ସୋସିଆଲ ମିଡିଆରେ ଏବେ କରୋନା ଭାଇରସ୍ ଟିକାକୁ ନେଇ ହଜାର ହଜାର ବିଭ୍ରାନ୍ତିକର ଓ ମିଥ୍ୟା ଖବର ଘୂରି ବୁଲୁଛି। ଅନେକ ଲୋକ ଏହି ମିଥ୍ୟା ପ୍ରଚାରର ଶିକାର ହୋଇଛନ୍ତି। ବିଶ୍ବବ୍ୟାପୀ ଏ ନେଇ ବିଭ୍ରାନ୍ତିର ବନ୍ୟା ଛୁଟିଥିବା ବେଳେ ଅନେକ କ୍ଷେତ୍ରରେ ପ୍ରକୃତ ସତ୍ୟ ଲୋକଙ୍କ ନିକଟରେ ପହଞ୍ଚିପାରୁନାହିଁ। ନିମୋନିଆ ଟିକା ହିଁ କରୋନା ସଂକ୍ରମଣ ରୋକିବାକୁ ଶ୍ରେଷ୍ଠ ଉପାୟ ବୋଲି ପ୍ରଚାରିତ ହୋଇଥିଲା। କିନ୍ତୁ ଏହା ଡାହା ମିଛ ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଛି। କେତେକ ବ୍ୟକ୍ତି ଭୁଲ୍ ଟିକାକୁ କରୋନା ଟିକା ଭାବେ ଉପସ୍ଥାପନ କରି ଏହାକୁ ନେଇ ବ୍ୟାପକ ସମୀକ୍ଷାମାନ ମଧ୍ୟ ପ୍ରକାଶ କରିଛନ୍ତି ଯାହାକି ବିଶେଷଜ୍ଞମାନଙ୍କୁ ମଧ୍ୟ ହତ୍ବାକ୍ କରିଦେଇଛି। ଏହା ବତୀତ କେତେକ ଫାର୍ମା କମ୍ପାନିକୁ ବଦନାମ କରିବାକୁ ପ୍ରୟାସ କରି ମଧ୍ୟ ଭୁଲ୍ ତଥ୍ୟ ପ୍ରସାର କରାଯାଇଛି। ଏ ବାବଦରେ ସୋସିଆଲ ମିଡିଆରେ ଅଙ୍କୁଶ ଲଗାଇବା ପାଇଁ କେତେକ ରାଷ୍ଟ୍ର ସଙ୍କେତ ଦେଇଥିଲେ ମଧ୍ୟ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନାହିଁ।
/sambad/media/post_attachments/wp-content/uploads/2020/07/143806-jfipjtjtkr-1593744698-300x158.jpg)
ବାଧାବିଘ୍ନ ବି କିଛି କମ୍ ନୁହେଁ
ସମ୍ପ୍ରତି ବିଶ୍ବର ବିଭିନ୍ନ ପ୍ରାନ୍ତରେ ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ଜାରି ରହିଥିବା ଟିକା ବିକାଶ ପ୍ରକ୍ରିୟା ଉଲ୍ଲେଖନୀୟ ତଥା ଉତ୍ସାହପ୍ରଦ ନିଶ୍ଚୟ। ତେବେ ସାର୍ବଜନୀନ ବ୍ୟବହାର ଉପଯୋଗୀ ପାଇଁ କୌଣସି ଟିକା ଉପଲବ୍ଧ ହେବାରେ ତଥାପି ଅନେକ ବାଧାବିଘ୍ନ ରହିଥିବା ଜଣାଯାଇଛି। ସ୍ଥଳବିଶେଷରେ କିଛି ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଫଳାଫଳରେ ବିଶ୍ବବାସୀ ଉଲ୍ଲସିତ ହୋଇ ମହାମାରୀ କୋଭିଡ୍ର ଗତିରୋଧ ପାଇଁ ଶ୍ରେଷ୍ଠ ବିକଳ୍ପ ଭାବେ ଉକ୍ତ ଟିକାର ଆଶି ଉପଲବ୍ଧି ପାଇଁ ମଧ୍ୟ ଆଶାବାଦୀ ହୋଇପଡ଼ିଛନ୍ତି। ମାତ୍ର କୌଣସି ଟିକାକୁ ସମ୍ପୂର୍ଣ୍ଣ ସଫଳ ବୋଲି ନିଜକୁ ପ୍ରମାଣିତ କରିବା ଲାଗି ଅନେକ ବିଜ୍ଞାନସମ୍ମତ ଓ ଯୋଗାଣ ଜନିତ ପ୍ରତିବନ୍ଧକକୁ ହଟାଇବାକୁ ପଡ଼ିବ ବୋଲି ମର୍କ ଭେଷଜ କମ୍ପାନିର ସିଇଓ କେନ୍ନେଥ ଫ୍ରେଜି୍ର କହିଛନ୍ତି। ଇବୋଲା ପରି ଅନେକ ଘାତକ ମହାମାରୀ ପାଇଁ ଫଳପ୍ରଦ ଟିକା ଆଣିବା ପ୍ରକ୍ରିୟା ସହ ଜଡ଼ିତ ଫ୍ରେଜିଅରଙ୍କର ଏଭଳି ଆଶଙ୍କା ଗୁରୁତ୍ବ ବହନ କରୁଛି। ଚୀନ୍, ଜର୍ମାନୀ ଓ ୟୁକେରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ କରୋନାଭୂତାଣୁ ସାର୍ସ-କୋଭ୍-୨ ବିରୋଧରେ ଜଣେ କୋଭିଡ୍-୧୯ ରୋଗୀ ଯେଉଁ ରୋଗପ୍ରତିରୋଧକ ବିକଶିତ କରିପାରିଛି, ତାହା କ୍ଷଣସ୍ଥାୟୀ ମାତ୍ର। ସେହିପରି ନିକଟରେ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) କରିଥିବା ଅଧ୍ୟୟନରୁ ସୁସ୍ଥ ହୋଇଥିବା କୋଭିଡ୍ ରୋଗୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କର ନମୁନାରେ କୌଣସି ପ୍ରକାର ରୋଗପ୍ରତିରୋଧକ ନଥିବା ଜଣାଯାଇଛି। ସୁତରାଂ କୋଭିଡ୍ ରୋଗୀଠାରେ ଟିକା ମାଧ୍ୟମରେ ହେଉ କି ଅନ୍ୟ କୌଣସି ଉପାୟରେ ହେଉ, ରୋଗପ୍ରତିରୋଧକ ଶକ୍ତିକୁ ଦୀର୍ଘସ୍ଥାୟୀ କରି ରଖିବା ହିଁ ଆହ୍ବାନ ପାଲଟିଛି। ତେମୁ ସେଭଳି ଟିକାଟିଏ ଆସିବା ବର୍ତ୍ତମାନ ପାଇଁ ସମ୍ଭବପର ନୁହେଁ। ସେହିପରି କରୋନାଭୂତାଣୁର ଦ୍ରୁତ ରୂପାନ୍ତର ପ୍ରକ୍ରିୟା ଯୋଗୁଁ ଅଦ୍ୟାବଧି ଏହାର ୬୬ ହଜାର ପ୍ରକାର ଆନୁବଂଶିକ ଅନୁକ୍ରମ ଠାବଵ ହୋିସାରିଛି।