆମ୍ବଗୁଡା ପାଚି ଯାଇଥିଲା। ସେ ପବନା ଭାର୍ଯ୍ୟା ଗୋଟା ଛାଡିବନି। ଏ ନିଆଁନଗା ଧିଅ, ଏଇନେ ଖରାପ ହେବାକୁ ଥିଲା।” ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଥାଏ ଆଉ ଶୁଣୁଥାଏ ତା’ଙ୍କ କଥାକୁ। ୯୨-୯୩ ବର୍ଷ ବୟସରେ, ଏତେ ଛାତି ଯନ୍ତ୍ରଣା, ଆଇ ସି ୟୁ ବେଡରେ ପଡି ଏତେ ଇଞ୍ଜେକସନ୍ ର ଫୋଡା ଆଉ ଔଷଧ ଖାଇଲା ପରେ ବି ବଞ୍ଚିବାର ଏତେ ଇଚ୍ଛା କୋଉଠୁ ଆସୁଥାଏ ତାଙ୍କ ଭିତରେ? କ’ଣ ସେ ଜିନିଷ କି ଇଚ୍ଛା, ଯାହା ପାଇଁ ଏତେ ଯନ୍ତ୍ରଣା ପରେ ବି ବୃଦ୍ଧା ଜଣକ ମରିବାକୁ ଇଚ୍ଛା ପ୍ରକଟ କରୁ ନାହାନ୍ତି? କ’ଣ ସେ ଫ୍ୟାକ୍ଟରଟି, ଯେଉଁଟା ତାଙ୍କୁ ଏ ବୟସ ଆଉ କଷ୍ଟ ପରେ ବି ପୃଥିବୀପୃଷ୍ଠରେ ବଞ୍ଚି ରହିବା ପାଇଁ ବାନ୍ଧି ରଖୁଛି? ଆଜି ବିଶ୍ବର ତଥା ଏନ୍ ସି ଆର୍ ବିର ଭାରତର ଅତ୍ମହତ୍ୟାକୁ ନେଇ ବାହାରିଥିବା ରିପୋର୍ଟକୁ ଦେଖି ମୋର ସେଇ ବୃଦ୍ଧା ଓ ତାଙ୍କର ବଞ୍ଚିବାର ଇଚ୍ଛା ହିଁ ମନେ ପଡୁଥିଲା।

ରିପୋର୍ଟ ଅନୁସାରେ, ବର୍ଷ ୨୦୨୧ରେ ବିଶ୍ବରେ ୮୦୦,୦୦୦ ଲୋକ ଆତ୍ମହତ୍ୟା କରିଛନ୍ତି। ଏବଂ ଆଉ ଏନ୍ ସି ଆର୍ ବିର ରିପୋର୍ଟ ଅନୁସାରେ ଭାରତରେ ଅନ୍ୟୂନ ୧,୬୫,୦୩୩ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଯାହାକି ବର୍ଷ ୨୦୨୦ ଏବଂ ୨୦୧୯ରେ ଯଥାକ୍ରମେ ୧,୫୩,୦୫୨ ଏବଂ ୧,୩୯,୧୨୯ ଥିଲା। ବର୍ତ୍ତମାନ ଆମ ଦେଶର ଆତ୍ମହତ୍ୟା ହାର, ପ୍ରତି ୧,୦୦୦୦୦ ଜନତାରେ ୧୨ ଅଛି। ଯାହା କି ୧୯୬୭ (ଆତ୍ମହତ୍ୟାର ଷ୍ଟାଟିଷ୍ଟିକ୍ସ ମହଜୁଦ ଥିବା ପ୍ରଥମ ବର୍ଷ)ରୁ ୨୦୨୧ ମଧ୍ୟରେ ଉପଲବ୍ଧ ଡାଟା ଅନୁସାରେ, ସର୍ବାଧିକ ଅଟେ। ବର୍ଷ ୨୦୨୦ ଅପେକ୍ଷା ୨୦୨୧ରେ ଭାରତରେ ଆତ୍ମହତ୍ୟା ହାରରେ ୭.୨% ବୃଦ୍ଧି ଘଟିଛି। ବିଶ୍ବରେ ଘଟିଥିବା ସମସ୍ତ ଆତ୍ମହତ୍ୟା ମଧ୍ୟରେ ଭାରତରେ, ବର୍ଷ ୧୯୯୦ ରୁ ୨୦୧୬ ମଧ୍ୟରେ ମହିଳା ମାନଙ୍କ କ୍ଷେତ୍ରରେ ଆତ୍ମହତ୍ୟା ହାର ୨୫.୩% ରୁ ବଢି ୩୬.୬% ହୋଇଥିବା ବେଳେ ପୁରୁଷ ମାନଙ୍କ କ୍ଷେତ୍ରରେ ୧୮.୭%ରୁ ବଢି ୨୪.୩% ରେ ପହଞ୍ଚିଛି। ଏନ୍ ସି ଆର୍ ବି ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାଯାଏ, ୨୦୨୧ରେ ଦେଶରେ ସର୍ବାଧିକ ଆତ୍ମହତ୍ୟା ମହାରାଷ୍ଟ୍ରରେ ୨୨,୨୦୭ ଜଣ କରିଥିବା ବେଳେ, ତାମିଲନାଡୁରେ ୧୮,୯୨୫ ଜଣ, ମଧ୍ୟପ୍ରଦେଶରରେ ୧୪,୯୬୫ ଜଣ, ପଶ୍ଚିମ ବଙ୍ଗରରେ ୧୩,୫୦୦ ଜଣ ଏବଂ କର୍ଣ୍ଣାଟକରେ ୧୩,୦୫୬ ଜଣ ଆତ୍ମହତ୍ୟା କରିଛନ୍ତି। ସେହିପରି ଆମ ରାଜ୍ୟ ଓଡ଼ିଶାରେ ବର୍ଷ ୨୦୨୦ ଏବଂ ୨୦୨୧ ରେ, ହାରାହାରି ୧୧,୦୦୦ ଆତ୍ମହତ୍ୟାର ମାମଲା ନଜରକୁ ଆସିଥିବା ବେଳେ, ସେଥିରୁ ୫,୭୭୦ଟି ଆତ୍ମହତ୍ୟା ୨୦୨୧ରେ ଘଟିଛି। ରାଜ୍ୟରେ ଗତ ଦୁଇବର୍ଷ ମଧ୍ୟରେ ଘଟିଥିବା ସମସ୍ତ ଆତ୍ମହତ୍ୟାର ମାମଲା ମଧ୍ୟରୁ ହାରାହାରି ୯୧% ଫାଶୀ କିମ୍ବା ବିଷ ସେବନ ଦ୍ବାରା ହୋଇଛି। ରିପୋର୍ଟ ଅନୁସାରେ, ଓଡ଼ିଶାରେ ୨୦୨୦ ଏବଂ ୨୦୨୧ ମଧ୍ୟରେ ଘଟିଥିବା ୧୧,୧୩୯ଟି ଆତ୍ମହତ୍ୟା ମଧ୍ୟରୁ ୫,୨୮୫ ଟି ଫାଶୀ, ୪,୮୫୫ଟି ବିଷ ସେବନ, ୨୦୮ଟି ଯୌତୁକଜନିତ ତଥା ଅନ୍ୟ ଗୁଡିକ ପାଣିରେ ବୁଡିବା, ନିଆଁରେ ପୋଡି ହେବା, ଟ୍ରେନ୍ ଧରଣାରେ କଟିବା ଦ୍ବାରା କରାଯାଇଛି।

ଏନ୍ ସି ଆର୍ ବି ରିପୋର୍ଟ ଅନୁସାରେ, ୨୦୨୧ରେ ହୋଇଥିବା ସମସ୍ତ ଆତ୍ମହତ୍ୟା ମଧ୍ୟରେ, ୨୫.୬% ସହ ସର୍ବାଧିକ ଆତ୍ମହତ୍ୟା ଦିନ ମଜୁରିଆ (ଡେଲିଓ୍ବେଜ୍ ଲେବରର) ଶ୍ରେଣୀର ଲୋକଙ୍କ ମଧ୍ୟରେ (୨୦୨୦ରେ ମଧ୍ୟ) ଦେଖାଯାଇଛି। ସମ୍ପୂର୍ଣ୍ଣ ଦେଶରେ ପାଖାପାଖି ୪୨,୦୦୦ ଶ୍ରମିକ (୧୬୪୦୩୩ଟି ଆତ୍ମହତ୍ୟା ମଧ୍ୟରୁ ପ୍ରତି ୪ଜଣରେ ଜଣେ) ନିଜ ଜୀବନକୁ ଶେଷ କରିବାର ନିଷ୍ପତ୍ତି ନେଇଥିବା ଦେଖାଯାଇଥିବା ବେଳେ ଏହାର ମୁଖ୍ୟ କାରଣ ବିଶ୍ବ ମହାମାରୀ କୋଭିଡ୍ ହିଁ ରହିଛି। ସେହିପରି ୨୦୨୧ରେ କୃଷକ ଓ ଚାଷ ଜମିରେ କାମ କରୁଥିବା ମୋଟ ୧୦,୮୮୧ ଜଣ ଆତ୍ମହତ୍ୟା କରିଥିବା ବେଳେ ଦେଶର ମୋଟ୍ ଆତ୍ମହତ୍ୟାର ଏହା ୬.୬% ରହିଛି। ୧୪.୧% ଆତ୍ମହତ୍ୟା ହାର ସହ ଗୃହିଣୀ ମାନଙ୍କ ଆତ୍ମହତ୍ୟା ଦେଶରେ ଦ୍ୱିତୀୟ ସର୍ବାଧିକ ଶ୍ରେଣୀରେ ସାମିଲ ଅଛି। କୋଭିଡ୍ ସମୟରେ ଘରୋଇ ହି°ସାରେ ବୃଦ୍ଧି ଘଟିଥିବାକୁ ହିଁ ଏହାର ଗୋଟିଏ ବଡ଼ କାରଣ ରୂପରେ ଦେଖାଯାଉଛି। ଏନ୍ ସି ଆର୍ ବି ରିପୋର୍ଟ ଅନୁସାରେ, ମହିଳାଙ୍କ କ୍ଷେତ୍ରରେ ଦେଖା ଯାଇଥିବା ଆକସ୍ମିକ ଓ ଆତ୍ମହତ୍ୟା ଜନିତ ମୃତ୍ୟୁର ମୋଟ ମାମଲା ମଧ୍ୟରୁ ୨୩,୧୭୯ଟି ଗୃହିଣୀ ମାନଙ୍କ ଆତ୍ମହତ୍ୟାର ରହିଛି।

ସେହିପରି ସେଲ୍ଫ-ଏମ୍ପ୍ଲୋୟେଡ୍ ଓ ବ୍ୟବସାୟ ଆଦି କରୁଥିବା ଶ୍ରେଣୀର ଲୋକଙ୍କ ମଧ୍ୟରେ ବି ଆତ୍ମହତ୍ୟା ହାର ୧୨.୩% ରହିଥିବା ବେଳେ ବେରୋଜଗାର/ ବେକାର ଏବଂ ବେତନଧାରୀଙ୍କ ମଧ୍ୟରେ ଆତ୍ମହତ୍ୟା ହାର ଯଥାକ୍ରମେ ୮.୪% ଓ ୯.୭% ରହିଛି। ସେମିତି ଅବସରପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମହତ୍ୟା ହାର ୦.୯% ଥିବା ବେଳେ ଅନ୍ୟାନ୍ୟ ସମସ୍ତ ଶ୍ରେଣୀରେ ୧୪.୪% ରହିଛି। ହେଲେ ଆତ୍ମହତ୍ୟା କଥା ବିଚାର କଲା ବେଳେ ଆମେ ଦେଶର ଛାତ୍ର ବା ଷ୍ଟୁଡେଣ୍ଟ ଶ୍ରେଣୀକୁ ସେଥିରୁ ବାଦ୍ ଦେଇ ପାରିବା ନାହିଁ। ୨୦୨୧ରେ ପାଖାପାଖି ୮% ବା ୧୩,୦୮୯ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ, ଏହା ଗତ ପାଞ୍ଚ ବର୍ଷରେ ସର୍ବାଧିକ ବୋଲି ରେକର୍ଡ କରାଯାଇଛି। ବିଶେଷଜ୍ଞ ମାନେ କୋଭିଡ୍ କାରଣରୁ ସ୍କୁଲ, କଲେଜ୍ ବନ୍ଦ ରହିବା ଏହାର ଗୋଟିଏ ବଡ଼ କାରଣ ଭାବରେ ଗଣୁଛନ୍ତି। ଛାତ୍ର ଆତ୍ମହତ୍ୟାର ସର୍ବାଧିକ ମାମଲା ମହାରାଷ୍ଟ୍ରରେ ୧୮୩୪ ରହିଥିବା ବେଳେ, ମଧ୍ୟପ୍ରଦେଶରେ ୧୩୦୮, ତାମିଲନାଡୁରେ ୧୨୪୬, କର୍ଣ୍ଣାଟକରେ ୮୫୫ ଏବଂ ଓଡ଼ିଶାରେ ୮୩୪ ରହିଛି। ରେକର୍ଡ ଅନୁସାରେ, ବର୍ଷ ୨୦୨୦ରେ ୧୪୬୯ଟି ଆତ୍ମହତ୍ୟା ସହ, ଓଡ଼ିଶା ଛାତ୍ର ଆତ୍ମହତ୍ୟା ମାମଲାରେ ଦେଶରେ ଦ୍ୱିତୀୟ ସ୍ଥାନରେ ଥିଲା। ସମଗ୍ର ଦେଶରେ ୧୨,୫୨୬ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। ଏହାଛଡା ସାମୂହିକ ଏବଂ ପରିବାରର ସମ୍ମିଳିତ ଆତ୍ମହତ୍ୟା କ୍ଷେତ୍ରରେ ମଧ୍ୟ ବର୍ଷ ୨୦୨୧ରେ ହିଁ ସର୍ବାଧିକ ୧୩୧ଟି ମାମଲା ରେକର୍ଡ କରାଯାଇଛି। ଏନ୍ ସି ଆର୍ ବି ଅନୁସାରେ ଦେଶରେ ୩୩.୨% ଆତ୍ମହତ୍ୟା ପାରିବାରିକ କାରଣରୁ ଦେଖା ଯାଉଥିବା ବେଳେ ୧୮.୬% ମାମଲା ରୋଗ-ବ୍ୟାଧି କାରଣରୁ ଘଟିଛି।

ଦିନୁଦିନ ବଢୁଥିବା ଏହି ଆତ୍ମହତ୍ୟାର ମାମଲା କେବଳ ଭାରତ ପାଇଁ ନୁହେଁ, ବରଂ ସମ୍ପୂର୍ଣ୍ଣ ବିଶ୍ବରେ ମଧ୍ୟ ଚିନ୍ତାର କାରଣ ପାଲଟିଛି। ମରିବା ପାଇଁ କେହି ଚାହାଁନ୍ତି ନାହିଁ ଏବଂ କୌଣସି ସମୟରେ ବି ଜଣଙ୍କର ନିଜକୁ ନିଜେ ହତ୍ୟା କରିବା ବା ଜୀବନକୁ ସମାପ୍ତ କରିବା ଆଦୌ ସାମାନ୍ୟ ବା ଗ୍ରହଣୀୟ କଥା ନୁହେଁ। ସର୍ବେକ୍ଷଣ ଅନୁସାରେ, ପୃଥିବୀରେ ଦେଖାଯାଇଥିବା ସମସ୍ତ ୮,୦୦,୦୦୦ ଆତ୍ମହତ୍ୟା ମଧ୍ୟରୁ ଯେତେବେଳେ ବି ଗୋଟିଏ ଆତ୍ମହତ୍ୟା ଘଟିଥାଏ ସେବେ ଆଉ ୨୦ ଜଣ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଅନ୍ୟ ଅନେକଙ୍କ ଠାରେ ଆତ୍ମହତ୍ୟାର ସା°ଘାତିକ ଭାବନା ମନରେ ଆସିଥାଏ। ବିଶ୍ବ ସାରା ହିଁ ବିଭିନ୍ନ ପାରିବାରିକ କାରଣ; ଯେମିତି କି କଳହ, ଛାଡ଼ପତ୍ର, ନୂତନ ପରିବାର ଗ୍ରହଣ ଏବଂ ଆଡପ୍ଟେସନ୍, ମାନସିକ ସ୍ତରରେ ସହଭାଗିତା ଓ ଭାବପ୍ରବଣତା ତଥା ସମ୍ବେଦନଶୀଳତାର ଅଭାବ ଏବଂ ଘରୋଇ ହି°ସା ଆଦି ଆତ୍ମହତ୍ୟାର ମୁଖ୍ୟ କାରଣ। ଏହାଛଡା ଯୌନ ଶୋଷଣ, ଶାରୀରିକ ଉତ୍ପୀଡ଼ନ, ମଦ୍ୟପାନ, ନିଶାସେବନ, ସାମାଜିକ ସ୍ଥାନାନ୍ତରଣ, ଯୁଦ୍ଧ ଏବଂ ହି°ସା, ରାଜନୈତିକ ଚାପ, ରେଜଲ୍ଟ ପାଇଁ ଶିକ୍ଷାନୁଷ୍ଠାନ ଏବଂ ପରିବାରର ଚାପ, ଶିକ୍ଷାନୁଷ୍ଠାନରେ ରାଗି° ଓ କାର୍ଯ୍ୟକ୍ଷେତ୍ରର ଚାପ ମଧ୍ୟ ମଣିଷକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥାଏ। ଆତ୍ମହତ୍ୟା କରିଥିବା ଅଧିକାଂଶ ଲୋକଙ୍କ ଭିତରେ ସା°ଘାତିକ ମାନସିକ ଅବସାଦ ଥିବାର ମଧ୍ୟ ଲକ୍ଷ୍ୟ କରାଯାଇଛି।

ବିଶ୍ବରେ ଘଟୁଥିବା ପ୍ରତ୍ୟେକ ଆତ୍ମହତ୍ୟା ଗୋଟିଏ କମ୍ୟୁନିଟି ବା ପବ୍ଲିକ୍ ସ୍ବାସ୍ଥ୍ୟ ସମସ୍ୟା ଅଟେ। କାରଣ ଆତ୍ମହତ୍ୟାଟିଏ ହେଲେ କେବଳ ଯେ ସେଇ ମଣିଷଟିର ଜୀବନ ହାନି ଘଟେ ତା’ ନୁହେଁ କିମ୍ବା କେବଳ ତା’ରି ପରିବାର ପ୍ରଭାବିତ ହୁଏ ତା’ ନୁହେଁ ବର° ଏହା ତା’ ଚାରିପାଖର ଅନେକ ମଣିଷଙ୍କୁ ମାନସିକ ସ୍ତରରେ ବ୍ୟସ୍ତ-ବିବ୍ରତ କରେ ଏବଂ ଅବସାଦ ଆଣିଦିଏ। ଖାସ୍ ସେଇଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ୨୦୦୩ ମସିହାରୁ ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଅଫ୍ ସୁଇସାଇଡ୍ ପ୍ରିଭେନସନ୍ ସ°ସ୍ଥା ସହ ମିଶି ୧୦ ସେପ୍ଟେମ୍ବରକୁ “ଓ୍ବାର୍ଲ୍ଡ ସୁଇସାଇଡ୍ ପ୍ରିଭେନସନ୍ ଡେ” ବା ‘ବିଶ୍ବ ଆତ୍ମହତ୍ୟା ପ୍ରତିରୋଧକ ଦିବସ’ ହିସାବରେ ପାଳନ କରି ଆସୁଛି। ୨୦୨୧-୨୦୨୩ ପାଇଁ “କ୍ରିଏଟି° ହୋପ୍ ଥ୍ରୁ ଆକ୍ସନ୍” କୁ ଏହି ଦିବସ ପାଳନର ଥିମ୍ ଭାବେ ରଖାଯାଇଛି। ଏହି ଥିମ୍ କୁ ଲକ୍ଷ୍ୟ ରଖି ଭାରତରେ ଏସ୍ ପି ଆଇ ଏଫ୍, ଆଶ୍ରା, ବିଫ୍ରେଣ୍ଡର୍ସ ଇଣ୍ଡିଆ, ଲାଇଫଲାଇନ୍ ଫାଉଣ୍ଡେସନ୍, ସାଥ୍, ସଙ୍ଗତ୍ ଓ ସୁମୈତ୍ରି ପରି ସ°ସ୍ଥାମାନେ ସୁଇସାଇଡ୍ ପ୍ରିଭେନସନ୍ ପାଇଁ ଅହରହ କାମ କରୁଛନ୍ତି। ଏହି କ୍ରମରେ ଓଡ଼ିଶାର ଜଣାଶୁଣା ମାନସିକରୋଗ ବିଶେଷଜ୍ଞ ଡା. ଅମ୍ରିତ ପଟ୍ଟଯୋଶୀଙ୍କ ସହ ଆଲୋଚନା କଲାରୁ, ଖୁବଶୀଘ୍ର ଓଡ଼ିଶାରେ ମଧ୍ୟ “ସୁଇସାଇଡ୍ ପ୍ରିଭେନସନ୍ ହେଲ୍ପଲାଇନ୍” ଆରମ୍ଭ ହେବା ପାଇଁ ଚେଷ୍ଟା ଜାରି ରହିଥିବାର ସୂଚନା ମିଳିଛି। “କ୍ରିଏଟି° ହୋପ୍ ଥ୍ରୁ ଆକ୍ସନ୍” ଅର୍ଥ, ଆମେ ଆମ କାର୍ଯ୍ୟକଳାପ ଦ୍ବାରା ଆତ୍ମହତ୍ୟାର ଭାବନା ରଖୁଥିବା, ମାନସିକ ଅବସାଦରେ ପୀଡିତ ବ୍ୟକ୍ତି ଓ ଆମ ଚାରିପାଖର ଲୋକଙ୍କ ମଧ୍ୟରେ ଆଶା ତଥା ଆଶ୍ବାସନା ସଞ୍ଚାର କରିବା ଯେ, ଆମେ ସେମାନଙ୍କ ମାନସିକ ସ୍ଥିତି, ଭାବପ୍ରବଣତା, ଦୁଃଖ ଓ କଷ୍ଟକୁ ବୁଝି ପାରୁଛୁ। ସବୁ କଷ୍ଟ ପରେ ବି ସବୁ ସମସ୍ୟାର ସମାଧାନ ଅଛି ଏବଂ ସେମାନଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ।

ଆତ୍ମହତ୍ୟାର ପ୍ରତିରୋଧ ପାଇଁ ସାମାଜିକ ବାଛନ୍ଦ ତଥା ଏକ୍ଲାପଣ ଭୋଗୁଥିବା ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଚେଷ୍ଟା କରାଯିବା; ସମାଜରେ ଦେଖାଯାଉଥିବା ଭେଦଭାବ ଓ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାର ପ୍ରଚାରକୁ ରୋକିବା; ବିଭିନ୍ନ ରାସାୟନିକ ତଥା କୀଟନାଶକ ଔଷଧର ବିକ୍ରିବଟାରେ ସଠିକ୍ ନିୟମ ଓ ନିୟନ୍ତ୍ରଣ ଲାଗୁ କରାଇବା; ସ୍ଥାନୀୟ ଅଥରିଟିଙ୍କ ସାହାଯ୍ୟରେ ମୋଟିଭେସନାଲ୍ ଏବଂ କାଉନସେଲିଂ ତଥା ଯୋଗ-ମେଡିଟେସନ୍ ଶିବିର ମାନ ଆୟୋଜନ କରିବା; ମାନସିକ ଅବସାଦ କିମ୍ବା ଚିନ୍ତାର ଶିକାର ହେଉଥିଲେ ସାଇକୋଲୋଜିଷ୍ଟ, ସାଇକିଆଟ୍ରିଷ୍ଟ୍ ବା ମାନସିକରୋଗ ବିଶେଷଜ୍ଞଙ୍କ ସାହାଯ୍ୟ ନେବା ଭଳି ପଦକ୍ଷେପ ସବୁର ଆବଶ୍ୟକତା ରହିଛି। ଏସବୁ ଦ୍ବାରା ଆମେ ଅକାଳରେ ଜୀବନ ହାରିବାକୁ ବସିଥିବା ମଣିଷ ମାନଙ୍କୁ ସେଇ ୯୨-୯୩ ବର୍ଷୀୟ ବୃଦ୍ଧାଙ୍କ ପରି ବଞ୍ଚିରହିବା ଓ ବାନ୍ଧି ହୋଇ ରହିବାର ଫ୍ୟାକ୍ଟର ଖୋଜିବାରେ ସାହାଯ୍ୟ କରିପାରିବା।

ଭୁବନେଶ୍ୱର

ସମ୍ବନ୍ଧିତ ଖବର