ନିଜ ମନୋଭାବକୁ ଭାଷାରେ ପ୍ରକାଶ କରିବାର କ୍ଷମତା ଶିଶୁର ନଥିବାରୁ ତାହାର ମନ ଜାଣି ତା’ର ଯତ୍ନ ନେବା ଏକ ଦୁରୂହ ବ୍ୟାପାର। ନିଜର ଭୋକ, ଶୋଷ, କ୍ଳାନ୍ତି କି ଶାରୀରିକ କଷ୍ଟ ପରି ସ୍ବାଭାବିକ ପ୍ରତିକ୍ରିୟାକୁ ଶିଶୁ କେବଳ କ୍ରନ୍ଦନ ଦ୍ବାରା ପ୍ରକାଶ କରିଥାଏ। ବେଳେ ବେଳେ ଶିଶୁର ନିରନ୍ତର କ୍ରନ୍ଦନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାଏ। ଶିଶୁର କ୍ରନ୍ଦନ ବନ୍ଦ କରିବା ପାଇଁ ‘ବେବି ମ୍ୟୁଟ୍‌’ କମ୍ପାନି ‘ଶିଶୁ ତୁଣ୍ଡି’ ନାମରେ ଏକ ଅଭିନବ ସରଞ୍ଜାମ ବିକ୍ରି କରୁଥିବା ସୂଚନାକୁ କେନ୍ଦ୍ର କରି ସାମାଜିକ ଗଣମାଧ୍ୟମରେ ବିତର୍କ ସୃଷ୍ଟି ହୋଇଛି। ସାଧାରଣତଃ ଗୋରୁଗାଈଙ୍କୁ ମାତ୍ରାଧିକ ଖାଦ୍ୟ ଖାଇବାରୁ ବିରତ କରିବା ଲାଗି ସେମାନଙ୍କ ମୁହଁରେ ତୁଣ୍ଡି ଭିଡ଼ାଯାଉଥିବାର ନଜିର ରହିଛି। ତେବେ ଶିଶୁକୁ ତୁନି କରିବା ଲାଗି ତୁଣ୍ଡିର ବ୍ୟବହାର ଅମାନବିକ ମନେହୁଏ।

Advertisment

ଏହାକୁ ବିକ୍ରି କରୁଥିବା କମ୍ପାନି ଯୁକ୍ତି ବାଢ଼ିଛି ଯେ ବିମାନ ଯାତ୍ରା ବା ସିନେମା ଦେଖିବା ସମୟରେ ଶିଶୁମାନଙ୍କ କ୍ରନ୍ଦନ ବନ୍ଦ କରିବା ପାଇଁ ଏହା ଏକ ଆଶୁ ସମାଧାନ। ଶିଶୁ ମୁହଁରେ ଏହି ତୁଣ୍ଡି ବାନ୍ଧିବା ଦ୍ବାରା ବିରକ୍ତିକର କ୍ରନ୍ଦନରେ ୮୭ ପ୍ରତିଶତ ହ୍ରାସ ଘଟୁଛି ବୋଲି କମ୍ପାନି ଦାବି କରିଛି। ମାତ୍ର ଶିଶୁର ସ୍ବାଭାବିକ କାନ୍ଦକୁ ଅବରୋଧ କରିବା ଦ୍ବାରା ସେମାନଙ୍କ ଭାବର ପରିପ୍ରକାଶ ଦକ୍ଷତାରେ ବାଧା ଉପୁଜିବ ଏବଂ ପରିଣତି ସ୍ବରୂପ ସେମାନଙ୍କଠାରେ ବ୍ୟାବହାରିକ ସମସ୍ୟା ଦେଖାଦେବ ବୋଲି କିଛି ଲୋକ ଆଶଙ୍କା ବ୍ୟକ୍ତ କରିଛନ୍ତି। ହେଲେ ପ୍ରକୃତ କଥା ହେଉଛି ଏଭଳି କୌଣସି ତୁଣ୍ଡି ବାସ୍ତବରେ ନାହିଁ। ଆମେରିକୀୟ ହାସ୍ୟଅଭିନେତା ବ୍ରାଡ୍ ଗୁଜ୍ ଏହାର ପରିକଳ୍ପନା କରିଛନ୍ତି। ଏହା କେବଳ ବନ୍ଧୁପରିଜନଙ୍କ ସହ ଥଟ୍ଟା ପରିହାସ କରିବାକୁ ଉଦ୍ଦିଷ୍ଟ। ଉପରୋକ୍ତ ଦାବି ସହିତ ସେ ଏକ ପ୍ୟାକେଟ୍‌ ବିକ୍ରି କରୁଛନ୍ତି। ଯେ କେହି ଏହାକୁ ୮ ଡଲାର୍‌ ଦେଇ ମଗାଇ ପାରିବେ। ପ୍ୟାକେଟ୍‌ ଭିତରେ କିନ୍ତୁ ଶିଶୁଙ୍କ ତୁଣ୍ଡି ବଦଳରେ ମିଲିବ ଖାଲି ପବନ।