ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ବ୍ୟାବସାୟିକ ପ୍ରତିଷ୍ଠାନ ଫାଲ୍‌କନ୍‌ ଗ୍ରୁପ୍‌ର ଅଂଶ ଫାଲକନ୍ ହୋଲ୍‌ଡିଂସ୍ ପ୍ରାଇଭେଟ୍ ଲିମିଟେଡ ରାଜ୍ୟରେ ଦେଶର ସର୍ବବୃହତ ଟାଇଟାନିୟମ୍ ଡାୟକ୍ସାଇଡ୍ କାରଖାନା ସ୍ଥାପନ କରିବ। ଏହି ପ୍ରକଳ୍ପରେ କମ୍ପାନି ୧୦୫୦ କୋଟି ଟଙ୍କା ନିବେଶ କରିବ। କାରଖାନାର କ୍ଷମତା ୩୦,୦୦୦ ଟନ୍ ରହିବ। ତାହା ପେଣ୍ଟ୍‌ସ, କୋଟିଂ, ପ୍ଲାଷ୍ଟିକ୍ ଏବଂ ବୟନ ଶିଳ୍ପର ଟାଇଟାନିୟମ୍ ଡାୟକ୍ସାଇଡ୍‌ ଆବଶ୍ୟକତା ପୂରଣ କରିବ। ଏହା ସହ ୪୫୦ କୋଟି ଟଙ୍କା ନିବେଶରେ ଐକ  ମଲ୍ଟି-ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କମ୍ପ୍ଲେକ୍ସ ଏବଂ ଏଆଇ ଓ ରୋବୋଟିକ୍ ଚିକିତ୍ସା ସୁବିଧା ସହିତ ୫୦୦ ଶଯ୍ୟା ବିଶିଷ୍ଟ ମଲ୍‌ଟି ସ୍ପେସିଆଲିଟି ହସ୍ପିଟାଲ୍‌ ମଧ୍ୟ ଖୋଲିବ। ଏହି ନିବେଶ ୫୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ପ୍ରକଳ୍ପ ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

Advertisment

 ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଫାଲ୍‌କନ୍‌ ହୋଲ୍‌ଡିଂସ୍‌ର ନିର୍ଦ୍ଦେଶକ ପାର୍ଥଜୀତ ପଟ୍ଟନାୟକ ଓ ଅନ୍ୟାମନେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଓଡିଶାର ଅଗ୍ରଗତି ପାଇଁ ଏହା ଏକ ସମୃଦ୍ଧ କ୍ଷେତ୍ର ତିଆରି କରିବ। ଓଡିଶାକୁ ଏକ ବଡ଼ ଉଦ୍ୟୋଗ ହବ୍ ଭାବେ ଦୃଢ କରିବା ସହିତ ଯୁବ ବର୍ଗଙ୍କ ପାଇଁ ଏହା ରୋଜଗାର ସୃଷ୍ଟି କରିବ। ଫାଲ୍‌କନ୍‌ ହୋଲ୍‌ଡିଂସ୍‌ର ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି କାରଖାନା ଓଡିଶାର ଉଦ୍ୟୋଗ ଏବଂ ଆର୍ଥିକ ବିକାଶରେ ଏକ ମୁଖ୍ୟ ଅଂଶ ହେବ ।ଏହି ପ୍ରକଳ୍ପ ଓଡିଶାରେ ସ୍ବାସ୍ଥ୍ୟ ସେବାକୁ ଆଗକୁ ନେବା ସହ ଆର୍ଥିକ ଏବଂ ଉଦ୍ୟୋଗ ଶିଳ୍ପରେ ଅନେକ ସମୃଦ୍ଧି ଆଣିବ।