ଓଡ଼ିଶାର ବ୍ୟାସକବି ତଥା ଆଧୁନିକ ଓଡ଼ିଆ ଗଳ୍ପର ଜନକ ଭାବେ ସୁପରିଚିତ ଫକୀରମୋହନ ସେନାପତିଙ୍କର ୧୮୪୩ ମସିହା ମକର ସଂକ୍ରାନ୍ତିରେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ମଲ୍ଲିକାଶପୁର ଠାରେ ଜନ୍ମ ହୋଇଥିଲା। ସେ ଏକାଧାରରେ ଜଣେ କବି, ଔପନ୍ୟାସିକ, ଗାଳ୍ପିକ, ଦାର୍ଶନିକ ତଥା ସମାଜ ସଂସ୍କାରକ। ଫକୀରମୋହନଙ୍କୁ ମାତ୍ର ଦେଢ଼ ବର୍ଷ ହୋଇଥିବା ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କର ପରଲୋକ ଘଟିଥିଲା। ତାହାର ଚଉଦ ମାସ ପରେ ମାତା ତୁଳସୀ ଦେବୀଙ୍କର ମଧ୍ୟ ଦେହାନ୍ତ ଘଟିଥିଲା। ବାପମା’ ଛେଉଣ୍ଡ ଫକୀରମୋହନଙ୍କୁ ବାଲ୍ୟାବସ୍ଥାରୁ ତାଙ୍କ ଜେଜେମା’ ଲାଳନପାଳନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଘୋର ଅନଟନ ଭିତରେ ବଢ଼ିଥିବା ଫକୀରମୋହନଙ୍କ ପାଠ ପଢ଼ିବା ପ୍ରତି ଅହେତୁକ ଆଗ୍ରହ ଥିଲେ। ସେ ନିଜ ଉଦ୍ୟମରେ ବଙ୍ଗଳା, ପାର୍ସୀ ଓ ହିନ୍ଦୀରେ ଦକ୍ଷତା ହାସଲ କରିଥିଲେ। ଓଡ଼ିଆ ଭାଷା ଓ ସଂସ୍କୃତି ବିରୋଧୀ ଷଡ୍ଯନ୍ତ୍ରକୁ ପ୍ରତିହତ କରିବାରେ ତାଙ୍କର ଭୂମିକା ଅତୁଳନୀୟ। ସରଳ ଓ ସାବଲୀଳ ଭାଷାରେ ଗଳ୍ପ, କବିତା ଓ ଉପନ୍ୟାସ ଲେଖି ସେ ଦେଶବିଦେଶରେ ଓଡ଼ିଆ ସାହିତ୍ୟର ପ୍ରସାର କରିଥିଲେ। ସେ ସମୟର ଇଂରେଜୀ ଶିକ୍ଷିତ ଓଡ଼ିଆଙ୍କ ମାତୃଭାଷା ପ୍ରତି ଅବହେଳାକୁ ସମାଲୋଚନା କରି ‘ଉତ୍କଳ ଭ୍ରମଣଂ’ରେ ଲେଖିଥିଲେ: ‘ପଢ଼ ଇଂରେଜୀ କେହି ମନା କରୁ ନାହିଁ, କିନ୍ତୁ ବାପା କାମ କର ଜାତିକୁଳ ଚାହିଁ। ଘୃଣା କରୁଅଛ ମାତୃଭାଷା ପଢ଼ିବାକୁ, ହାୟ ହାୟ ଲାଜକଥା କହିବି କାହାକୁ।’ ତାଙ୍କ ରଚିତ ‘ଛ’ ମାଣ ଆଠଗୁଣ୍ଠ’, ‘ମାମୁ’, ‘ପ୍ରାୟଶ୍ଚିତ’ ଓ ‘ଲଛମା’ ଆଦି ଉପନ୍ୟାସରେ ତତ୍କାଳୀନ ସମାଜର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇଥିଲା।
ସେହିପରି ପ୍ରଥମ ଓଡ଼ିଆ କ୍ଷୁଦ୍ର ଗଳ୍ପର ମାନ୍ୟତା ରଖିଥିବା ତାଙ୍କ ‘ରେବତୀ’ ଗଳ୍ପରେ ସେ ତତ୍କାଳୀନ ପଛୁଆ ଓଡ଼ିଆ ଗାଁ’ର ରକ୍ଷଣଶୀଳ ସମାଜରେ ବାଳିକା ଶିକ୍ଷାକୁ ଗୁରୁତ୍ବ ଦେଇଥିଲେ। ତାଙ୍କର ଅନ୍ୟ କାଳଜୟୀ ରଚନାଗୁଡ଼ିକ ମଧ୍ୟରେ ‘ପେଟେଣ୍ଟ୍ ମେଡିସିନ୍’, ‘ଡାକ ମୁନ୍ସୀ’ ଓ ‘ଅଧର୍ମ ବିତ୍ତ’ ଅନ୍ୟତମ। ସେହିପରି ସେ ଲେଖିଥିବା ଦୀର୍ଘ କାବ୍ୟ ‘ଉତ୍କଳ ଭ୍ରମଣଂ’ରେ ସେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଦର୍ଶାଇଥିଲେ। ତାଙ୍କର ରଚିତ ‘ଆତ୍ମଜୀବନ ଚରିତ’ ଓଡ଼ିଆ ଭାଷାର ପ୍ରଥମ ଆତ୍ମଜୀବନୀ। ୧୯୧୮ ଜୁନ୍ ୧୪ ତାରିଖରେ ଏହି କାଳଜୟୀ ଓଡ଼ିଆ ସନ୍ତାନଙ୍କର ଦେହାବସାନ ଘଟିଥିଲା।