ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ଭୋଜିରେ କନ୍ୟା ବରଙ୍କ ସହିତ ମଞ୍ଚ ଉପରେ ଛିଡ଼ା ହୋଇଥିବା ବେଳେ ହଠାତ ଟଳି ପଡ଼ିଥିଲେ। ଏଭଳି ଦୁଃଖ ସମୟରେ ବାପା-ମା’ ମୃତ ଝିଅର ଅଙ୍ଗ ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସ୍ଥିର କରିଥିଲେ। ବାପା-ମା’ଙ୍କ ଏଭଳି ନିଷ୍ପତ୍ତି ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ. ସୁଧାକର ପ୍ରଶଂସା କରିଛନ୍ତି।
କର୍ଣ୍ଣାଟକର କୋଲାର ସହରରେ ଚୈତ୍ରା କେ.ଆରଙ୍କ ପିତାମାତା ରାମପ୍ପା ଏବଂ ଆକ୍କେମା ବେଙ୍ଗାଲୁରୁ ଗ୍ରାମାଞ୍ଚଳର ହୋସକୋଟର କାର୍ତ୍ତିକଙ୍କ ସହ ଝିଅର ବିବାହ ସ୍ଥିର କରିଥିଲେ। ଫେବ୍ରୁଆରି ୬ ତାରିଖରେ ଶ୍ରୀ ବାଲା ଅଞ୍ଜନେୟା ସ୍ବାମୀ ମନ୍ଦିରରେ ସେମାନଙ୍କ ବିବାହ ଉତ୍ସବ ପାଇଁ ଭୋଜିର ଆୟୋଜନ କରାଯାଇଥିଲା।
ରିସେପସନ ସମୟରେ ଚୈତ୍ରା ମଞ୍ଚରେ ଉପରେ ଚଢ଼ି ବର ସହିତ ଛିଡ଼ା ହୋଇଥିଲେ। କିଛି ସମୟ ପରେ ସେ ମଞ୍ଚ ଉପରେ ହଠାତ ପଡ଼ି ଯାଇ ଅଚେତ ହୋଇଯାଇଥିଲେ। ସଙ୍ଗେସଙ୍ଗେ ଚୈତ୍ରାଙ୍କ ପରିବାରଲୋକ ଝିଅକୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତରମାନେ ତାଙ୍କୁ ବେଙ୍ଗାଲୁରୁ ଏନଆଇଏମଏଚଏନଏସ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତରମାନେ ଝିଅଙ୍କୁ ମସ୍ତିଷ୍କ ମୃତ ବୋଲି ଘୋଷଣା କରିଥିଲେ।
ଏହାପରେ ଚୈତ୍ରାଙ୍କ ପିତାମାତା ଏଭଳି ଦୁଃଖ ସମୟରେ ବି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଚିନ୍ତା କରି ଝିଅର ଅଙ୍ଗଦାନ ପାଇଁ ସ୍ଥିର କରିଥିଲେ।
ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, " ଚୈତ୍ରାଙ୍କ ପାଇଁ ଏହା ଏକ ବଡ ଦିନ ଥିଲା କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖାଥିଲା। ବିବାହ ସମୟରେ ଚୈତ୍ରା ଚେତାଶୂନ୍ୟ ହୋଇ ବିବାହ ମଞ୍ଚରେ ଟଳି ପଡ଼ିଥିଲେ। ଆଉ ଡାକ୍ତରମାନେ ତାଙ୍କୁ ମସ୍ତିଷ୍କ ମୃତ ଘୋଷଣା କରିଥିଲେ। ଏହାପରେ ଚୈତ୍ରାଙ୍କ ପିତାମାତା ଝିଅର ଅଙ୍ଗ ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି।