ଜର୍ମାନୀର ଫହ୍‌ର-ଆମ୍ରମ୍‌ ଦ୍ବୀପଟି ସେଠାରେ ଥିବା ଏକ କବରସ୍ଥଳୀ ପାଇଁ ପ୍ରସିଦ୍ଧ। ଏହା ପଥର ନିର୍ମିତ କବରରେ ପରିପୂର୍ଣ୍ଣ, ଯାହା ସହରରୁ ଚିରବିଦାୟ ନେଇଥିବା ଲୋକଙ୍କର ସ୍ମୃତି ବହନ କରୁଛି। ସାଧାରଣତଃ ସମାଧି ଫଳକରେ ପରଲୋକଗତ ଲୋକଙ୍କ ନାମ, ଜନ୍ମତାରିଖ ଓ ମୃତ୍ୟୁତାରିଖ ଲେଖାଯାଇଥାଏ। ମାତ୍ର ଏଠାରେ ଥିବା ସମାଧି ଫଳକଗୁଡ଼ିକରେ ଦିବଂଗତମାନଙ୍କ ବିଷୟରେ ବିଶେଷ କାହାଣୀ ଓ ଉପାଖ୍ୟାନମାନ ଲେଖାଯାଇଛି।

Advertisment

ସେଗୁଡ଼ିକ ମୃତବ୍ୟକ୍ତିମାନଙ୍କ ବିଷୟରେ ଅନେକ ଅକୁହା କଥା ବର୍ଣ୍ଣନା କରିଥାନ୍ତି। ସେଥିପାଇଁ ଏଗୁଡ଼ିକୁ କଥାକୁହା କବର କୁହାଯାଏ। ସମାଧି ଫଳକ ଉପରେ ଜୀବନ କାହାଣୀ ଲେଖିବାର ଏହି ପରମ୍ପରା ସପ୍ତଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଜଣାଯାଏ। ଏଠାରେ ସମାଧିଲାଭ କରିଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ନାବିକ ଥିଲେ। ତିମି ମାଛ ଧରିବା ପାଇଁ ସେହି ଦ୍ବୀପର ଆଖପାଖ ପ୍ରକୃଷ୍ଟ ସ୍ଥାନ ଥିଲା। ଡଚ୍‌ ଓ ଇଂରେଜ ଜାହାଜଗୁଡ଼ିକ ସେଠାରେ ଅଟକୁଥିବା ବେଳେ ସେମାନେ ସ୍ଥାନୀୟ ଲୋକଙ୍କୁ କାମରେ ନିଯୁକ୍ତ କରୁଥିଲେ। ପ୍ରାଣ ହରାଇଥିବା ଲୋକଙ୍କ ଭିତରୁ ଜଣ ଜଣଙ୍କ ପାଖରେ ଏତେ କାହାଣୀ ରହିଥିଲା ଯେ ସେମାନଙ୍କ ସମାଧି ଫଳକ ପଛପଟେ ମଧ୍ୟ ଲେଖିବାକୁ ପଡୁଥିଲା।