ବ୍ୟବଚ୍ଛେଦ ଗୃହରେ ବଦଳ ହୋଇଗଲା ମୃତଦେହ, ଜଣଙ୍କ ଶବକୁ ଦାହ କଲେ ଅନ୍ୟ ଜଣେ ମୃତ ମହିଳାଙ୍କ ପରିବାର ଲୋକ

ପୁଡୁଚେରୀ: ପୁଡୁଚେରୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହସ୍ପିଟାଲ୍‌ର ଦାୟିତ୍ବହୀନତା ହେତୁ ଜଣେ ମହିଳାଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କ ବଦଳରେ ଅନ୍ୟ ଜଣେ ମହିଳାଙ୍କ ପରିବାର ଲୋକେ ଦାହ କରିଥିବା ଅଭିଯୋଗ ହୋଇଛି। ହସ୍ପିଟାଲ୍‌ର ଭୁଲ୍‌ ପାଇଁ ମୃଦଦେହ ହସ୍ତାନ୍ତର କରାଇବାରେ ଅବହେଳା କାରଣରୁ ଏପରି ଘଟଣା ଘଟିଛି। ୪୨ ବର୍ଷୀୟା ମହିଳାଙ୍କ ମୃତଦେହକୁ ଅନ୍ୟ ଏକ ପରିବାରର ଲୋକେ ଦାହ କରିବା ପରେ ତାଙ୍କ ନିଜ ଘର ଲୋକମାନେ ତାଙ୍କୁ ନପାଇ ଆଇନ୍‌ର ସହାୟତା ଲୋଡ଼ିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ସୋମବାର ଦିନ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ଗବେଷଣା ପ୍ରତିଷ୍ଠାନ(ଆଇଜିଏମ୍‌ସିଆର୍‌ଆଇ)ରେ  ମନଭେଲିର ଡି ଯୋଗନାଥନଙ୍କ ପତ୍ନୀ ସି ଟି ଗୁନାଭେଲିଙ୍କ ମୃତଦେହକୁ ଅନ୍ୟ ଜଣେ ମହିଳାଙ୍କ ପରିବାରକୁ ହସ୍ତାନ୍ତର କରାଯିବା ପରେ କାରୁଭାଦିକପ୍ପମରେ ଇଲେକ୍ଟ୍ରିକ୍ କ୍ରେମେଟୋରିୟମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ପରେ ତାଙ୍କ ପରିବାର ଲୋକ ସି ଟି ଗୁନାଭେଲିଙ୍କ ମୃତଦେହ ଖୋଜିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ଆଇଜିଏମ୍‌ସିଆର୍‌ଆଇର ଫୋରେନସିକ୍ ମେଡିସିନ୍ ବିଭାଗର ପ୍ରଫେସର ତଥା ଏଚ୍‌ଓଡି ଡକ୍ଟର ଫ୍ରେମିଙ୍ଗଷ୍ଟନ୍ ମାରାକ ଦେଇଥିବା ବୟାନ ମୁତାବକ, ଗୁନାଭେଲିଙ୍କର ସ୍କ୍ଲେରୋଡର୍ମା ଥିଲା। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧାରେ ହେବା ପରେ ଅଗଷ୍ଟ ୧୭ ଦିନ ପ୍ରାୟ ୨.୩୦ ସମୟରେ ତାଙ୍କୁ ମୋଲାକୁଲମର ଇଷ୍ଟକୋଷ୍ଟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୂର୍ବରୁ କରୋନା ପରୀକ୍ଷା ପାଇଁ  ସକାଳ ୭ ଟାରେ ସ୍ବାବ ସଂଗ୍ରହ କରାଯାଇଥିଲା ଏବଂ ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିଲା।

newindianexpress

ସେହି ଦିନ ସକାଳ ପ୍ରାୟ ୧୧.୩୦ ସମୟରେ ଅନ୍ୟଜଣେ କୋଭିଡ୍‌-୧୯ ଆକ୍ରାନ୍ତ ଆନନ୍ଦୀଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଶରୀରକୁ ମଧ୍ୟ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିଲା। ତାଙ୍କ ମୃତଦେହ ସହ ଗୁନାଭେଲିଙ୍କ ମୃତଦେହକୁ ବଦଳ କରି ତାଙ୍କ ପରିବାର ଲୋକଙ୍କୁ ବ୍ୟବଚ୍ଛେଦ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ କର୍ମୀମାନେ ଗୁନାଭେଲିଙ୍କ ମୃତଦେହ ଦେଇ ଦେଇଥିଲେ।

ପରଦିନ ରାତି ୧୨.୩୦ ରେ, ଯେତେବେଳେ ଯୋଗନାଥନ୍ ଗୁନାଭେଲିଙ୍କ ଶରୀର ଦାବି କରିବାକୁ ଆସିଥିଲେ, ଏହା ଶବ ବ୍ୟବଚ୍ଛେଦ ଗୃହରୁ ମିଳିଲା ନାହିଁ। କିନ୍ତୁ ଏକ ଖୋଜାଖୋଜି ସମୟରେ ଜଣାପଡିଥିଲା ​​ଯେ ଗୁନାଭେଲିଙ୍କ ମୃତଦେହ ଭୁଲ୍ ଭାବରେ ଆନନ୍ଦୀ ବୋଲି ଭାବି ତାଙ୍କ ପରିବାର ଲୋକ ଅନ୍ତିମ ସଂସ୍କାର ସାରି ଦେଇଛନ୍ତି। ପରେ ଶୀତଳ ପ୍ରକୋଷ୍ଠରେ ଥିବା ଶବକୁ ଚିହ୍ନିବା ପାଇଁ ଆନନ୍ଦୀଙ୍କ ସମ୍ପର୍କୀୟଙ୍କୁ ଡକାଯାଇଥିଲା। ସେମାନେ ଆନନ୍ଦୀଙ୍କ ମୃତଦେହ ଚିହ୍ନଟ କରି ଭୁଲ ପାଇଁ କ୍ଷମା ମାଗିଥିଲେ।

ସମ୍ବନ୍ଧିତ ଖବର