‘ବାୟୁପୁରାଣ’, ‘ଗୟା ମାହାତ୍ମ୍ୟ’ ଆଦି ଗ୍ରନ୍ଥମାନଙ୍କରେ ଭାରତର ଝାରଖଣ୍ଡ ଓ ବିହାର ମଧ୍ୟରେ ପ୍ରବାହିତ ଏକ ପୁଣ୍ୟତୋୟା ନଦୀର ଉଲ୍ଲେଖ ମିଳେ। ସେହି ନଦୀ ପୁରାଣଶାସ୍ତ୍ରରେ ଫଲଗୁ ଏବଂ ବୌଦ୍ଧ ସାହିତ୍ୟରେ ନିରଂଜନା ନାମରେ ପ୍ରସିଦ୍ଧ। ପୁରାଣର ବର୍ଣ୍ଣନା ଅନୁସାରେ ଏହି ନଦୀ ସ୍ୱୟଂ ବିଷ୍ଣୁଙ୍କ ସ୍ୱରୂପ। ଏବଂ ଏହି ନଦୀ ଜଳସ୍ରୋତା ନହୋଇ କ୍ଷୀରସ୍ରୋତା ଥିଲା। ହିନ୍ଦୁ ଓ ବୌଦ୍ଧ ଉଭୟ ଏହାକୁ ଏକ ପବିତ୍ର ନଦୀ ଭାବରେ ପୂଜନ କରିଥାନ୍ତି।

Advertisment

ବୌଦ୍ଧସାହିତ୍ୟ ଅନୁଯାୟୀ, ଗୃହ ପରିତ୍ୟାଗ କରି ଗୌତମ ବୁଦ୍ଧ ଯେତେବେଳେ ତପସ୍ୟା କରିବାକୁ ବାହାରିଲେ, ଅନେକ ସ୍ଥାନ ପରିଭ୍ରମଣ କଲେ ମଧ୍ୟ କୌଣସି ସ୍ଥାନରେ ତାଙ୍କୁ ଏକାଗ୍ରତା ମିଳିଲା ନାହିଁ। ତେଣୁ ଏକ ପ୍ରକୃଷ୍ଟ ସ୍ଥାନ ସଂଧାନରେ ବୁଲୁବୁଲୁ ନିରଂଜନା ନଦୀର ତଟଦେଶରେ ଥିବା ଉରୁବିଲ୍ୱ ନାମକ ଏକ ସୁନ୍ଦର ସ୍ଥାନରେ ସେ ପହଞ୍ଚିଲେ। ସେହି ସ୍ଥାନ ଦେଇ ପ୍ରବାହିତ ହେଉଥିବା ନିରଂଜନା ନଦୀର ମନ୍ଦ ମଧୁର କୁଳୁଧ୍ୱନି ଓ ତଟଦେଶର ସବୁଜ ବନପ୍ରଦେଶ ତାଙ୍କର ମନକୁ ଏକ ଅପୂର୍ବ ପ୍ରଶାନ୍ତିରେ ଭରିଦେଲା। ସେ ନିରଂଜନା ନଦୀରେ ସ୍ନାନକରି ଏକ ଅଶ୍ୱତ୍‌ଥବୃକ୍ଷ ମୂଳରେ ବସି ତପସ୍ୟା କରି ପରମ ବୁଦ୍ଧତ୍ୱ ପ୍ରାପ୍ତ ହେଲେ। ବୃକ୍ଷ ହେଲା ବୋଧିଦ୍ରୁମ, ସ୍ଥାନ ହେଲା ବୋଧଗୟା ଏବଂ ନିରଂଜନା ହେଲା ବୌଦ୍ଧ ସନ୍ନ୍ୟାସୀମାନଙ୍କର ପୂଜନୀୟା ନଦୀ।
‘ରାମାୟଣ’ର କଥନ ଅନୁସାରେ ଦଶରଥଙ୍କ ମୃତ୍ୟୁ ପରେ ବାର୍ଷିକ ପିଣ୍ଡଦାନ କରିବା ନିମିତ୍ତ ବନବାସ କାଳରେ ରାମ, ସୀତା ଓ ଲକ୍ଷ୍ମଣ ଆସି ଗୟାରେ ପହଞ୍ଚିଥିଲେ। ବନଚାରୀ ରାମଙ୍କ ପାଖରେ ଯଥେଷ୍ଟ ସାଧନ ନଥିବାରୁ, ସେ ସୀତାଙ୍କୁ ଫଲଗୁ ନଦୀ ତଟଦେଶରେ ବସାଇ ଦେଇ ସାଧନ ସଂଗ୍ରହ ପାଇଁ ଚାଲିଗଲେ। ଏହି ସମୟରେ ଦଶରଥ ସୀତାଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ ପିଣ୍ଡଦାନ ଯାଚନା କଲେ। ପିତା ଦଶରଥଙ୍କୁ ଅପେକ୍ଷା କରିବାକୁ ସୀତା କହିବାରୁ ଦଶରଥ ଅପେକ୍ଷା ନକରି ସୀତାଙ୍କୁ ବାଲିରେ ପିଣ୍ଡଦାନ କରିବାକୁ କହିଲେ। ସୀତା ଏକ ଗାଭୀ, ଏକ ବଟବୃକ୍ଷ, ଫଲ୍‌ଗୁନଦୀ ଓ ଜଣେ ବ୍ରାହ୍ମଣଙ୍କୁ ସାକ୍ଷୀ ରଖି ପିଣ୍ଡଦାନ କଲେ। ରାମ ଫେରି ଆସିବା ପରେ ସୀତା ତାଙ୍କୁ ପିଣ୍ଡଦାନ ସଂପର୍କରେ ସୂଚନା ଦେଲେ ଏବଂ ସାକ୍ଷୀମାନଙ୍କୁ ସାକ୍ଷ୍ୟ ଦେବାପାଇଁ ଅନୁରୋଧ କଲେ। ବଟବୃକ୍ଷ ବ୍ୟତୀତ ଅନ୍ୟ ତିନିଜଣ ମିଛ କହିବାରୁ ସେ ସେମାନଙ୍କୁ ଅଭିଶାପ ଦେଲେ। ଫଲଗୁନଦୀକୁ ଜଳହୀନ ହେବାକୁ ସେ ଅଭିଶାପ ଦେଇଥିଲେ।

ଏହି ନଦୀ ଗୟାତୀର୍ଥ ଦେଇ ପ୍ରବାହିତ ହେଲେ ମଧ୍ୟ ବର୍ଷର ଅଧିକାଂଶ ସମୟ ଶୁଷ୍କ ରହିଥାଏ। ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ଦୁଇ-ତିନିଫୁଟ ମାଟି ଖୋଳି ପାଣି ବାହାର କରିଥାନ୍ତି। ବର୍ଷାକାଳରେ ଏହା ଜଳପ୍ଳାବିତ ହୋଇ ପାଟନାଠାରେ ଗଙ୍ଗାରେ ମିଳିତ ହୁଏ। ଆପାତତଃ ଝାରଖଣ୍ଡ ଓ ବିହାର ମଧ୍ୟରେ ଫଲଗୁ ନଦୀ ପ୍ରବାହିତ। ବିହାରର ଏକ ଅନୁଚ୍ଚ ପର୍ବତରୁ ବାହାରି ମୋହନା ଓ ଲିଲାଜାନ ସହିତ ମିଳିତ ହୋଇ ଏହା ଫଲଗୁ ନଦୀ ହୋଇଛି। ବୋଧଗୟା ଓ ଗୟାତୀର୍ଥ ନିମିତ୍ତ ଫଲଗୁ ପ୍ରସିଦ୍ଧ। ଲୁପ୍ତ ଜଳସ୍ରୋତ ହେତୁ ଏହା ଅନ୍ତଃସଲିଳା।